ଭୁବନେଶ୍ବର: ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)ର ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁଧୀନ୍ଦ୍ର ନାଥ ପଣ୍ଡାଙ୍କ ଅଭିବାଦନ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଂଜୀବ କୁମାର ରାଉତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଥିଲେ। ସିଜିୟୁ କ୍ୟାମ୍ପସ ମଧ୍ୟରେ ଏକ ଷ୍ଟାର୍ଟଅପ୍ ଇକୋସିଷ୍ଟମ କରିବା ପାଇଁ ଶ୍ରୀ ରାଉତଙ୍କ ଅଦମ୍ୟ ପ୍ରତିବଦ୍ଧତା ରହିଛି। ଶ୍ରୀ ରାଉତ ୨୬ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଏବଂ ଦୁଇଟି ବ୍ୟବସାୟ ଇନକ୍ୟୁବେଟର ସିଭିଇସିଇ ଟିଆଇଏଫ୍ ଏବଂ ଏଆଇସି ସିଭିଆର୍ସିଇଏଫ୍ ଉପରେ ଆଲୋକପାତ କରିଥିଲେ।
ଛାତ୍ର ଉଦ୍ୟୋଗୀ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କୁ ସହାୟତା ପ୍ରଦାନ କରି ଆତ୍ମନିର୍ଭରଶୀଳ କାର୍ଯ୍ୟକୁ ଉତ୍ସାହିତ କରିବାରେ ନିରନ୍ତର ଭାବରେ ସିଜିୟୁ ଇନକ୍ୟୁବେଟର ଉଦ୍ୟମ କରିବ ବୋଲି ଶ୍ରୀ ରାଉତ କହିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାମାଜିକ ଉଦ୍ୟୋଗୀ ତଥା ଅଗ୍ରଣୀ ନିବେଶକ ନାଗରାଜ ପ୍ରକାଶ ଯୋଗ ଦେଇଥିଲେ। ଶ୍ରୀ ନାଗରାଜଙ୍କର ଏକ ପୁସ୍ତକ ‘ବ୍ୟାକ୍ ଟୁ ଭାରତ’ର ଉନ୍ମୋଚନ କରିଥିଲେ। ଏହି ଅବସରରେ ଉଦ୍ୟମୀ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ସହିତ ଆଲୋଚନା କରିଥିଲେ। ସିଜିୟୁ ଦ୍ବାରା ପ୍ରୋତ୍ସାହିତ କିଛି ଷ୍ଟାର୍ଟଅପ୍ ବୋନଭି, ଶୈଳଜା ଅର୍ଗାନିକ୍ସ, ଅର୍ଗାନାପୋନିକ୍ସ, ଭିଲାମାର୍ଟ, ନନ୍ଦିଘୋଷ ରୋଡେକ୍ସ, ଚକୋଲାକା, ଇଟବାର, ଗୁଡନେସବେକ, ସ୍କାଇ କିଚେନ ଆଦି ସେମାନଙ୍କର ଅଭିନବ ଉତ୍ପାଦଗୁଡ଼ିକର ପ୍ରଦର୍ଶନ କରିଥିଲେ। ସିଜିୟୁର ଛାତ୍ର ଉଦ୍ୟମୀ ଅଭିଜିତ, ଆକାଶ ଓ ଆୟୁଷଙ୍କ ଜୈବ ଇନ୍ଧନ ପ୍ରକଳ୍ପ ପ୍ରଶଂସିତ ହୋଇଥିଲା।