୩୫,୭୬୦ କୋଟିର ୫ ପ୍ରକଳ୍ପକୁ ମଞ୍ଜୁରି: ୩୮୧୦୦ ଜଣଙ୍କୁ ମିଳିବ ନିଯୁକ୍ତି

ଭଦ୍ରକ, ଝାରସୁଗୁଡ଼ା, ଜଗତସିଂହପୁର ଓ କେନ୍ଦୁଝରରେ ହେବ କାରଖାନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ୩୧ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚସିଏଲଏ) ବୈଠକରେ ୫ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ଉକ୍ତ ୫ଟି ଶିଳ୍ପ ପ୍ରକଳ୍ପରେ ୩୫,୭୬୦ କୋଟି ଟଙ୍କା ନିବେଶ ହେବ। ଏଗୁଡ଼ିକ କାର୍ଯ୍ୟକାରୀ ହେବାଦ୍ବାରା ୩୮୧୦୦ରୁ ଅଧିକ ଲୋକଙ୍କ ପାଇଁ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ରେ ନିବେଶ ପାଇଁ ଆସିଥିବା ଆଗ୍ରହଗୁଡ଼ିକ ଯେଭଳି ବାସ୍ତବ ରୂପ ନେବ ସେଥିପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। ସେହିକ୍ରମରେ ଆଜି ପାଞ୍ଚଟି ଶିଳ୍ପ ପ୍ରକଳ୍ପକୁ ଏଚସିଏଲଏ ମଞ୍ଜୁରି ଦେଇଛି। ଉକ୍ତ ୫ଟି ପ୍ରକଳ୍ପରୁ ଦୁଇଟି ଇସ୍ପାତ କ୍ଷେତ୍ରରେ, ଗୋଟିଏ ସବୁଜ ଶକ୍ତି ଏବଂ ଏସଂକ୍ରାନ୍ତ ଉପକରଣ କ୍ଷେତ୍ରରେ, ଗୋଟିଏ ରସାୟନିକ କ୍ଷେତ୍ରରେ , ଗୋଟିଏ ବୈଷୟିକ ‌ବୟନଶିଳ୍ପ କ୍ଷେତ୍ରରେ ରହିଛି। ମଞ୍ଜୁରି ଲାଭ କରିଥିବା ଏହି ସବୁ ପ୍ରକଳ୍ପ ରାଜ୍ୟର ଭଦ୍ରକ, ଝାରସୁଗୁଡ଼ା, ଜଗତସିଂହପୁର ଏବଂ କେନ୍ଦୁଝର ଜିଲ୍ଲାରେ ହେବ। ୱାରି ଏନର୍ଜିଜ୍ ଲିମିଟେଡ ପକ୍ଷରୁ ୨୫ ହଜାର କୋଟି ଟଙ୍କା ବ୍ୟୟରେ ଢେଙ୍କାନାଳ ଜିଲ୍ଲାର ନେଉଳପୋଇ ଠାରେ ଏକ ସମନ୍ବିତ ସୌର ଶକ୍ତି ଉପକରଣ ନିର୍ମାଣ ‌କେନ୍ଦ୍ର ସ୍ଥାପନ ହେବ। ଏଠାରେ ୫୦ ହଜାର ଏମ୍‌ଟିର ପଲିସିଲିକନ ସହିତ ୧୦ ହଜାର ମେଗାୱାଟର ଇନଗଟ୍‌, ୱେଫର, ସୋଲାର ସେଲ୍‌, ସୋଲାର ମଡ୍ୟୁଲ ଉତ୍ପାଦନ ହେବ। ଏହି ପ୍ରକଳ୍ପରେ ପ୍ରାୟ ୧୪ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ପୂର୍ବ ଭାରତରେ ଏହା ସବୁଠୁ ବଡ଼ ଧରଣର ୟୁନିଟ୍ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦୁଝର ଜିଲ୍ଲାରେ ଦୁଇଟି ଇସ୍ପାତ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ସେଥିରୁ ଗୋଟିଏ ସୁପର ସ୍ମେଲଟର୍ସ ଲିମିଟେଡ ପକ୍ଷରୁ ହେବ। ବାର୍ଷିକ ୧.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କାରଖାନା ଏହି କମ୍ପାନି ସ୍ଥାପନ କରିବ। ଉକ୍ତ ପ୍ରକଳ୍ପରେ ୫୪୩୬.୧୦ କୋଟି ଟଙ୍କା ନିବେଶ ହେବା ସହିତ ୧୯ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିଭଳି କେନ୍ଦୁଝର ଜିଲ୍ଲାରେ ଅନ୍ୟ ଇସ୍ପାତ କାରଖାନା ପ୍ରକଳ୍ପଟି କାସଭି ପାୱାର ଆଣ୍ଡ ଷ୍ଟିଲ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ହେବ। ୧୬୦୦ କୋଟି ଟଙ୍କା ନିବେଶରେ ହେବାକୁ ଥିବା ଏହି କାରଖାନାରେ ବାର୍ଷିକ ୦.୫୫ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହେବ। ଉକ୍ତ କାରଖାନାରେ ୫୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହଭଳି ବୈଷୟିକ ବୟନଶିଳ୍ପ କ୍ଷେତ୍ରରେ କମିଟି ଗୋଟିଏ ପ୍ରକଳ୍ପକୁ ମଞ୍ଜୁରି ଦେଇଛି। ଏମ୍‌ସିପିଆଇ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଉକ୍ତ ପ୍ରକଳ୍ପ ୨୨୨୩.୨୫ କୋଟି ଟଙ୍କା ନିବେଶରେ ସ୍ଥାପନ ହେବ। କମ୍ପାନି ଏଠାରୁ ବିଭିନ୍ନ ପ୍ରକାର କପଡ଼ା ଏବଂ ବୟନଶିଳ୍ପ ସାମଗ୍ରୀ ଉତ୍ପାଦନ କରିବ। ଭଦ୍ରକ ଟେକ୍ନିକାଲ ଟେକ୍ସଟାଇଲ ପାର୍କରେ ଉକ୍ତ ପ୍ରକଳ୍ପ ହେବ। ଏଥିରେ ୧୧୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏଥିସହିତ ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆଇଭିଏଲ ଧନସେରି ପେଟ୍ରୋକେମ୍‌ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ବୋତଲ ମାନର ପେଟ୍ ରେଜିନ୍ କାରଖାନା ସ୍ଥାପନକୁ ମଧ୍ୟ କମିଟି ମଞ୍ଜୁରି ପ୍ରଦାନ କରିଛି। ଏହି ପ୍ରକଳ୍ପରେ ୧୫୦୦ କୋଟି ଟଙ୍କା ନିବେଶ ହେବା ସହିତ ୪୫୦ ଜଣଙ୍କୁ ନିଯୁକ୍ତ ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର