୫ ଲକ୍ଷ କୋଟି ଅର୍ଥନୀତିର ସ୍ବପ୍ନ, ଦରକାର ୧୦୦ ଲକ୍ଷ କୋଟିର ନିବେଶ

୧୫୮ ଦେଶର ଅର୍ଥନୀତି ମିଶିଲେ ଭାରତଠୁ ଛୋଟ ହେବ

ନୂଆଦିଲ୍ଲୀ: ଅର୍ଥନୀତି ବିଶାରଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ପର୍ଯ୍ୟନ୍ତ ସବୁ ଆଡ଼େ ‘୫ ଟ୍ରିଲିଅନ ଡଲାର ଅର୍ଥନୀତି’କୁ ନେଇ ଚର୍ଚ୍ଚା ଚାଲିଛି। ବାରାଣାସୀରେ ଆଜି ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ‘୫ ଟ୍ରିଲିଅନ’ (୫ ଲକ୍ଷ କୋଟି) ବିଷୟରେ କହିଥିଲେ। ଆଗାମୀ ପାଞ୍ଚ ବର୍ଷ ଭିତରେ ଭାରତୀୟ ଅର୍ଥନୀତିର ଆକାର ନିଶ୍ଚିତ ପାଞ୍ଚ ଟ୍ରଲିଅନ୍ ଡଲାର ହୋଇଯିବ ବୋଲି ସେ ବିଶ୍ବାସ ପ୍ରକଟ କରିଛନ୍ତି। ଏକ ଟ୍ରିଲିଅନ ହେଉଛି ଏକ ଲକ୍ଷ କୋଟି ସହ ସମାନ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୧୦୦ ଲକ୍ଷ କୋଟି ଟଙ୍କାର ନିବେଶ କରିବାକୁ ପଡ଼ିବ। ଏହା ବ୍ୟତୀତ ନୀତି ନିୟମରେ ଅନେକ ପରିବର୍ତ୍ତନ ଆଣିବାକୁ ହେ‌ବ ଏବଂ ଅଭିବୃଦ୍ଧି ବଢ଼ାଇବା ପାଇଁ କିଛି ନିର୍ଦିଷ୍ଟ କ୍ଷେତ୍ରକୁ ଚୟନ କରିବାକୁ ପଡ଼ିବ। ଭାରତୀୟ ମୁଦ୍ରାରେ ଯଦି ପାଞ୍ଚ ଟ୍ରିଲିଅନ ଡଲାରକୁ ବର୍ତ୍ତମାନର ଡଲାର ଦର ଅନୁସାରେ ବିନିୟମ କରାଯିବ ତେବେ ତାହା ୩୫୦ ଲକ୍ଷ କୋଟି ଟଙ୍କା ହେବ। ଏହି ଲକ୍ଷ୍ୟକୁ ୨୦୨୪ ସୁଦ୍ଧା ସରକାରଙ୍କୁ ହାସଲ କରିବାକୁ ହେବ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ବର୍ଷକୁ ହାରାହାରି ୮% ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ସେହି ଲକ୍ଷ୍ୟ ନିକଟରେ ପହଞ୍ଚିବାକୁ ହେଲେ ବିପୁଳ ପରିମାଣର ନିବେଶ କରିବାକୁ ପଡ଼ିବ।
ଗତ ପାଞ୍ଚ ବର୍ଷ ଭିତରେ ଭାରତୀୟ ଅର୍ଥନୀତିର ଆକାର ଏକ ଲକ୍ଷ କୋଟି ଡଲାର ବୃଦ୍ଧି ପାଇ ୨.୭ ଲକ୍ଷ କୋଟି ଡଲାର ହୋଇଯାଇଛି। ପାଞ୍ଚ ବର୍ଷ ପୂର୍ବେ ଦେଶର ଅର୍ଥନୀତିର ଆକାର ୧.୮୫ ଲକ୍ଷ କୋଟି ଡଲାର ଥିଲା। ପାଞ୍ଚ ଟ୍ରିଲିଅନ୍ ଡଲାର ସ୍ବପ୍ନ ମଝିରେ ସବୁଠୁ ବଡ଼ ପ୍ରତିବନ୍ଧକ ହେଉଛି ମୁଦ୍ରାସ୍ଫୀତି। ମୁଦ୍ରାସ୍ଫୀତି ବଢ଼ିବାର ଅର୍ଥ ହେଉଛି ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି। ଏହା ବଢ଼ିଲେ ଟଙ୍କାର କ୍ରୟ ଶକ୍ତି ହ୍ରାସ ପାଏ ଏବଂ ଲୋକମାନେ କମ୍ ସାମଗ୍ରୀ ବ୍ୟବହାର କରନ୍ତି ଯାହାର ପ୍ରଭାବରେ ଜିଡିପି ଅଭିବୃଦ୍ଧି କମିଯାଏ। ଆସନ୍ତା ପାଞ୍ଚ ବର୍ଷରେ ଏତେ ବଡ଼ ଲକ୍ଷ୍ୟ ପଛରେ ଦୌଡ଼ିବା ବେଳେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ଟଙ୍କା ଓ ଡଲାରର ବିନିମୟ ମୂଲ୍ୟ। ଡଲାର ଦର ବଢ଼ିଲେ ଭାରତ ଲକ୍ଷ୍ୟଚ୍ୟୁତ ହୋଇପାରେ। ଯଦି ଟଙ୍କା ମଜବୁତ ହେବ ତେବେ ଭାରତ ସହଜରେ ଏହି ଲକ୍ଷ୍ୟ ହାସଲ କରିପାରିବ। ପାଞ୍ଚ ଟ୍ରିଲିଅନ୍ ଡଲାର ଅର୍ଥନୀତି ହୋଇଗଲେ ଭାରତ ବିଶ୍ବର ଚତୁର୍ଥ ବଡ଼ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବ। ୨୦୧୬-୧୭ରେ ଭାରତୀୟ ଅର୍ଥନୀତିର ଆକାର ୧୫୮ଟି ଦେଶର ମୋଟ ଅର୍ଥନୀତି ଠାରୁ ବଡ଼ ଥିଲା। ପାକିସ୍ତାନ, ବାଲାଂଦେଶ, ମାଲେସିଆ ଭଳି ୧୫୮ଟି ଦେଶର ଅର୍ଥନୀତି ଏକତ୍ରୀତ ହେଲେ ମଧ୍ୟ ଭାରତ ଠାରୁ ତାହା ଛୋଟ ହେବ।

ଜେଟ୍‌ଲିଙ୍କ ନଜରରେ ନିର୍ମଳାଙ୍କ ବଜେଟ୍‌
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ବଜେଟ ଉପରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲି ଫେସ୍‌ବୁକ୍‌ରେ ଏକ ବ୍ଲଗ୍ ଲେଖିଛନ୍ତି। ଏଥିରେ ସେ ବଜେଟର ବିଭିନ୍ନ ଦିଗକୁ ବିଶ୍ଳେଷଣ କରିଛନ୍ତି। ଭାରତୀୟ ଅର୍ଥନୀତି ଆଗକୁ ବଢ଼ୁଥିବାରୁ ବଜେଟ କେବଳ ବାର୍ଷିକ ଆୟବ୍ୟୟର ହିସାବଫର୍ଦ୍ଦ ନହୋଇ ଏହା ନୀତି ଦସ୍ତାବିଜରେ ପରିଣତ ହୋଇଛି। ନିର୍ମଳାଙ୍କ ବଜେଟ୍ ଏକ ମଧ୍ୟମ ଅବଧି ଚିଠା ଦସ୍ତାବିଜ୍। ମୋଦୀ ୧.୦ ସରକାରରେ ଆଧାର ଏବଂ ଜନ ଧାତା ଖାତା ଖୋଲାଯିବା ଦ୍ବାରା ଗରିବ ଲୋକଙ୍କୁ ଅନେକ କିଛି ସୁବିଧା ମିଳିଛି। ଏଥିସହିତ ଗାଁରେ ରାସ୍ତା ତିଆରି ହୋଇଛି, ଗରିବଙ୍କୁ ଘର ମିଳିଛି, ପ୍ରତ୍ୟେକ ଘରେ ପାଇଖାନା ହୋଇପାରିଛି, ଗ୍ୟାସ ଏବଂ ବିଜୁଳି ସଂଯୋଗ ଲୋକଙ୍କୁ ମିଳିପାରିଛି। ଏସବୁ ମୌଳିକ ସୁବିଧା ସୁଯୋଗ ସହିତ ଲୋକଙ୍କ ଜୀବନ ଜିଇଁବା ଯୋଗ୍ୟ ହୋଇଛି। ଏହାକୁ ଆଗକୁ ବଢ଼ାଇ ନେବା ଲାଗି ଅର୍ଥମନ୍ତ୍ରୀ ବଜେଟରେ ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରତ୍ୟେକ ଘରେ ପାଣି ପାଇପ୍ ପହଞ୍ଚାଇବା ଲାଗି ପ୍ରସ୍ତାବ ରଖିଛନ୍ତି। ଏହି ସହିତ ଅର୍ଥମନ୍ତ୍ରୀ ବଜେଟରେ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି, ଯାହାକୁ ଜେଟଲି ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର