ମାର୍ଚ୍ଚରେ ୪ଜି ସ୍ପେକ୍ଟ୍ରମ ନିଲାମ

ନୂଆଦିଲ୍ଲୀ: ଚାରି ବର୍ଷର ବ୍ୟବଧାନ ପରେ କେନ୍ଦ୍ର ସରକାର ପୁଣି ଥରେ ସ୍ପେକ୍ଟ୍ରମ୍ ନିଲାମ କରିବେ। ଏଥର କେବଳ ୪ଜି‌ ସ୍ପେକ୍ଟ୍ରମ ନିଲାମ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ସରକାର ୨୦ ବର୍ଷ ଲାଗି ସ୍ପେକ୍ଟ୍ରମ୍ ଆବଣ୍ଟନ କରିବେ। ଫଳରେ ଟେଲିକମ୍ କଂପାନିଗୁଡ଼ିକ ଦୀର୍ଘମିଆଦୀ ଲକ୍ଷ୍ୟ ରଖି ନିଜର ଯୋଜନା ପ୍ରସ୍ତୁତ କରିପାରିବେ। ଆସନ୍ତା ମାର୍ଚ୍ଚରେ ଏହି ନିଲାମ ହେବ ବୋଲି ପୂର୍ବାନୁମାନ କରାଯାଉଛି। ସରକାର ୭୦୦,୮୦୦, ୯୦୦, ୧୮୦୦, ୨୧୦୦, ୨୩୦୦ ଓ ୨୫୦୦ ମେଗାହର୍ଚରେ ସ୍ପେକ୍ଟ୍ରମ୍ ନିଲାମ କରି ୩,୯୨,୩୩୨.୭୦ କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି।

ସ୍ପେକ୍ଟ୍ରମ ନିଲାମ କରିବାକୁ ମୁକେଶ ଅମ୍ବାନିଙ୍କ ଜିଓ ଦୀର୍ଘ ଦିନରୁ ଦାବି କରୁଥିଲା। କିନ୍ତୁ ସ୍ପେକ୍ଟ୍ରମ୍‌ର ମୂଲ୍ୟକୁ ନେଇ ଏହାର ଅନ୍ୟ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଆପତ୍ତି ଉଠାଇଥିଲେ। ନିଜ ୪ଜି ସେବାରେ ଉନ୍ନତି ଆଣିବା ଲାଗି ୮୦୦ ମେଗାହର୍ଚ ବ୍ୟାଣ୍ଡ୍‌ରେ ଯେତେ ଅଧିକ ସମ୍ଭବ ସେତେ ସ୍ପେକ୍ଟ୍ରମ କିଣିବାକୁ ଜିଓ ଚାହୁଛି। ଏବେ ଜିଓ ପକ୍ଷରୁ ମୁକେଶଙ୍କ ସାନ ଭାଇ ଅନିଲ ଅମ୍ବାନିଙ୍କ ବୁଡ଼ି ଯାଇଥିବା‌ ଟେଲିକମ୍ କଂପାନି ରିଲାଏନ୍ସ କମ୍ୟୁନିକେସନ୍‌ର ୮୦୦ ମେଗାହର୍ଚ ସ୍ପେକ୍ଟ୍ରମ୍ ବ୍ୟବହାର କରାଯାଉଛି। ସେହି ସ୍ପେକ୍ଟ୍ରମ୍‌ର ଲାଇସେନ୍ସ ଆସନ୍ତା ବର୍ଷ ଅଗଷ୍ଟରେ ଶେଷ ହେବ। ତେଣୁ ଜିଓ ପାଇଁ ନୂଆ ସ୍ପେକ୍ଟ୍ରମ୍ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିଲା।

ସମ୍ବନ୍ଧିତ ଖବର