ଭୁବନେଶ୍ବର: ସମ୍ବାଦ ପକ୍ଷରୁ ହୋଟେଲ ମେ ଫେୟାର ପରିସରରେ ଶନିବାର ଆୟୋଜିତ ‘ଓଡ଼ିଶା ୫୦’ରେ ୫ ଜଣ ଆମ୍‌ୱେ ବିଜ୍‌ନେସ୍‌ ଓନର୍ସ (ଏବିଓ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନିଷ୍ଠା ଓ ଅଧ୍ୟବସାୟ ବଳରେ ନିଜେ ଆଗକୁ ବଢ଼ିବା ସହିତ ଅନ୍ୟ ମହିଳାମାନଙ୍କୁ ସଶକ୍ତ କରିଥିବା ଏହି ମହିଳାମାନେ ହେଉଛନ୍ତି: 

Advertisment

ରଶ୍ମିତା ମହାନ୍ତି
ରଶ୍ମିତା ମହାନ୍ତି ଜଣେ ଜଣାଶୁଣା ପ୍ରଫେସନାଲ। ନ୍ୟୁୟର୍କ ବିଶ୍ବବିଦ୍ୟାଳୟରୁ ସେ ଶିକ୍ଷା ନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ଜାତିସଂଘ ଏବଂ ଭାରତର ସଂସଦରେ କାର୍ଯ୍ୟ କରିଥିବା ରଶ୍ମିତାଙ୍କର ନୀତି, ଶାସନ ଏବଂ ସାମାଜିକ ପ୍ରଭାବ କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି। ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବା ଦୃଷ୍ଟିକୋଣ ନେଇ ସେ ଉଦ୍ୟୋଗ ଏବଂ ୱେଲନେସ୍‌ କ୍ଷେତ୍ରରେ ପ୍ରବେଶ କରିଥିଲେ। ସେ ତାଙ୍କ ବାପା ସ୍ବର୍ଗତଃ ରାଖାଲ ମହାନ୍ତିଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଆମ୍‌ୱେରେ ଯାତ୍ରା ଆରମ୍ଭ କରି ସାଧୁତା, ସେବା ଏବଂ ସଶକ୍ତୀକରଣର ମୂଲ୍ୟବୋଧକୁ ଧରି ରଖିଛନ୍ତି।  ସେ ସମ୍ମାନଜନକ ଫାଉଣ୍ଡର୍ସ ଡବଲ ଡାଏମଣ୍ଡ୍‌ ଲେଭେଲ୍‌ ସ୍ତର ହାସଲ କରିପାରିଛନ୍ତି। ମହିଳାମାନଙ୍କର ଆର୍ଥିକ ସ୍ବାଧୀନତା ଏବଂ ସଶକ୍ତୀକରଣର ସେ ଜଣେ ଦୃଢ଼ ସମର୍ଥକ। ମହିଳାମାନଙ୍କୁ ସେ ବଡ଼ ସ୍ବପ୍ନ ଦେଖିବାକୁ, ‌ଆତ୍ମବିଶ୍ବାସୀ ହେବା ଏବଂ ଜ‌ୀବନରେ ଲକ୍ଷ୍ୟ ରଖି ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇ ଆସୁଛନ୍ତି। 

ଡା. ଜୟଶ୍ରୀ ରଥ 
ଡା. ଜୟଶ୍ରୀ ରଥଙ୍କ ଜନ୍ମ ଓ ପାଠପଢ଼ା ଭୁବନେଶ୍ବରରେ। ପିଲାଦିନୁ ସେ କଠିନ ପରିଶ୍ରମୀ, ସକାରାତ୍ମକ ଚିନ୍ତାଧାରାରେ ବିଶ୍ବାସ କରିବା ସହିତ ବଡ଼ ସ୍ବପ୍ନ ଦେଖିଥାନ୍ତି। ସ୍କୁଲରେ ସେ ଶ୍ରେଷ୍ଠ ଅଲରାଉଣ୍ଡର, ନୂଆଦିଲ୍ଲୀରେ ଆର୍‌ଡିସି ‌ତାଲିମ ଶିବିରରେ ଶ୍ରେଷ୍ଠ ଏନ୍‌ସିସି କ୍ୟାଡେଟ୍ ପୁରସ୍କାର ପାଇଥିଲେ।  ଆଇଏସ୍‌ସି ପଢ଼ିବା ସମୟରେ ଦେଶର ଶ୍ରେଷ୍ଠ ମହିଳା ଘୋଡ଼ା ଚଢ଼ାଳି ଭାବେ ତାଙ୍କୁ ସାଧାରଣତନ୍ତ୍ର ଦିବସରେ ସମ୍ମାନଜନକ ରାଷ୍ଟ୍ରପତିଙ୍କ ସ୍ବର୍ଣ୍ଣ ପଦକ ମିଳିଥିଲା। ଏମ୍‌କେସିଜି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଡିଗ୍ରି ପରେ ସେ ବିବାହ କରି ବାଲେଶ୍ବର ଯାଇ ଆଇଟିଆର୍‌ ଚାନ୍ଦିପୁରରେ ମେଡିକାଲ ଅଫିସରଭାବେ କାର୍ଯ୍ୟ କରିଥିଲେ। ଅଲ୍ଟ୍ରାସୋନୋଗ୍ରାଫିରେ ତାଲିମ ନେବା ପରେ ସେ ବା‌ଲେଶ୍ବରରେ ନିଜର କ୍ଲିନିକ ଆରମ୍ଭ କରିଥିଲେ। ସେହି ସମୟରେ ସେ ଆମ୍‌ୱେର ପ୍ରତ୍ୟକ୍ଷ ବିକ୍ରି ବ୍ୟବସାୟ ଜରିଆରେ ଉଦ୍ୟୋଗୀ ହେବା ପାଇଁ ଏକ ଦୃଢ଼ ନିଷ୍ପତ୍ତି ନେଇଥିଲେ। ଜଣେ ସଫଳ ମହିଳା ଉଦ୍ୟୋଗୀଭାବେ ସେ ଆମୱେର ଫାଉଣ୍ଡର ଡାଏମଣ୍ଡ୍‌ ସ୍ତରରେ ପହଞ୍ଚି ପାରିଛନ୍ତି। 

ଶାନ୍ତା ରଥ
ଶାନ୍ତା ରଥ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅଣନାତୁଣୀ। ସେ ମଧ୍ୟ ଗୋପବନ୍ଧୁଙ୍କ ଜନ୍ମ ତାରିଖ (ଅକ୍ଟୋବର ୯)ରେ ‌ଜନ୍ମ ହୋଇଛନ୍ତି। ପିଲାଦିନୁ ‌ସେ ଲୋକଙ୍କୁ ସେବା ଯୋଗାଇବାରେ ଆଗ୍ରହୀ। ବିବାହ ପରେ ସ୍ବାମୀ ଓ ପୁଅଙ୍କ ସମର୍ଥନରେ ଏହି କାର୍ଯ୍ୟ ଜାରି ରହିଛି। ବୟସ୍କ ବ୍ୟକ୍ତିମାନଙ୍କୁ ମାନସିକ ଓ ଶାରୀରିକ ସହାୟତା ଦେବାଲାଗି ସେ ନିଜ ଅଞ୍ଚଳରେ ‘ସୃଜନିକା’ ନାମରେ ଏକ ମହିଳା ସାମାଜିକ ସଂଗଠନ ଗଢ଼ିଛନ୍ତି। ସମାଜରେ ମହିଳାମାନଙ୍କୁ ସେମାନଙ୍କ ସାମର୍ଥ୍ୟ ହାସଲ ଦିଗରେ ସହଯୋଗ କରୁଛନ୍ତି। ଆର୍ଥିକ କ୍ଷମତା ହିଁ ମହିଳା ସଶକ୍ତୀକରଣ କ୍ଷେତ୍ରର ପ୍ରମୁଖ ଚାବିକାଠି ବୋଲି ସଚେତନତାର ବାର୍ତ୍ତା ପ୍ରଚାର କରିଆସୁଛନ୍ତି। ସାମାଜିକ ଓ ଆର୍ଥିକ ପ୍ରତିବନ୍ଧ ସତ୍ତ୍ବେ ଆମୱେ ତାଙ୍କୁ ଏ ଦିଗରେ ପର୍ଥ ପ୍ରଦର୍ଶନ କରିଛି। ନିଜ ପାଇଁ ସଂପତ୍ତି ସୃଷ୍ଟି କରିବା ସହିତ ନିଜ ଜରିଆରେ ପ୍ରାୟ ୨୦୦ ମହିଳାଙ୍କୁ ସେ ଲାଭ ପହଞ୍ଚାଇ ପାରିଛନ୍ତି। ୨୦୨୦ ମସିହାରେ ଭାରତ ସରକାରଙ୍କ ଦ୍ବାରା ତାଙ୍କର କାର୍ଯ୍ୟକୁ ସ୍ବୀକୃତି ଦିଆଯାଇ ପୁରସ୍କୃତ କରାଯାଇଛି। 

ସୁସ୍ମିତା ପଣ୍ଡା
ସୁସ୍ମିତା ପଣ୍ଡା ଜଣେ ଗୃହିଣୀ ଏବଂ ଉଦ୍ୟୋଗୀ। ସେ ନିଜ ଜୀବନରେ ପରିବର୍ତ୍ତନ ଆଣିବା ସହିତ ସମାଜରେ ଅର୍ଥପୂର୍ଣ୍ଣ ପ୍ରଭାବ ପକାଇଛନ୍ତି। ଜଣେ ସାଧାରଣ ଗୃହିଣୀରୁ ସଫଳ ଉଦ୍ୟୋଗୀ ଏବଂ ସମାଜସେବୀ ହେବା ଫଳରେ ତାଙ୍କ ଜୀବନ ଅନେକଙ୍କୁ ପ୍ରେରଣା ଦେଇଛି। ସୁସ୍ମିତା ଉଦ୍ୟୋଗୀ ହେବା ପାଇଁ ମନ ବଳାଇଲେ। ମହିଳାମାନଙ୍କ ସଶକ୍ତୀକରଣ ଏବଂ ସ୍ବାସ୍ଥ୍ୟସେବାକୁ ଧ୍ୟାନ ଦେଇ ବ୍ୟବସାୟ ଆରମ୍ଭ କଲେ। ବ୍ୟବସାୟ ଦ୍ବାରା ସେ କେବଳ ଝିଅ ଓ ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କଲେ ନାହିଁ ବରଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଥିଲେ। ତାଙ୍କର ଅକ୍ଳାନ୍ତ ପରିଶ୍ରମ ଅନେକ ଲୋକଙ୍କ ଜୀବନରେ ବଡ଼ଧରଣର ପରିବର୍ତ୍ତନ ଆଣିଛି ଏବଂ ଏହା ନିଶ୍ଚିତଭାବେ ପ୍ରଶଂସନୀୟ। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଜଣେ ନିଜର ଲକ୍ଷ୍ୟ ହାସଲ କରିବା ସହିତ ସକାରାତ୍ମକ ପ୍ରଭାବ ସୃଷ୍ଟି କରିପାରିଥାନ୍ତି ବୋଲି ସୁସ୍ମିତାଙ୍କ ଜୀବନ ଯାତ୍ରାରୁ ପ୍ରମାଣ ମିଳିଥାଏ। 

ମନୋରମା ରାୟ
ଭୁବନେଶ୍ବରରେ ଜନ୍ମ ସହ ଲାଳନପାଳନ ହୋଇଥିବା ମନୋରମା ରାୟ ରମାଦେବୀ ମହିଳା କଲେଜରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ନିଜ ଜୀବନରେ ପରିବର୍ତ୍ତନ ଆଣିବାର ସାମର୍ଥ୍ୟ ମହିଳାଙ୍କ ମଧ୍ୟରେ ରହିଛି ବୋଲି ମନୋରମାଙ୍କର ଦୃଢ଼ ବିଶ୍ବାସ ରହିଛି। ଏହାକୁ ପାଥେୟ କରି ସେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ବାଧୀନ କରିବା କାମରେ ଲାଗି ପଡ଼ିଲେ। କମ୍‌ ପୁଞ୍ଜିରେ ଘରୁ ବ୍ୟବସାୟ ଆରମ୍ଭ କରିବା ପାଇଁ ସେ ମହିଳାମାନଙ୍କୁ କହିଲେ। ତାଲିମ ଓ ପରାମର୍ଶ ପ୍ରଦାନ କରି ମହିଳାମାନଙ୍କ ଔଦ୍ୟୋଗିକ ଦକ୍ଷତା ବଢ଼ାଇଲେ। ପାରିବାରିକ ଦାୟିତ୍ବ ସମ୍ଭାଳିବା ସହିତ ନିଜକୁ ଆର୍ଥିକ ଦୃଷ୍ଟିରୁ ସ୍ବାଧୀନ ହେବା ପାଇଁ ପରାମର୍ଶ ଦେଇ ଚାଲିଲେ। ନିଜର ଆବେଗ, ଅଧ୍ୟବସାୟ ଏବଂ ପ୍ରତିବଦ୍ଧତା ବଳରେ ‌ମନୋରମା ଆମୱେରେ ସମ୍ମାନଜନକ ଫାଉଣ୍ଡର୍ସ ଏମରାଲ୍ଡ ସ୍ତର ହାସଲ କରିପାରିଛନ୍ତି।