ବିଏସ୍‌ଏନ୍‌ଏଲ୍‌କୁ ୪ଜି, ୫ଜି ସ୍ପେକ୍ଟ୍ରମ୍: ୮୯,୦୪୭ କୋଟିର ପୁନରୁଦ୍ଧାର ଯୋଜନା

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କଂପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ପୁନରୁଦ୍ଧାର ଲାଗି ୮୯,୦୪୭ କୋଟି ଟଙ୍କାର ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି। ଘରୋଇ କଂପାନିଗୁଡ଼ିକ ସହ କଂପାନି ଯେଭଳି ପ୍ରତିଦ୍ବନ୍ଦ୍ବିତା କରିପାରିବ ସେଥିପାଇଁ ଏହାକୁ ୪ଜି ଓ ୫ଜି ସ୍ପେକ୍ଟ୍ରମ୍ ଆବଣ୍ଟନ କରାଯିବ। ବିଏସ୍‌ଏନ୍ଏଲ୍‌ ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ୪ଜି ସେବା ପ୍ରଦାନ କରିବ। ହାଇ-ସ୍ପିଡ୍ ଇଣ୍ଟରନେଟ୍ ପାଇଁ ଏହା ଫିକ୍ସଡ୍‌ ଓୟାରଲେସ୍‌ ଆକ୍ସେସ୍ ସୁବିଧା ପ୍ରଦାନ କରିବ।

ଅନୁମୋଦିତ ହୋଇଥିବା ଯୋଜନା ଅନୁସାରେ ବିଏସ୍‌ଏନ୍‌ଏଲ୍‌ର ସ୍ବୀକୃତିପ୍ରାପ୍ତ ପୁଞ୍ଜି ୧,୫୦,୦୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୨,୧୦,୦୦୦ କୋଟି ଟଙ୍କା ହେବ। ଏହି ‌ଯୋଜନା ଜରିଆରେ ବିଏସ୍‌ଏନ୍‌ଏଲ୍‌କୁ ଏକ ସ୍ଥିର ଟେଲିକମ୍ କଂପାନିରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସାରା ଦେଶରେ ୪ଜି ସେବା ପ୍ରଦାନ କରିବା ଲାଗି ନିକଟରେ ଟିସିଏସ୍‌ ସହିତ ବିଏସ୍‌ଏନ୍‌ଏଲ୍‌ ଏକ ବୁଝାମଣା କରିଥିଲା। ‌ପ୍ରମୁଖ ଘରୋଇ ଟେଲିକମ୍ କଂପାନି ଯଥା ଜିଓ, ଏୟାରଟେଲ୍‌, ଭୋଡାଫୋନ୍ ଆଇଡିଆ ଆଦି ୫ଜି ସେବା ପ୍ରଦାନ କରିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ୪ଜି ନେଟ୍‌ୱର୍କ ପ୍ରସ୍ତୁତ କରୁଛି। ଭିତ୍ତିଭୂମି ଦୁର୍ବଳ ଥିବାରୁ ଏହି କଂପାନିଗୁଡ଼ିକ ସହ ବିଏସ୍‌ଏନ୍‌ଏଲ୍‌ ପ୍ରତିଦ୍ବନ୍ଦ୍ବିତାରେ ପଛରେ ରହିଛି।

ସମ୍ବନ୍ଧିତ ଖବର