ନୂଆଦିଲ୍ଲୀ: ଶିକ୍ଷା ଏଭଳି ଏକ କ୍ଷେତ୍ର ଯାହା ଦେଶର ଭବିଷ୍ୟତ ପିଢ଼ି ଗଠନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଭାରତରେ ମୋଟ ବଜେଟ୍ର ଯେତିକି ଅର୍ଥ ଏହି କ୍ଷେତ୍ରକୁ ଦିଆଯାଉଛି ତାହା ଯଥେଷ୍ଟ ନଥିବା ବାରମ୍ବାର ଅଭିଯୋଗ ହେଉଛି। ପ୍ରବେଶିକା ପରୀକ୍ଷାରେ ବିଭ୍ରାଟକୁ ନେଇ ସାରା ଦେଶ ହୁଲୁସ୍ତୁଲ ହେଉଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ବଜେଟ୍ ଆସୁଥିବାରୁ, ଶିକ୍ଷା କ୍ଷେତ୍ର ପ୍ରତି ସରକାରଙ୍କ କ’ଣ ଆଭିମୁଖ୍ୟ ରହିଛି ତାହା ଜାଣିବାକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଅନ୍ୟ ପକ୍ଷରେ ଡିଗ୍ରି ଧରି ବୁଲୁଥିବା ଯୁବକଯୁବତୀଙ୍କ ସଂଖ୍ୟା ଦେଶରେ ବହୁତ ଥିବା ବେଳେ ଦକ୍ଷତା ଅଭାବରୁ ସେମାନଙ୍କୁ ଚାକିରି ମିଳୁନଥିବା ଆଉ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ରେ ଏଥିପ୍ରତି ସରକାର ଧ୍ୟାନ ଦେବେ ବୋଲି ଆଶା କରାଯାଉଛି। ଶିକ୍ଷା କ୍ଷେତ୍ରକୁ ଆବଣ୍ଟନ କରାଯାଉଥିବା ରାଶି ମୋଟ ଘରୋଇ ଉତ୍ପାଦର ୨.୯ ପ୍ରତିଶତ ରହିଛି। ବିଶ୍ବସ୍ତରରେ ଏହି ହାର କିନ୍ତୁ ୬ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ପୂର୍ଣ୍ଣାଙ୍ଗ ବଜେଟ୍ରେ ଶିକ୍ଷା କ୍ଷେତ୍ରର ବ୍ୟୟବରାଦ ବଢ଼ାଇବା, ଭିତ୍ତିଭୂମି ସୁଦୃଢ଼ କରିବା ଓ ଦକ୍ଷତା ବିକାଶ ଉପରେ ଜୋର ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ଫି’ ଉପରୁ କମିପାରେ ଜିଏସ୍ଟି
ଦକ୍ଷତା ବିକାଶ ଉପରେ ରହିବ ନଜର
ବଜେଟ୍ରେ ନିମ୍ନ ଆୟବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ନାମଲେଖା ଓ ଅନ୍ୟାନ୍ୟ ଫି’ ଉପରୁ ଜିଏସ୍ଟି କମ୍ କରିବାକୁ ଦାବି ହୋଇଛି। ସୁବିଧାରେ ଶିକ୍ଷା ଋଣ ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରିବା, ଶିକ୍ଷକମାନଙ୍କ ଲାଗି ତାଲିମ ଓ ବିକାଶ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା, ବାଲ୍ୟ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣିବା, ଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ପ୍ରଯୁକ୍ତିକୁ ବ୍ୟାପକ ଭାବେ ବ୍ୟବହାର କରିବା, ଶିକ୍ଷାର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ଲାଗି ବଜେଟ୍ରେ ପଦକ୍ଷେପ ଗ୍ରହଣ କରିବାକୁ ବିଶେଷଜ୍ଞମାନେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
ଚଳିତ ବର୍ଷ ଫେବ୍ରୁଆରିରେ ଉପସ୍ଥାପନ ହୋଇଥିବା ୨୦୨୪-୨୫ର ଅନ୍ତରୀଣ ବଜେଟ୍ରେ ଶିକ୍ଷା ମନ୍ତ୍ରଣାଳୟ ପାଇଁ ୧,୨୦,୬୨୭.୮୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ୨୦୨୩-୨୪ର ୧,୧୨,୮୮୯.୪୭ କୋଟି ଟଙ୍କା ତୁଳନାରେ ତାହା ୬.୮ ପ୍ରତିଶତ ଅଧିକ ଥିଲା। ତେବେ ୟୁଜିସି ବ୍ୟୟବରାଦକୁ ପାଖାପାଖି ଅଧା ହ୍ରାସ କରି ୨୫୦୦ କୋଟି ଟଙ୍କା ଦିଆଯାଇଥିଲା। ପୂର୍ବବର୍ଷ ୟୁଜିସିକୁ ୫୩୬୦ କୋଟି ଟଙ୍କା ଦିଆଯାଇଥିଲା। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଅନୁଦାନ ରାଶିକୁ ୪୦୦୦ କୋଟି ଟଙ୍କାରୁ ବଢ଼ାଇ ୧୫,୯୨୮ କୋଟି ଟଙ୍କା କରାଯାଇଥିଲା। ଉତ୍କର୍ଷ ଅନୁଷ୍ଠାନ ପାଇଁ ୧୮୦୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଗବେଷଣା ଓ ନବସୃଜନ ବାବଦକୁ ୩୫୫ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ସର୍ବ ଶିକ୍ଷା ଅଭିଯାନ ପାଇଁ ୩୭,୫୦୦ କୋଟି ଟଙ୍କା, ପିଏମ୍ ପୋଷଣ ସ୍କିମ୍ ଲାଗି ୧୨,୪୬୭ କୋଟି ଟଙ୍କା ଏବଂ ପିଏମ୍ ଶ୍ରୀ ଯୋଜନା ପାଇଁ ୬୦୫୦ କୋଟି ଟଙ୍କା ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/gdjgdgjdgjyy.jpg)