‌୪ଜି ସ୍ପେକ୍ଟ୍ରମ୍ ନିଲାମ ଆରମ୍ଭ, ପ୍ରଥମ ଦିନରେ ମିଳିଲା ୭୭ ହଜାର କୋଟି

ନୂଆଦିଲ୍ଲୀ: ଟେଲିକମ୍ କଂପାନିଗୁଡ଼ିକ ଲାଗି ଆଜିଠାରୁ ୪ଜି ସ୍ପେକ୍ଟ୍ରମ୍ ନିଲାମ ଆରମ୍ଭ ହୋଇଛି। ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ମଧ୍ୟରେ ସ୍ପେକ୍ଟ୍ରମ୍ କିଣିବା ଲାଗି ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ଆଜି ନିଲାମରୁ ୪୫ ହଜାର କୋଟି ଟଙ୍କା ମିଳିବ ବୋଲି ସରକାର ଆଶା ରଖିଥିଲେ। କିନ୍ତୁ କଂପାନିଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ବଢ଼ିବାରୁ ପ୍ରଥମ ଦିନରେ ୭୭ ହଜାର କୋଟି ଟଙ୍କା ଆୟ ହୋଇଛି। ଏ ସମ୍ପର୍କରେ ଆଜି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ଆଜି ୭୦୦ ଓ ୨୫୦୦ ମେଗାହର୍ଚରେ ‌କୌଣସି ସଂସ୍ଥା ବିଡ୍ ଦାଖଲ କରିନଥିଲେ।

ଅନ୍ୟ ପାଞ୍ଚଟି ବ୍ୟାଣ୍ଡ୍‌ର ୬୦% ‌ସ୍ପେକ୍ଟ୍ରମ୍ ବିକ୍ରି ହୋଇଛି। ୨୩୦୦ ମେଗାହର୍ଚ ବର୍ଗରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଦିନ ୧୦ଟାରୁ ପୁଣି ନିଲାମ ଚାଲିବ। ସ୍ପେକ୍ଟ୍ରମ୍ ହେଉଛି ଏକ ରେଡିଓ ତରଙ୍ଗ ଯାହା ଜରିଆରେ କଂପାନିଗୁଡ଼ିକ ‌ମୋବାଇଲ୍ ସେବା ପ୍ରଦାନ କରୁଛନ୍ତି। ୪ଜି ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକ ପାଖରେ ଯେଉଁ ସ୍ପେକ୍ଟ୍ରମ ଥିଲା ତାହାର ଅବଧି ଶେଷ ହେଉଥିବାରୁ ନୂଆ ସ୍ପେକ୍ଟ୍ରମ୍‌ ନିଲାମ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଟେଲିକମ୍ କଂପାନିଗୁଡ଼ିକ ଲାଗି ୩.୯୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୨୫୧.୨୫ ମେଗାହର୍ଚ ସ୍ପେକ୍ଟ୍ରମ୍ ନିଲାମ କରୁଛନ୍ତି।

ସମ୍ବନ୍ଧିତ ଖବର