୨ଜି ଗ୍ରାହକଙ୍କ ଉପରେ ଆଇଟେଲ୍‌ର ନଜର: ଓଡ଼ିଶାରେ ୫ ନୂଆ ସର୍ଭିସ୍‌ ସେଣ୍ଟର୍‌ ଖୋଲିବ

ଭୁବନେଶ୍ବର: ଭାରତ ଏଭଳି ଏକ ଦେଶ ଯେଉଁଠାରେ ୫ଜି ମୋବାଇଲ୍ ସେବା ଲାଗି ଭିତ୍ତିଭୂମି ପ୍ରସ୍ତୁତ ହେଉଥିବା ବେ‌ଳେ ଏବେବି ୩୫ କୋଟିରୁ ଅଧିକ ଲୋକ ୨ଜି ଫୋନ୍‌ ବ୍ୟବହାର କରୁଛନ୍ତି। ସେମାନଙ୍କ ନିକଟରେ ଗୁଣାତ୍ମକ ମାନର ସ୍ମାର୍ଟଫୋନ୍ ସୁଲଭ ମୂଲ୍ୟରେ ପହଞ୍ଚାଇବା ଦିଗରେ ଆନ୍ତର୍ଜାତିକ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଆଇଟେଲ୍‌ କାର୍ଯ୍ୟ କରୁଛି ବୋଲି କଂପାନିର ସିଇଓ ଅରିଜିତ ତଲାପାତ୍ରା କହିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ତଲାପାତ୍ରା କହିଛନ୍ତି ଯେ ସୁଲଭ ମୂଲ୍ୟର ସ୍ମାର୍ଟ‌ଫୋନ୍ ପାଇଁ ଭାରତର ତୃତୀୟ ଶ୍ରେଣୀ ସହର ଏବଂ ଗ୍ରାମାଞ୍ଚଳରେ ଏକ ବଡ଼ ବଜାର ରହିଛି। ସେମାନଙ୍କ ପାଇଁ କଂପାନି ଉତ୍କୃଷ୍ଟ ମାନର ସ୍ମାର୍ଟଫୋନ୍ ନିର୍ମାଣ କରୁଛି। ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଂପାନି ଗବେଷଣା ଓ ବିକାଶ କାର୍ଯ୍ୟ କରୁଛି ଏବଂ ସେହି ଅନୁସାରେ ନୂଆ ମଡେଲ୍‌ ବଜାରକୁ ଆଣୁଛି। ଛଅ-ସାତ ହଜାର ଟଙ୍କାରୁ କମ୍ ମୂଲ୍ୟର ସ୍ମାର୍ଟଫୋନ୍ ବଜାରରେ ଆଇଟେଲ୍‌ର ସିଂହ ଭାଗ ବଜାର ଅଂଶ ରହିଛି।

ଭାରତରେ କାରବାର କରିବାର ପାଞ୍ଚ ବର୍ଷ ଭିତରେ ଆଇଟେଲ୍‌ ୮ କୋଟି ଗ୍ରାହକଙ୍କ ନିକଟରେ ପହଞ୍ଚିପାରିଛି। କଂପାନି ପ୍ରଥମେ ଫିଚର୍‌ ଫୋନ୍‌ ବଜାରରେ ନିଜ ସ୍ଥିତି ଦୃଢ଼ କରିବା ପରେ ସ୍ମାର୍ଟଫୋନ୍ ଆଣିଥିଲା। ସେହି ବର୍ଗ ଗ୍ରାହକଙ୍କ ଦ୍ବାରା ଗ୍ରହଣୀୟ ହେବା ପରେ ଉତ୍ପାଦ ବର୍ଗମାଳାକୁ ସମ୍ପ୍ରସାରିତ କରିଛି। କଂପାନି ୫୫ ଇଞ୍ଚ୍‌ ପର୍ଯ୍ୟନ୍ତର ସ୍ମାର୍ଟଟିଭି ମଧ୍ୟ ବିକ୍ରି କରୁଛି। ଏହା ସହିତ ୯୯ ଟଙ୍କାରୁ ଆରମ୍ଭ କରି ୧୬୯୯ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଆକ୍‌ସେସୋରିଜ୍ ମଧ୍ୟ ବିକ୍ରି କରୁଛି। ଏହି ସବୁ ଉତ୍ପାଦଗୁଡ଼ିକୁ କିଭଳି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇ ହେବ ତାହା ଉପରେ ଆଇଟେଲ୍‌ ଚଳିତ ବର୍ଷ କାର୍ଯ୍ୟ କରିବ। ବଜାର ଚାହିଦା ଅନୁସାରେ ୨୦୨୨ରେ ନୂଆ ଉତ୍ପାଦ ଆଣିବ ବୋଲି ଶ୍ରୀ ତଲାପାତ୍ରା କହିଛନ୍ତି।
ଦେଶରେ ଥିବା ତିନିଟି କାରଖାନାରେ ଆଇଟେଲ୍‌ ଏହାର ଉତ୍ପାଦଗୁଡ଼ିକୁ ନିର୍ମାଣ କରି ଦେଶ ଭିତରେ ବିକ୍ରି କରୁଛି। କୋଭିଡ୍ ମହାମାରୀ ସ୍ଥିତିରେ ସୁଧାର ହେବା ପରେ ରପ୍ତାନି ବିଷୟରେ ମଧ୍ୟ କଂପାନି ବିଚାର କରିବ। ଆଫ୍ରିକା, ମଧ୍ୟପ୍ରାଚ୍ୟ ଭଳି ଦେଶ ସମେତ କେତେକ ସମ୍ପୂର୍ଣ୍ଣ ନୂଆ ଦେଶକୁ ଆଇଟେଲ୍‌ ସାମଗ୍ରୀ ରପ୍ତାନି କରାଯିବ ବୋଲି ସେ କହିଛନ୍ତି। ଦେଶରେ କଂପାନିର ୯୧୭ ସର୍ଭିସ୍‌ ସେଣ୍ଟର୍‌, ୧୨୦୦ ବିତରକ ଓ ଦେଢ଼ ଲକ୍ଷରୁ ଅଧିକ ଆଉଟ୍‌ଲେଟ୍‌ ରହିଛି। ଓଡ଼ିଶାରେ କଂପାନିର ୩୭ ବିତରକ ଓ ୨୫ ସର୍ଭିସ୍‌ ସେଣ୍ଟର୍‌ ରହିଛି। ରାଜ୍ୟରେ ଆଉ ୫ଟି ନୂଆ ସର୍ଭିସ୍‌ ‌ସେଣ୍ଟର୍‌ ଖୋଲିବାକୁ କଂପାନି ଲକ୍ଷ୍ୟ ରଖିଛି ବୋଲି ଆଇଟେଲ୍‌ର ସିଇଓ କହିଛନ୍ତି।

ସମ୍ବନ୍ଧିତ ଖବର