ନୂଆଦିଲ୍ଲୀ: ବିଶ୍ବର ପ୍ରମୁଖ ଧନୀ ବ୍ୟକ୍ତି ଗୌତମ ଆଦାନିଙ୍କ ଆଦାନି ଡାଟା ନେଟୱର୍କସ୍ ସମେତ ୪ଟି କମ୍ପାନି ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ୫ଜି ନିଲାମ ଦୌଡ଼ରେ ସାମିଲ ହୋଇଛନ୍ତି। ଆଦାନି ଡାଟା ନେଟୱର୍କସ ସହିତ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ, ସୁନିଲ ଭାରତୀ ମିତ୍ତଲଙ୍କ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଏଥିପାଇଁ ଆବେଦନ କରିଛନ୍ତି। ଆସନ୍ତା ୨୬ ତାରିଖରୁ ୫ଜି ସ୍ପେକ୍ଟ୍ରମର ନିଲାମ ହେବ। ଟେଲିକମ୍ ବିଭାଗ ପକ୍ଷରୁ ଡକାଯାଇଥିବା ନିଲାମ ଆବେଦନ ସଂକ୍ରାନ୍ତ କାଗଜପତ୍ର ଆଜି ଖୋଲାଯିବା ପରେ ଏହା ଜଣାପଡ଼ିଛି। ନିଲାମରେ ମୁକେଶ ଅମ୍ବାନି, ଗୌତମ ଆଦାନିଙ୍କ ଉଦ୍ୟୋଗ ସମେତ ମୋଟ ୪ଟି କମ୍ପାନି ମଧ୍ୟରେ ଜୋରଦାର ପ୍ରତିଯୋଗିତା ହେବ ବୋଲି ଆଶା କରାଯାଉଛି। ୬୦୦ ମେଗାହର୍ଜ, ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୯୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୨୧୦୦ ମେଗାହର୍ଜ, ୨୩୦୦ ମେଗାହର୍ଜ, ୨୫୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍ର ସ୍ପେକ୍ଟ୍ରମ ନିଲାମ ପାଇଁ ଆବେଦନ ମିଳିଛି ବୋଲି ଟେଲିକମ୍ ବିଭାଗ ପକ୍ଷରୁ କୁହାଯାଇଛି। କମ୍ପାନିଗୁଡ଼ିକ ଆସନ୍ତା ୧୯ ତାରିଖ ମଧ୍ୟରେ ସେମାନଙ୍କ ଆବେଦନ ପ୍ରତ୍ୟାହାର କରିବା ସୁଯୋଗ ରହିଛି। ସରକାର ୪.୩ ଲକ୍ଷ କୋଟି ଟଙ୍କାର ମୋଟ ୭୨,୦୯୭.୮୫ ମେଗାହର୍ଜର ସ୍ପେକ୍ଟ୍ରମ ନିଲାମ ପାଇଁ ରଖିଛନ୍ତି।
ନିଲାମର ବିଜେତାମାନେ ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମର ବ୍ୟବହାର କରିବା ସୁଯୋଗ ପାଇବେ। ବିଜେତାମାନଙ୍କ ପାଇଁ ଦେୟ ପ୍ରଦାନ ବ୍ୟବସ୍ଥାକୁ ମଧ୍ୟ ସହଜ କରାଯାଇଛି। ପ୍ରଥମ ଥର ପାଇଁ ସଫଳ ବିଡରଙ୍କୁ ତୁରନ୍ତ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ୨୦ଟି ବାର୍ଷିକ କିସ୍ତିରେ ଏହା ପ୍ରଦାନ କରାଯିବ। ଗତ ସପ୍ତାହରେ ଆଦାନି ଗ୍ରୁପ ପକ୍ଷରୁ କୁହାଯାଇଥିଲା ଯେ କମ୍ପାନି ବନ୍ଦରଠାରୁ ଆରମ୍ଭ କରି ବିମାନ ବନ୍ଦର, ବିଦ୍ୟୁତ ଉତ୍ପାଦନ, ସଂଚରଣ, ବଣ୍ଟନ ଓ ଅନ୍ୟାନ୍ୟ ବ୍ୟବସାୟରେ ରହିଛି। ପ୍ରାଇଭେଟ ନେଟୱର୍କ ସଲ୍ୟୁସନ୍ସ ସେବା ପ୍ରଦାନ ପାଇଁ କମ୍ପାନି ୫ଜି ସ୍ପେକ୍ଟ୍ରମ ନେଟୱର୍କରେ ସାମିଲ ହୋଇଛି ବୋଲି ଆଦାନି ଗ୍ରୁପ କହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/ambani_adani-sixteen_nine.jpg)