୪୫ ହଜାର ଟଙ୍କା ଋଣ ନେଇ ୨୦ ବର୍ଷ ପୂର୍ବେ ଆରମ୍ଭ କରିଥିଲି ବ୍ୟବସାୟ

ସାକ୍ଷାତକାର :କୈଳାସ ଚନ୍ଦ୍ର ପାତ୍ର,ଏମ୍‌ଡି, ପାତ୍ର ଇଲେକ୍ଟ୍ରୋନିକ୍ସ

ଆପଣ ରାଜ୍ୟର ଜଣେ ଅନ୍ୟତମ ସଫଳ ଉଦ୍ୟୋଗୀଭାବେ ଏବେ ପରିଚିତ। ବ୍ୟବସାୟରେ ଆପଣଙ୍କ ଲମ୍ବା ଯାତ୍ରାର ଅନୁଭବ କେମିତି?
୧୯୯୮ ମସିହାରେ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରେ ୪୫ ହଜାର ଟଙ୍କା ଋଣ ଆଣି ମୋ ମାଆଙ୍କ ନାମରେ କଟକ ପିଠାପୁର ରୋଡ୍‌ସ୍ଥିତ ଏକ ଛୋଟ ସ୍ଥାନରେ ସୁମିତ୍ରା ଇଲେକ୍‌ଟ୍ରୋନିକ୍ସ ଆରମ୍ଭ କରିଥିଲି। ସେତେବେଳେ ମୋ ପାଖରେ ଅଧିକ ପୁଞ୍ଜି କିମ୍ବା ଲୋକବଳ ନଥିଲା। ତେବେ ମୋ ନିକଟରେ ଦୃଢ଼ ମନୋବଳ, କିଛି କରିବାର ସ୍ୱପ୍ନ ଏବଂ ଭଗବାନଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ଥିଲା। ଏସବୁକୁ ପାଥେୟ କରି ୨୦୦୩ ମସିହାରେ ବାଦାମବାଡ଼ି ଛକଠାରେ ପାତ୍ର ଇଲେକ୍‌ଟ୍ରୋନିକ୍ସ ନାମରେ ଇଲେକ୍‌ଟ୍ରୋନିକ୍ସ ଓ ହୋମ୍‌ ଆପ୍ଲାଏନ୍ସର ମେଗା ସୋ’ରୁମ୍‌ ଆରମ୍ଭ କରିଥିଲି। ସେବେଠାରୁ ଇତିମଧ୍ୟରେ ଆମେ ଓଡ଼ିଶାରେ ୧୫ଟି ସୋରୁମ୍‌ ଖୋଲିବାରେ ସକ୍ଷମ ହୋଇଛୁ। ଏଥିଯୋଗୁଁ ୬୦୦ ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ଦେଇପାରିଛୁ। ଏହି ଲମ୍ବାଯାତ୍ରା କଷ୍ଟଦାୟକ ଥିଲେ ମଧ୍ୟ ସେଥିରେ ପ୍ରତିଦିନ କିଛି ନୂଆ ଶିଖିବା ଏବଂ ଅନୁଭବ କରିବାର ମଜା ରହିଥିଲା।
ଆପଣଙ୍କ ବ୍ୟାବସାୟିକ ସଫଳତାର ରହସ୍ୟ କ’ଣ?
ପ୍ରଥମ ଦିନରୁ ଆମେ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଉତ୍ପାଦ ଯୋଗାଇବା ସହିତ ଉତ୍ତମ ସେବା ଯୋଗାଇ ଦେବାକୁ ଆମେ ଗୁରୁତ୍ୱ ଦେଇ ଆସିଛୁ। ଫଳରେ ଦୀର୍ଘ ୧୫ ବର୍ଷ ହେଲା ଗ୍ରାହକମାନେ ଆମ ସହିତ ଯୋଡ଼ି ହୋଇ ରହିଛନ୍ତି। ଲାଭଖୋର ମନୋବୃତ୍ତି ନରଖି ଉତ୍ତମ ଦରରେ ଜିନିଷ ଯୋଗାଇ ଆସୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରାହକମାନଙ୍କ ଭଲପାଇବା ଆମପ୍ରତି ବଢ଼ୁଛି।
ବ୍ୟବସାୟରେ ତିଷ୍ଠିବା ପାଇଁ ବାସ୍ତବରେ କେତେ ସଂଘର୍ଷ କରିବାକୁ ପଡ଼େ?
ଜୀବନର ଅନ୍ୟନାମ ସଂଘର୍ଷ। ଯେତେବେଳେ ଆମେ ବ୍ୟବସାୟ ଆରମ୍ଭ କରିଥିଲୁ ସେତେବେଳେ ଅନେକ ବଡ଼ ବଡ଼ ବ୍ୟବସାୟୀ ପ୍ରାଧାନ୍ୟ ବିସ୍ତାର କରିସାରିଥିଲେ। ମନରେ ସାହସ ବାନ୍ଧି ସେମାନଙ୍କ ସହିତ ସମକକ୍ଷ ହେବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲି। ଏବେ ପାତ୍ର ଇଲେକ୍‌ଟ୍ରୋନିକ୍ସକୁ ଆହୁରି ଆଗକୁ ନେବା ପାଇଁ ପ୍ରୟାସ ଜାରି ରଖିଛି। ରାଜ୍ୟ ବାହାରୁ ଆସି ସୋରୁମ୍‌ ଖୋଲିଥିବା ବ୍ୟବସାୟୀଙ୍କ ତୁଳନାରେ ଆମ ସୋରୁମ୍‌ ସୁଲଭ ଦରରେ ଗ୍ରାହକଙ୍କୁ ଭଲ ଜିନିଷ ଯୋଗାଇ ଦେବାରେ ସକ୍ଷମ ହୋଇଛି। ଗୋଟିଏ ଛାତ ତଳେ ଇଲେକ୍‌ଟ୍ରୋନିକ୍ସ, ହୋମ୍‌ ଆପ୍ଲାଏନ୍‌ସେସ୍‌ ଏବଂ ଫର୍ଣ୍ଣିଚର ସାମଗ୍ରୀ ଚୟନ ଓ କିଣିବାର ସୁଯୋଗ ପାଇ ପାରୁଛନ୍ତି।
ଇଲେକ୍ଟ୍ରୋନିକ୍ସ ବଜାରରେ ଗାହକଙ୍କ ପସନ୍ଦ କିଭଳି ରହୁଛି?
ପୂର୍ବରୁ ରାଜ୍ୟରେ ଥିବା ଷ୍ଟୋର୍‌ଗୁଡ଼ିକରେ ସବୁ ଜିନିଷ ରହୁନଥିଲା। ପାତ୍ର ଇଲେକ୍ଟ୍ରୋନିକ୍ସର ବଡ଼ ସୋ’ରୁମ୍‌ରୁ ଗ୍ରାହକମାନେ ସବୁ ନାମୀଦାମୀ କଂପାନିର ଜିନିଷ କିଣିବାର ସୁଯୋଗ ପାଇଲେ। ଆମ ସୋ’ରୁମ୍‌ରେ ଗ୍ରାହକଙ୍କୁ ମାସିକ କିସ୍ତିରେ ଜିନିଷ ଯୋଗାଇ ଦିଆଯାଉଛି।
ଭବିଷ୍ୟତ ଯୋଜନା କ’ଣ ରଖିଛନ୍ତି?
ଇଲେକ୍‌ଟ୍ରୋନିକ୍ସ ମାର୍କେଟରେ ନୂଆ ଢଙ୍ଗରେ କିଛି କରି ଦେଖାଇବାର ଅଭିଳାଷ ରହିଛି। ଆମର ସମସ୍ତ ଷ୍ଟୋରରେ ଫର୍ଣ୍ଣିଚର ଉପଲବ୍ଧ କରାଇବା ଯୋଜନା କରୁଛୁ। ଏତଦ୍‌ବ୍ୟତୀତ ଓଡ଼ିଶାରେ ଆହୁରି ଅଧିକ ଷ୍ଟୋର ଖୋଲିବା ଯୋଜନା ମଧ୍ୟ ରହିଛି।
ଆଗକୁ ପାର୍ବଣ ଋତୁ ଆସୁଛି, ଏଥିପାଇଁ କିପରି ପ୍ରସ୍ତୁତ ହେଉଛନ୍ତି?
ଆଗାମୀ ପୂଜାରେ ଗ୍ରାହକଙ୍କୁ ସବୁଠାରୁ କମ୍‌ ଦାମ୍‌ରେ ନାମୀଦାମୀ କମ୍ପାନି ମାନଙ୍କର ନୂତନ ଡିଜାଇନ୍‌, ପ୍ରଯୁକ୍ତି ଏବଂ ମଡେଲର ହୋମ୍‌ ଆପ୍ଲାଏନ୍ସ, ଇଲେକ୍‌ଟ୍ରୋନିକ୍ସ ଓ ଫର୍ଣ୍ଣିଚର ଯୋଗାଇ ଦେବୁ। ଗଣେଶ ପୂଜାଠାରୁ ସବୁ ଅଫର୍‌ ଆରମ୍ଭ ହୋଇଯିବ। ଏଥିରେ ପ୍ରତ୍ୟେକ ଜିନିଷ ଉପରେ ସୁନିଶ୍ଚିତ ଉପହାର, ଲକି ଡ୍ର, ଗିଫ୍ଟ ଭାଉଚର, କ୍ୟାସ୍‌ ବ୍ୟାକ୍‌, କମ୍ବୋ ଅଫର୍‌ ସହିତ ୨୪ଟି ମାସିକ କିସ୍ତି ଓ ବିନା ଡାଉନପେମେଣ୍ଟ୍‌ରେ ଫାଇନାନ୍ସ ଯୋଗେ ସାମଗ୍ରୀ ଯୋଗାଇ ଦେବୁ।

ସମ୍ବନ୍ଧିତ ଖବର