କେନ୍ଦୁଝର: ମୂଲ୍ୟ ବୃଦ୍ଧି କାରଣରୁ କିଛିଦିନ ଦିନ ଧରି ଲୁହାପଥର ନିଲାମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। କଞ୍ଚାମାଲ ଅଭାବରୁ କେନ୍ଦୁଝର ଜିଲ୍ଲାର ଅନେକ ପିଲେଟ୍ କାରଖାନା ନିଜର ଉତ୍ପାଦନ ବନ୍ଦ କରିଦେଇଛନ୍ତି। ଏଭଳି ସ୍ଥିତିରେ ଏବେ ରାଜ୍ୟ ସରକାର ଆଉ ୫ଟି ଲୁହାପଥର ଓ ମାଙ୍ଗାନିଜ୍ ଖଣି ନିଲାମ କରିବାପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ଖଣି ମନ୍ତ୍ରାଳୟରୁ ମିଳିଥିବା ସୂଚନା ଅନୁସାରେ, ଗତ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟ ସରକାର ଡରାହୁଡ଼ି, କୁସୁମଡିହି, କେନ୍ଦୁଡିହି, କେଦେଶାଲା ଲୁହାପଥର ଖଣିକୁ ନିଲାମ କରିଥିଲେ। ଏବେ ପୁଣି ରାଜ୍ୟ ସରକାର ଆଉ ୫ଟି ଖଣିର ନିଲାମ ଆସନ୍ତା ଜୁନ୍ ୧୦ ମଧ୍ୟରେ କରିବେ। କେନ୍ଦୁଝର ଜିଲ୍ଲାର ରେଙ୍ଗାଲବେଡ଼ା ଉତ୍ତର-ପୂର୍ବ ଏବଂ ନୂଆଗାଁର ପଶ୍ଚିମ ବ୍ଲକ୍ ଲୁହାପଥର ଖଣି ଏହି ପର୍ଯ୍ୟାୟରେ ନିଲାମ ହେବ। ଏହି ଖଣିରେ ମୋଟ ୩୭.୯୫ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ରହିଛି। ଏହି ଖଣିର ସମୁଦାୟ ଅଞ୍ଚଳ ହେଉଛି ୮୪.୪ ହେକ୍ଟର। ଏହାଛଡ଼ା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଆଇରନ୍ ବ୍ଲକ୍ ନିଲାମ ହେବ। ଏଠାରେ ୩୯.୭୪୬ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ରହିଛି। ଏହି ଖଣି ୯୦.୧୪୧ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ସେହିପରି ଓରାହୁରି ମାଙ୍ଗାନିଜ ଓ ଲୁହାପଥର ଖଣି ନିଲାମ ହେବ। ଏଥିରେ ୭.୧୮ ମିଲିୟନ ଟନ୍ ମାଙ୍ଗାନିଜ ଗଚ୍ଛିତ ଥିବାବେଳେ ୦.୨୪୭ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ରହିଛି। ଏହା ୫୦.୨୦୩ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ।
ସେହିପରି, ଭଞ୍ଜିକୁସୁମ ମାଙ୍ଗାନିଜ ଖଣି ନିଲାମ କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ୮.୩୩୪ ହେକ୍ଟର ବିଶିଷ୍ଟ ଏହି ଖଣିରେ ୦.୦୯୭ ମିଲିୟନ ଟନ୍ ମାଙ୍ଗାନିଜ୍ ଗଚ୍ଛିତ ରହିଛି। ଆଲାଘାଟ ପଶ୍ଚିମ ଲୁହାପଥର ଖଣି ନିଲାମ ହେବାକୁ ଯାଉଛି। ୯୨.୮୮୨ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଖଣିରେ ୧୩୩.୪ ମିଲିୟମ ଟନ୍ ଲୁହାପଥର ଗଚ୍ଛିତ ଥିବା ଜଣାପଡ଼ିଛି। ଦେଶରେ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୨୫୫ ମିଲିୟନ ଟନ୍ ଲୁହାପଥର ଉତ୍ପାଦନ ହୋଇଥିଲା। ଏଥିରୁ ଓଡ଼ିଶାର ସିଂହଭାଗ ରହିଛି। ଏହି ଆର୍ଥିକ ବର୍ଷରେ ରାଜ୍ୟରୁ ମୋଟ ୧୪୦ ମିଲିୟନ ଟନ୍ ଲୁହାପଥର ଉତ୍ପାଦନ ହୋଇଥିବା ଖଣି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/coal-mines.jpg)