ନୂଆଦିଲ୍ଲୀ: ଗହମ ଓ ଚାଉଳର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) କମ୍ ଦର୍ଶାଉଥିବା ନେଇ ପାଞ୍ଚଟି ଦେଶ ଭାରତ ବିରୋଧରେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ଅଭିଯୋଗ କରିଛନ୍ତି। ସେହି ଦେଶଗୁଡ଼ିକ ହେଉଛି ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଆର୍ଜେଣ୍ଟିନା ଓ ୟୁକ୍ରେନ୍।  ନ୍ୟୁଜିଲ୍ୟାଣ୍ଡ, ୟୁରୋପୀୟ ସଂଘ ଓ ଉରୁଗୁଏ ତାହାକୁ ସମର୍ଥନ କରିଛନ୍ତି। ତେବେ ଏହି ଅଭିଯୋଗକୁ ଭାରତ ଦୃଢ଼ ଭ‌ାବେ ଖଣ୍ଡନ କରିଛି। ଯେଉଁ ଡବ୍ଲୁଟିଓ ନିୟମ ଆଧାରରେ ଏହି ବ୍ୟାଖ୍ୟା କରାଯାଇଛି ତାହା ଠିକ୍ ନୁହେଁ ଏବଂ କିଛି ହାତଗଣତି ବିଷୟ ବିଚାରକୁ ନେଇ ନିର୍ଯ୍ୟାସ ବାହାର କରାଯାଇଥିବା ଭାରତ କହିଛି। ଡବ୍ଲୁଟିଓର କୃଷି କମିଟିରେ ଏହି ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଥିଲା। ସମସ୍ତ ଅଭିଯୋଗକୁ ଭାରତୀୟ ପ୍ରତିନିଧି ବିଭ୍ରାନ୍ତିକର ବୋଲି କହିଥିଲେ। ଚଳିତ ମାସ ୧୧ରେ ପାଞ୍ଚଟି ଦେଶ ଭାରତ ବିରୋଧରେ ଏହି ଅଭିଯୋଗ ଆଣିଥିଲେ। ସେମାନେ ୨୦୨୧-୨୩ ପର୍ଯ୍ୟନ୍ତର ଦୁଇ ବର୍ଷ ତଥ୍ୟ ଆଧାରରେ ଏହି ଅଭିଯୋଗ କରିଥିଲେ। 

Advertisment

ଏମ୍‌ଏସ୍‌ପି କମ୍ ଦର୍ଶାଉଥିବା ଅଭିଯୋଗ
ଭାରତର ଖଣ୍ଡନ

ଡବ୍ଲୁଟିଓ ନିୟମ ଅନୁସାରେ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଉତ୍ପାଦନ ମୂଲ୍ୟ ଉପରେ ୧୦ ପ୍ରତିଶତ ଅଧିକ ରାଶିକୁ ସର୍ବନିମ୍ନ ସହାୟକ ମୂଲ୍ୟ ଭାବେ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ତେବେ ଭାରତ ବିରୋଧରେ ଅଭିଯୋଗ ହୋଇଛି ଯେ ଏହା ଚାଉଳ ଉପରେ ଉତ୍ପାଦନ ମୂଲ୍ୟଠାରୁ ୮୭ ପ୍ରତିଶତ ଅଧିକ ଓ ଗହମରେ ୬୭-୭୫ ପ୍ରତିଶତ ଅଧିକ ମୂଲ୍ୟ ଦେଉଛି। ଏମ୍ଏସ୍‌ପି ନିୟମ କୋହଳ କରିବା ଲାଗି ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକ ଦାବି କରୁଛନ୍ତି। କୋଟି କୋଟି ଭୋକିଲା ଲୋକମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଲାଗି ଏହା ଜରୁରୀ ବୋଲି ସେମାନେ ଦାବି କରିଥିଲେ। ତାହାକୁ ନେଇ ୨୦୧୩ରେ ବାଲିଠାରେ ଅନୁଷ୍ଠିତ ଡବ୍ଲୁଟିଓର ମନ୍ତ୍ରୀସ୍ତରୀୟ ବୈଠକରେ ଏକ ଶାନ୍ତି ଚୁକ୍ତି ହୋଇଥିଲା ଯେଉଁଥିରେ ଏଭଳି ଦେଶଗୁଡ଼ିକ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଯାଇଥିଲା। କିନ୍ତୁ ଭାରତ ଓ ଅନ୍ୟ ବିକାଶୀଳ ଦେଶଗୁଡ଼ିକ ଏହାର ଏକ ସ୍ଥାୟୀ ସମାଧାନ ଦାବି କରୁଛନ୍ତି। ଭାରତ ସରକାର ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଦେଶର ୮୦ କୋଟି ଲୋକଙ୍କ ନିକଟରେ ମାଗଣା‌ରେ ଖାଦ୍ୟଶସ୍ୟ ପହଞ୍ଚାଉଛନ୍ତି। ଭାରତ ଏହାର କୃଷି କ୍ଷେତ୍ରକୁ ଅନ୍ୟମାନଙ୍କ ଲାଗି ଖୋଲୁ ବୋଲି ବିକଶିତ ଦେଶଗୁଡ଼ିକ ଚାହୁଥି‌ବା ବେଳେ ଭାରତ କିନ୍ତୁ ସେହି ସୁଯୋଗ ଦେଉନାହିଁ।