ନୂଆଦିଲ୍ଲୀ: ବ୍ୟବସାୟ ଜଗତ ସହ ଜଡ଼ିତ ୪୦ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କୁ ନେଇ ଫର୍ଚ୍ୟୁନ ମାଗାଜିନ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୪୦ ଜଣ ପ୍ରଭାବଶାଳୀ ଅଧିକାରୀଙ୍କ ମଧ୍ୟରେ ୪ ଜଣ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ରହିଛନ୍ତି। ଏହି ୪ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଅଧିକାରୀ ହୋଇଥିବା ବେଳେ ୩ ଜଣ ମହିଳା ଅଧିକାରୀ ବା ଉଦ୍ୟୋଗୀ ରହିଛନ୍ତି। ତେବେ ଫର୍ଚ୍ୟୁନ୍ ପକ୍ଷରୁ ପ୍ରସ୍ତୁତ ଏହି ତାଲିକାର ଶୀର୍ଷରେ ଫେସ୍ବୁକ୍ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ (୩୪ ବର୍ଷ) ଏବଂ ଇନ୍ଷ୍ଟାଗ୍ରାମ୍ର ପ୍ରତିଷ୍ଠାତା କେବିନ୍ ସିଷ୍ଟ୍ରମ୍ (୩୪ ବର୍ଷ) ଯୁଗ୍ମଭାବେ ରହିଛନ୍ତି। ଆମେରିକାର ପ୍ରମୁଖ ଅଟୋମୋବାଇଲ କମ୍ପାନି ଜେନେରାଲ ମୋଟର୍ସର ମୁଖ୍ୟ ଆର୍ଥିକ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଉପସଭାପତି ତଥା ଭାରତୀୟ ବଂଶୋଦ୍ଭବ ମହିଳା ଦିବ୍ୟା ସୂର୍ଯ୍ୟଦେବରା ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ୩୯ ବର୍ଷ ବୟସ୍କା ଦିବ୍ୟା ହେଉଛନ୍ତି ଜେନେରାଲ ମୋଟର୍ସର ପ୍ରଥମ ମହିଳା ସିଏଫଓ। ଦିବ୍ୟାଙ୍କ ଜନ୍ମ ଚେନ୍ନାଇରେ। ୪୦ ବର୍ଷରୁ କମ୍ ବୟସର ଅନ୍ୟ ଭାରତୀୟ ବଂଶୋଦ୍ଭବ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଭିଡିଓ ସେୟାରିଂ େଓ୍ଵବସାଇଟ୍ ବିମେୟୋର ସିଇଓ ଅଞ୍ଜଳି ସୁଦ୍ ରହିଛନ୍ତି। ସେ ତାଲିକାର ୧୪ତମ ସ୍ଥାନରେ ରହିଛନ୍ତି। ୩୪ ବର୍ଷୀୟା ଅଞ୍ଜଳି ପ୍ରଥମେ କମ୍ପାନିର ମାର୍କେଟିଂ ମୁଖ୍ୟ ଭାବେ ଯୋଗଦେଇଥିଲେ। ଗତବର୍ଷ ସେ କମ୍ପାନିର ସିଇଓ ହୋଇଛନ୍ତି। ସେହିଭଳି ରବିନହୁଡ୍ କମ୍ପାନିର ସହ ପ୍ରତିଷ୍ଠାତା ତଥା କୋ-ସିଇଓ ଭାବେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ବୈଜୁ ଭଟ୍ଟ ୨୪ତମ ସ୍ଥାନରେ ରହିଛନ୍ତି। ୩୪ ବର୍ଷ ବୟସ୍କ ବୈଜୁ ୨୦୧୩ରେ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନି ରବିନହୁଡ୍ ସ୍ଥାପନ କରିଥିଲେ। ୫ବର୍ଷ ମଧ୍ୟରେ ଏହା ୫.୬ ବିଲିଅନ ଡଲାରର କମ୍ପାନିରେ ପରିଣତ ହୋଇପାରିଛି। ଚଳିତବର୍ଷ ଏହି କମ୍ପାନି ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସି ବ୍ୟବସାୟ ଆରମ୍ଭ କରିଛି। ଏମାନଙ୍କ ବ୍ୟତୀତ ୩୨ ବର୍ଷ ବୟସ୍କା ଅନୁ ଡୁଗଲ୍ ନାମ୍ନୀ ଭାରତୀୟ ବଂଶୋଦ୍ଭବ ମଧ୍ୟ ଏହି ତାଲିକାର ୩୨ତମ ସ୍ଥାନରେ ରହିଛନ୍ତି। ମହିଳାମାନଙ୍କ ନେତୃତ୍ୱରେ ଗଢ଼ି ଉଠୁଥିବା କମ୍ପାନି ଗୁଡ଼ିକୁ ପାଣ୍ଠି ଯୋଗାଇ ଦେବା ପାଇଁ ଅନୁ ୨୦୧୪ରେ ଫିମେଲ ଫାଉଣ୍ଡର୍ସ ଫଣ୍ଡ୍ ନାମରେ ଏକ କମ୍ପାନି ଆରମ୍ଭ କରିଛନ୍ତି ଏବଂ ଏହା ସଫଳତା ହାସଲ କରିଛି।
୪୦ ଜଣଙ୍କ ମଧ୍ୟରେ ୪ ଭାରତୀୟ ବଂଶୋଦ୍ଭବ
୪୦ ବର୍ଷରୁ କମ୍ ବୟସର ପ୍ରଭାବଶାଳୀ ବ୍ୟବସାୟୀ
/sambad/media/post_attachments/wp-content/uploads/2018/07/DHIVYA-SURYADEVARA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)