ବିଦ୍ୟୁତ୍ କ୍ଷେତ୍ରର ଉନ୍ନତି ପାଇଁ ୫-ଟି ନୀତି ଆପଣାଇବାକୁ ପରାମର୍ଶ

ଭୁବନେଶ୍ବର: ବିଦ୍ୟୁତ୍ କ୍ଷେତ୍ରର ଉନ୍ନତି ପାଇଁ ସରକାର ୫-ଟି ନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଶେଷଜ୍ଞ ମତ ଦେଇଛନ୍ତି। ନିକଟରେ ଗ୍ରିଡକୋ, ଓପିଟିସିଏଲ ଏବଂ ଏସଏଲଡିସି ଭଳି ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ନିର୍ଦ୍ଦେଶକ ଓ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି ନେଇ ଆରମ୍ଭ କରିଥିବା ପ୍ରକ୍ରିୟାରୁ ବିଦ୍ୟୁତ୍ କ୍ଷେତ୍ରର ବିକାଶ ପାଇଁ ସରକାରଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ସ୍ପଷ୍ଟ ରହିଛି। ପୂର୍ବରୁ ସରକାରଙ୍କୁ ଏ ନେଇ ବିଶେଷଜ୍ଞମାନେ ଦେଇଥିବା ପରାମର୍ଶକୁ ଗ୍ରହଣ କରାଯାଇଛି। ନିକଟରେ ଗ୍ରିଡ୍‌କୋର ନିର୍ଦ୍ଦେଶକ (କମର୍ସ) ସ୍ଥାନରେ ଟ୍ରେଡିଂ ଏବଂ ବିଜନେସ୍ ଡେଭଲପମେଣ୍ଟ ନିର୍ଦ୍ଦେଶକ ପଦ ପୂରଣ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପଦରେ ନିଯୁକ୍ତି ଦେବା ପୂର୍ବରୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ର ମତାମତ ନିଆଯିବାକୁ ମଧ୍ୟ କୁହାଯାଇଛି। ଗ୍ରିଡ୍‌କୋକୁ ଆର୍ଥିକ ଦିଗଦର୍ଶନ ଦେବା କ୍ଷେତ୍ରରେ କଷ୍ଟ୍‌ ଆକାଉଣ୍ଟାଣ୍ଟ୍‌ମାନଙ୍କ ଯୋଗଦାନ ଗତ ୧୬ରୁ ୧୭ ବର୍ଷ ମଧ୍ୟରେ ସେତେଟା ସନ୍ତୋଷଜନକ ନଥିବାରୁ ଏହି ପଦରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ନିଯୁକ୍ତି ଦେବାଲାଗି ମତ ପ୍ରକାଶ ପାଇଛି। ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ଏବଂ ବିତରଣ ପାଇଁ ବ୍ୟାପକ ନେଟୱାର୍କ ଥିବାବେଳେ ଗ୍ରିଡକୋର ବାର୍ଷିକ କାରବାର ୧୦ ହଜାର କୋଟି ଟପି ପାରିନାହିଁ। .

ଏହି ମର୍ମରେ ବିଦ୍ୟୁତ୍ କ୍ଷେତ୍ରର ବିଶେଷଜ୍ଞ ଆନନ୍ଦ କୁମାର ମହାପାତ୍ର ମୁଖ୍ୟ ସଚିବ, ଉନ୍ନୟନ କମିସନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ଅର୍ଥ ସଚିବ, ୫-ଟି ସଚିବ ଶକ୍ତି ବିଭାଗର ସଚିବ ପ୍ରମୁଖଙ୍କୁ ଏକ ଚିଠି ଇମେଲ୍‌ କରିଛନ୍ତି। ରାଜ୍ୟ ସରକାର ବିଦ୍ୟୁତ୍ କ୍ଷେତ୍ର ପାଇଁ ଏକ ଉତ୍ତମ ଟିମ୍ ଗଠନ କରି ଶକ୍ତି କ୍ଷେତ୍ରର ବିକାଶ ପାଇଁ ପ୍ରଚେଷ୍ଟା କରିବେ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର