ଭୁବନେଶ୍ୱର: ରାଜ୍ୟ ସରକାର ଦେଶ ବିଦେଶର ଇସ୍ପାତ କଂପାନିଗୁଡ଼ିକ ସହିତ ୪୯ଟି ଏମ୍ଓୟୁ (ବୁଝାମଣାପତ୍ର) ସ୍ୱାକ୍ଷରିତ କରିଥିଲେ। ସେଥି ମଧ୍ୟରୁ ୩୫ଟି ଇସ୍ପାତ କାରଖାନା ଓ ଗୋଟିଏ ପେଲେଟ୍ ଉତ୍ପାଦନ କାରଖାନା କାର୍ଯ୍ୟକ୍ଷମ ହୋଇଛି। ଏହି ସବୁ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଛି ବୋଲି ନିକଟରେ ଜାରି କରାଯାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ଏମ୍ଓୟୁ ଜରିଆରେ କାର୍ଯ୍ୟକ୍ଷମ ହୋଇଥିବା ପ୍ରକଳ୍ପଗୁଡ଼ିକରେ ସମୁଦାୟ ୧ ଲକ୍ଷ ୩୦ ହଜାର କୋଟି ଟଙ୍କା ବିନିଯୋଗ ହୋଇଛି। ଅଣ-ଏମ୍ଓୟୁ ରୁଟ୍ରେ ୩୩ଟି ପ୍ରକଳ୍ପର ପ୍ରସ୍ତାବ ଆସିଥିଲା। ସେଥି ମଧ୍ୟରୁ ୧୨ଟି ପ୍ରକଳ୍ପରେ ଉତ୍ପାଦନ ଆରମ୍ଭ ହୋଇଛି। ସର୍ଭେରେ କୁହାଯାଇଛି ଯେ ୨୦୧୨-୧୩ରୁ ୨୦୧୬-୧୭ ମଧ୍ୟରେ ରାଜ୍ୟର ମାନୁଫାକ୍ଚରିଂ କ୍ଷେତ୍ର ୮୧.୨୮% ଅଭିବୃଦ୍ଧି ହାସଲ କରିଥିବା ବେଳେ ଖଣି ଓ ଉତ୍ତୋଳନ ଏବଂ ବିଦ୍ୟୁତ କ୍ଷେତ୍ରର ଅଭିବୃଦ୍ଧି ହାର ଯଥାକ୍ରମେ ୬୧.୯୫% ଓ ୩୩.୯୦% ରହିଛି। ୨୦୧୩-୧୪ ଓ ୨୦୧୪-୧୫କୁ ବାଦ ଦେଲେ ଅନ୍ୟ ସବୁ ବର୍ଷ ରାଜ୍ୟର ଶିଳ୍ପ ଅଭିବୃଦ୍ଧି ହାର ବଢ଼ିଛି। ୨୦୧୪-୧୫ ପରଠାରୁ ଶିଳ୍ପ ଅଭିବୃଦ୍ଧି ନିରନ୍ତର ଭାବେ ବଢ଼ିଚାଲିଛି। ରାଜ୍ୟର ମାନୁଫାକ୍ଚରିଂ କ୍ଷେତ୍ରର ଗ୍ରସ୍ ଭାଲ୍ୟୁ ଆଡେଡ୍ (ଜିଭିଏ) ୬୧ ହଜାର ୧୬ କୋଟି ଟଙ୍କା ରହିଛି। ଏହା ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି)ର ୧୬.୨୩% ସହ ସମାନ।
ସର୍ଭେରେ ଉଲ୍ଲେଖ ରହିଛି ଯେ, ଓଡ଼ିଶାରେ ୨୧୩ଟି ବଡ଼ ଶିଳ୍ପ ଥିବା ବେଳେ ୩୯ଟି ମଧ୍ୟମ ଧରଣର ଶିଳ୍ପ ରହିଛି। ରାଜ୍ୟର ୨୨ଟି ଜିଲ୍ଲାରେ ଏହି ସବୁ ଶିଳ୍ପ ପ୍ରତିଷ୍ଠାନ ରହିଛି ଏବଂ ସେଗୁଡ଼ିକରେ ମୋଟ ୯୨,୭୮୬ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ବଡ଼ ଓ ମଧ୍ୟମ ଶିଳ୍ପ ସଂସ୍ଥାରେ ୧ ଲକ୍ଷ ୧୮ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଖଣିଜ ଓ ନନ୍-ଫେରସ୍ ବର୍ଗରେ ସର୍ବାଧିକ ଶିଳ୍ପ ପ୍ରତିଷ୍ଠାନ ରହିଛି। ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍ଏମ୍ଇ)ଗୁଡ଼ିକର ସଂଖ୍ୟା, ନିବେଶ ଓ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୧୬-୧୭ ଶେଷ ସୁଦ୍ଧା ରାଜ୍ୟରେ ସକ୍ରିୟ ଥିବା ଏମ୍ଏସ୍ଏମ୍ଇ ସଂସ୍ଥାଗୁଡ଼ିକ ସଂଖ୍ୟା ୨ ଲକ୍ଷ ୭୨ ହଜାରରେ ପହଞ୍ଚିଯାଇଛି। ସବୁ ସଂସ୍ଥାରେ ମିଳିତ ଭାବେ ୧୩ ହଜାର ୭୨୬ କୋଟି ଟଙ୍କା ବିନିଯୋଗ ହୋଇଛି। ଏମ୍ଏସ୍ଏମ୍ଇ କ୍ଷେତ୍ରରେ ମୋଟ ୧୧ ଲକ୍ଷ ୮୭ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟର ଏମ୍ଏସ୍ଏମ୍ଇ କ୍ଷେତ୍ରର ପାଇଁ ରହିଥିବା ସମସ୍ୟାଗୁଡ଼ିକ ହେଉଛି ନିମ୍ନ ସାକ୍ଷରତା, ଦକ୍ଷତା, ସୁଯୋଗ, ମାର୍କେଟିଂ ଓ ଋଣ ହାସଲ। ଏହି ସବୁ କାରଣ ପାଇଁ ୫୬% ଏମ୍ଏସ୍ଏମ୍ଇ ମରାମତି ଓ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି ହୋଇଛି। ଖାଦ୍ୟ ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରରେ ୧୩% ଏମ୍ଏସ୍ଏମ୍ଇ ରହିଛି। ଇଞ୍ଜିନିୟରିଂ ଓ ମେଟାଲ୍ କ୍ଷେତ୍ରରେ ୬% କ୍ଷୁଦ୍ର ଶିଳ୍ପ ସଂସ୍ଥା ରହିଛି।
ସୁନ୍ଦରଗଡ଼ରେ ସର୍ବାଧିକ ୪୮୪୪ଟି ଏମ୍ଏସ୍ଏମ୍ଇ ରହିଥିବା ବେଳେ ଖୋର୍ଦ୍ଧାରେ ୩୭୦୪ଟି ଓ କଟକରେ ୩୩୭୪ଟି ସଂସ୍ଥା ରହିଛି। ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟର ରପ୍ତାନି ପରିମାଣ ୨୦୧୫-୧୬ରେ ଦୁଇ ଗୁଣ ବୃଦ୍ଧି ପାଇ ୪୦,୭୮୨ କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶାର ରପ୍ତାନିକାରୀମାନେ ମେଟାଲର୍ଜିକାଲ୍, ଖଣିଜ ଉତ୍ପାଦ, ଇଞ୍ଜିନିୟରିଂ/ରାସାୟନିକ ଉତ୍ପାଦ ଓ ସାମୁଦ୍ରିକ ଜୀବ ରପ୍ତାନି କରୁଛନ୍ତି।