ନିର୍ମଳାଙ୍କ ମାନ୍ଦାବସ୍ଥା ଚିନ୍ତା: ମୁକାବିଲା ପାଇଁ ପଞ୍ଚମ ପ୍ୟାକେଜ୍

ମାନ୍ଦାବସ୍ଥା ମୁକାବିଲା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଞ୍ଚମ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଜି ସେ କଂପାନି ଟିକସକୁ ୩୦%ରୁ ୨୨%କୁ ହ୍ରାସ କରିଛନ୍ତି। ୧୯୯୧ ପରଠାରୁ କଂପାନି ଟିକସରେ ଏଭଳି ବଡ଼ ଧରଣର ହ୍ରାସ ଘଟିନଥିଲା। ନିଜ ପ୍ରଥମ ବଜେଟ୍ ଉପସ୍ଥାପନ କରିବାର ଅଢ଼େଇ ମାସ ହୋଇନଥିବା ବେଳେ ଅର୍ଥନୀତିିରେ ମାନ୍ଦାବସ୍ଥାର ଯେଉଁ ଗ୍ରହଣ ଲାଗିଛି ତାହାକୁ ହଟାଇବା ଲାଗି ଏହା ପୂର୍ବରୁ ଅର୍ଥମନ୍ତ୍ରୀ ଚାରି ଚାରିଟି ପ୍ୟ‌ାକେଜ୍ ଘୋଷଣା କରିସାରିଛନ୍ତି। ଆଜିର ଘୋଷଣାକୁ ବିସ୍ତୃତ ଭାବେ ଏଠାରେ ବର୍ଣ୍ଣନା କରାଯାଇଛି।

ଟିକସ ହ୍ରାସ: ସାଧାରଣ କଂପାନି ଟିକସ ହାର ୩୦%ରୁ ହ୍ରାସ ପାଇ ୨୨% ହୋଇଥିବା ବେଳେ ନୂତନ ମାନୁଫାକ୍‌ଚରିଂ କଂପାନିଗୁଡ଼ିକ ପାଇଁ ଏହି ଟିକସ ହାର ୨୫%ରୁ ହ୍ରାସ ପାଇ ୧୫% ହୋଇଛି। ତେବେ ଏହା ଉପରେ ସେମାନଙ୍କୁ ଲାଗୁ ହୋଇଥିବା ସେସ୍‌ ଓ ସର୍‌ଚାର୍ଜ ଗଣିବାକୁ ପଡ଼ିବ। ଏହାକୁ ମିଶାଇଲେ ଯେଉଁ କଂପାନିଗୁଡ଼ିକ ପୂର୍ବରୁ ୩୪.୯୪% ହାରରେ ଟିକସ ଗଣୁଥିଲେ ସେମାନେ ଯଥେଷ୍ଟ କମ୍ ୨୫.୧୭% ହାରରେ ଟିକସ ଦେବେ। ସେହିପରି ଯେଉଁ କଂପାନିଗୁଡ଼ିକ ୨୯.୧୨% ହାରରେ ଟିକସ ଦେଉଥିଲେ ସେମାନେ ଆଗାମୀ ଦିନରେ ୧୭.୦୧% ଟିକସ ପ୍ରଦାନ କରିବେ।

ସିଏସ୍‌ଆର୍‌: ସିଏସ୍‌ଆର୍‌ ଅନ୍ତର୍ଗତ ହେଉଥିବା ୨% ଖର୍ଚ୍ଚର ପରିସରକୁ ବୃଦ୍ଧି କରାଯାଇଛି। ବତ୍ତର୍ମାନ ୨% ସିଏସ୍‌ଆର୍‌ ଅର୍ଥରାଶି କେନ୍ଦ୍ର କିମ୍ବା ରାଜ୍ୟ ସରକାର କିମ୍ବା ଅନ୍ୟ କୌଣସି ଏଜେନ୍ସି କିମ୍ବା କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ଅର୍ଥ ଯୋଗାଣ ହେଉଥିବା ଇନ୍‌କ୍ୟୁବେଟର୍ସ ଉପରେ ମଧ୍ୟ ଖର୍ଚ୍ଚ କରାଯାଇପାରିବ। ଏଥି ସହିତ ଏସ୍‌ଡିଜିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଔଷଧ କ୍ଷେତ୍ରରେ ଗବେଷଣା କରୁଥିବା ସରକାରୀ ବିଶ୍ୱବିଦ୍ୟାଳୟ, ଆଇଆଇଟି, ଜାତୀୟ ଗବେଷଣାଗାର ଏବଂ ସ୍ବାୟତ୍ତ ସଂସ୍ଥା (ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଆଇସିଏଆର୍‌, ଆଇସିଏମ୍‌ଆର୍‌, ସିଏସ୍‌ଆଇଆର, ଡିଏଇ, ଡିଆର୍‌ଡିଓ, ଡିଏସ୍‌ଟି ଅଧୀନରେ ପ୍ରତିଷ୍ଠିତ) ଲାଗି ମଧ୍ୟ ଏହି ଅର୍ଥ ଖର୍ଚ୍ଚ କରାଯାଇପାରିବ।

ଏହା ଐତିହାସିକ ନିଷ୍ପତ୍ତି: ପ୍ରଧାନମନ୍ତ୍ରୀ
କଂପାନି ଟିକସ ହ୍ରାସକୁ ସେ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକ ଟୁଇଟ୍‌ କରି ସେ ଲେଖିଛନ୍ତି, ଭାରତକୁ ବ୍ୟବସାୟ ପାଇଁ ଏକ ଶ୍ରେଷ୍ଠ ସ୍ଥାନରେ ପରିଣତ କରିବା ଲାଗି ଏହି ସରକାର କୌଣସି ପଦକ୍ଷେପକୁ ଛାଡ଼ିନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମେକ୍ ଇନ୍ ଇଣ୍ଡିଆକୁ ଏହା ବଳ ପ୍ରଦାନ କରିବ, ସାରା ବିଶ୍ବରୁ ଘରୋଇ ପୁଞ୍ଜିନିବେଶ ଆସିବ, ଆମ ଘରୋଇ କ୍ଷେତ୍ରର ଦକ୍ଷତା ବଢ଼ାଇବ ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଯାହା ଦ୍ବାରା ୧୩୦ କୋଟି ଭାରତୀୟ ଉପକୃତ ହେବେ।

ଖରାପ ସ୍ଥିତି ଲୁଚାଇଲେ ଲୁଚିବନି: ରାହୁଲ
ମୁମ୍ବାଇ: କଂପାନି ଟିକସ ହ୍ରାସ କରାଯିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ କଟାକ୍ଷ କରିଛନ୍ତି। ଆମେରିକାର ଟେକ୍ସାସ୍ ପ୍ରଦେଶରେ ହେବାକୁ ଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ସହ ଏହି ନିଷ୍ପତ୍ତିକୁ ସେ ଯୋଡ଼ିଛନ୍ତି। ଏଭଳି କୌଣସି ପ୍ରକାର କାର୍ଯ୍ୟକ୍ରମ କିମ୍ବା ନିଷ୍ପତ୍ତି ଦେଶର ଖରାପ ଆର୍ଥିକ ସ୍ଥିତିକୁ ଲୁଚାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ଏକ ଟୁଇଟ୍‌ କରି ରାହୁଲ ଲେଖିଛନ୍ତି, ଦୁର୍ବଳ ଅର୍ଥନୀତି ଯୋଗୁ ତଳକୁ ଖସୁଥିବା ସେୟାର ବଜାର ପାଇଁ ପ୍ରଧାନମନ୍ତ୍ରୀ ଯାହା କରିଛନ୍ତି ତାହା ବହୁତ ଭଲ। ୧.୪ ଲକ୍ଷ କୋଟି ଟଙ୍କାରେ ହୋଷ୍ଟନର କାର୍ଯ୍ୟକ୍ରମ ହେଉଛି ଆଜି ପର୍ଯ୍ୟନ୍ତ ଦୁନିଆର ସବୁଠୁ ମହଙ୍ଗା କାର୍ଯ୍ୟକ୍ରମ। କିନ୍ତୁ, ହାଉଡି ମୋଦୀ ଭାରତକୁ ଯେଉଁ ସଙ୍କଟ ମଧ୍ୟକୁ ଠେଲି ଦେଇଛନ୍ତି ସେହି ଆର୍ଥିକ ସଙ୍କଟକୁ କେହି ଲୁଚାଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର