ଜିଏସ୍‌ଟି ପରିଷଦର ୪୫ତମ ବୈଠକ: ପେଟ୍ରୋଲ, ଡିଜେଲ ନିଷ୍ପତ୍ତି ଘୁଞ୍ଚିଲା, କରୋନା ଔଷଧ ଉପରୁ ଟିକସ କମିଲା

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲର ଅତ୍ୟଧିକ ଦର ଗ୍ରାହକଙ୍କୁ ଦୀର୍ଘଦିନ ହେଲା ଅସ୍ତବ୍ୟସ୍ତ କଲାଣି। ଉକ୍ତ ଦୁଇ ଇନ୍ଧନକୁ ଜିଏସଟି ପରିସରକୁ ଆଣିଲେ ମୂଲ୍ୟ ହ୍ରାସ ପାଇବ ବୋଲି ବିଭିନ୍ନ ମହଲ ମତ ଦେଉଛନ୍ତି। ତେଣୁ ଆଶା କରାଯାଉଥିବା ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟିରେ ସାମିଲ କରିବା ପାଇଁ ଆଜି ଲକ୍ଷ୍ନୌଠାରେ ଅନୁଷ୍ଠିତ ଜିଏସଟି ପରିଷଦର ୪୫ତମ ବୈଠକରେ ନିଷ୍ପତ୍ତି ନିଆଯିବ। କିନ୍ତୁ ଏହାକୂ ଘୂଞ୍ଚାଇ ଦିଆଯାଇଛି। ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରକୁ ଆଣିବାର ଉପଯୁକ୍ତ ସମୟ ବର୍ତ୍ତମାନ ନୁହେଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୈଠକ ‌ପରେ କହିଛନ୍ତି। କେରଳ ହାଇକୋର୍ଟଙ୍କ ରାୟ ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟିରେ ସାମିଲ କରିବା ଲାଗି ‌ପରିଷଦରେ ଆଲୋଚନା ହୋଇଥିଲା।

ଆଜିର ବୈଠକରେ ଦୁଇଟି କୋଭିଡ ଔଷଧ ଅର୍ଥାତ୍ ଜୋଲ୍‌ଜେଲ୍‌ସମା ଏବଂ ଭିଲ୍‌ଟେପ୍‌ସୋ ଉପରୁ ଜିଏସଟି ଛାଡ଼ କରାଯାଇଛି। ପୂର୍ବରୁ କୋଭିଡ-୧୯ ରୋଗ ସଂର୍ପିକିତ ଔଷଧ ଉପରେ ଜିଏସଟିରେ ଯେଉଁ ରିହାତି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିଲା ତାହାକୁ ଆଜିର ବୈଠକରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେଣୁ ଆମ୍ଫୋଟେରିସିନ୍ ବି ଉପରେ ଶୂନ ପ୍ରତିଶତ, ତୋସିଲିଜୁମାବ ଉପରେ ଶୂନ ପ୍ରତିଶତ, ରେମଡେସିଭିର ଓ ହେପାରିନ୍ ଉପରେ ୫ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯିବ। ଫାର୍ମାସ୍ୟୁକିଟାଲ ବିଭାଗ ପକ୍ଷରୁ ସୁପାରିସ କରାଯାଇଥିବା ଅନ୍ୟ ୭ଟି ଔଷଧ ଉପରେ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜିଏସ୍‌ଟିକୁ ୧୨ ପ୍ରତିଶତ ପରିବର୍ତ୍ତେ ୫ ପ୍ରତିଶତକୁ କମାଇ ଦିଆଯାଇଛି। ସେହିଭଳି କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା କିଟ୍ରୁଡା ଭଳି ଔଷଧ ଉପରେ ଜିଏସଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଯାଇଛି।

ଦିବ୍ୟାଙ୍ଗମାନେ ସେମାନଙ୍କ ଗାଡ଼ି ପଛରେ ଲଗାଉଥିବା ଉପକରଣ ବା ରେଟ୍ରୋ-ଫିଟ୍‌‌ମେଣ୍ଟ୍ କିଟ୍ ଉପରେ ଜିଏସଟି ହାର ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ପୁଷ୍ଟିଯୁକ୍ତ ଚାଉଳ (ଫର୍ଟିଫାଏଡ ରାଇସ କର୍ନେଲ) ଉପରେ ଜିଏସ୍‌ଟି ହାରକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ କମାଯାଇଛି। ଏହି ଖାଦ୍ୟ ସାଧାରଣ ଆଇସିଡିଏସ ଯୋଜନାରେ ବ୍ୟବହୃତ ହୋଇଥାଏ। ଡିଜେଲରେ ମିଶ୍ରଣ ପାଇଁ ତୈଳ ବିପଣନ କମ୍ପାନିଗୁଡ଼ିକୁ ଯୋଗାଇ ଦିଆଯାଉଥିବା ବା‌ୟୋଡିଜେଲ ଉପରେ ଜିଏସଟି ହାର ୧୨ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ତେବେ ରେସ୍ତୋରାଁ ଗୁଡ଼ିକ ଠାରୁ ଆଦାୟ ହେଉଥିବା ଏବେ ସ୍ବିଗି ଏବଂ ଜୋମାଟୋ ଭଳି ସଂସ୍ଥାଠାରୁ ଖାାଦ୍ୟ ଡେଲିଭରି ଦିଆଯାଉଥିବା ସ୍ଥାନରୁ ଆଦାୟ ହେବ। ଏ ନେଇ କୌଣସି ନୂଆ ଟିକସ ଦେବାକୁ ହେବନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ନିର୍ମଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକ ଜିଏସଟିର ସଂରଚନା ଏବଂ ଶେଷ ମୁହୂର୍ତ୍ତରେ ‌କାର୍ଯ୍ୟସୂଚୀ ଚୂଡ଼ାନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ। ଦେଶରେ କୋଭିଡ୍‌ ମହାମାରୀ ଆରମ୍ଭ ହେବା ଦିନଠାରୁ ଏହା ଥିଲା ଜିଏସଟି ପରିଷଦର ପ୍ରଥମ ପ୍ରତ୍ୟକ୍ଷ ବୈଠକ। ୨୦ ମାସ ପୂର୍ବରୁ ୨୦୧୯ ଡିସେମ୍ବର ୧୮ରେ ଶେଷଥର ପାଇଁ ପରିଷଦର ପ୍ରତ୍ୟକ୍ଷ ବୈଠକ ହୋଇଥିଲା।

ସମ୍ବନ୍ଧିତ ଖବର