୨୦୨୫ ସୁଦ୍ଧା ଖଣିରେ ୪୮ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟିର ସୁଯୋଗ

ଭୁବନେଶ୍ବର: ଅର୍ଥନୈତିକ ବିକାଶରେ ଖଣି କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଖଣି କ୍ଷେତ୍ରରେ ୧ ପ୍ରତିଶତ ବୃଦ୍ଧି ଶିଳ୍ପ ଉତ୍ପାଦନରେ ୧.୨ରୁ ୧.୪ ପ୍ରତିଶତ ବୃଦ୍ଧି ଆଣିବାରେ ସହାୟକ ହୋଇଥାଏ। ୨୦୨୫ ସୁଦ୍ଧା ଖଣି କ୍ଷେତ୍ରରେ ୪୮ ଲକ୍ଷ ନୂଆ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବାର ସୁଯୋଗ ରହିଛି। ଏହା ବ୍ୟତୀତ ପ୍ରାୟ ୫ କୋଟି ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଖଣି ଓ ଧାତବ ଶିଳ୍ପ ସହ ଦୀର୍ଘବର୍ଷ ଜଡ଼ିତ ଥିବା ଜଣେ ଅଧିକାରୀଙ୍କ ମତରୁ ଜଣାପଡ଼ିଛି। ନାଲ୍‌କୋର ପୂର୍ବତନ ସିଏମ୍‌ଡି ତଥା ଭାରତ ସରକାରଙ୍କ ସରକାରୀ ଉଦ୍ୟୋଗ ଚୟନ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଅଂଶୁମାନ ଦାସ ଏକ ରିପୋର୍ଟରେ ଏହା ଲେଖିଛନ୍ତି।

ତାଙ୍କ ମତରେ ଗତ କିଛି ବର୍ଷ ଭିତରେ ଆଲୁମିନିୟମ୍ ଶିଳ୍ପରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି। ପ୍ରତିରକ୍ଷା ଠାରୁ ଆରମ୍ଭ କରି ପରିବହନ, ବିଦ୍ୟୁତ, ବିମାନ ଚଳାଚଳ, ଅଟୋମୋବାଇଲ୍‌, କଞ୍ଜ୍ୟୁମର ଡ୍ୟୁରେବଲ୍, ଫ୍ରେଟ୍‌ କରିଡର, ବୁଲେଟ୍‌ ଟ୍ରେନ୍‌, ଇଲେକ୍‌ଟ୍ରିକ୍ ଯାନ ଓ ଆଲୁମିନିୟମ ୱାଗନ୍ ଆଦିରେ ଆଲୁମିନିୟମ୍ ବ୍ୟବହାର ହେଉଛି। ଜାତୀୟ ଆଲୁମିନିୟମ ଶିଳ୍ପରେ ୮ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହା ୪୦୦୦ରୁ ଅଧିକ ଏମ୍ଏସ୍‌ଏମ୍ଇକୁ ସହାୟତା ଯୋଗାଇ ପାରୁଛି। ଗତ ପାଞ୍ଚ ବର୍ଷରେ ଆଲୁମିନିୟମ ଶିଳ୍ପ ୪୦୦ ନିୟୁତ ଡଲାରର କଞ୍ଚାମାଲ ଆମଦାନି କରିଛି। ଯଦି ଦେଶ ଭିତରେ କଞ୍ଚାମାଲ ଉପଲବ୍ଧତାରେ ଉନ୍ନତି ଆସିପାରିବ ତେବେ ବର୍ଷକୁ ୩୨ ହଜାର କୋଟି ଟଙ୍କା ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି।ଦେଶରେ ଆଲୁମିନିୟମ୍ ବ୍ୟବହାର ପରିମାଣକୁ ୫-୭ ବର୍ଷ ଭିତରେ ୪-୮ ନିୟୁତ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧.୮ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ଓଡ଼ିଶା ଓ ଛତିଶଗଡ଼ରେ ଆଲୁମିନିୟମ ଶିଳ୍ପର ବିକାଶ ଲାଗି ବିପୁଳ ସୁଯୋଗ ରହିଛି  ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର