ଭୁବନେଶ୍ବର: ରାଜ୍ୟରେ ବିକାଶ କରାଯାଉଥିବା ୫ଟି ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରକଳ୍ପ ୨୦୨୬ ଏପ୍ରିଲ୍ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସଂସଦରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷର ଜାତୀୟ ଜଳମାର୍ଗ ବିକାଶ ପାଇଁ ୧୧୯୫.୧୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ବ୍ରାହ୍ମଣୀ ନଦୀରେ ଜାତୀୟ ଜଳମାର୍ଗ-୫ ଅଧୀନରେ ଧାମରା-ପାରାଦୀପ ଭାୟା ମଙ୍ଗଳାଯୋଡ଼ିରୁ ପଙ୍କପାଳ ପର୍ଯ୍ୟନ୍ତ ଓ ମହାନଦୀ ଉପରେ ଜଳମାର୍ଗ-୬୪ ଭଳି ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରାଯାଇଛି।

Advertisment

ମନ୍ତ୍ରୀ ଶ୍ରୀ ସୋନାୱାଲ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ୧୫.୨୦ କୋଟି ଟଙ୍କା ବଜେଟ୍‌ରେ ଜାତୀୟ ଜଳମାର୍ଗ-୬୪ ଅଧୀନରେ ମହାନଦୀ ଉପରେ ମୁସାଡିଆ-ବାହାକୁଦା ଫେରି ସେବା ପାଇଁ ଦୁଇଟି ଏବଂ ଜାତୀୟ ଜଳମାର୍ଗ-୧୪ରେ ବୈତରଣୀ ନଦୀରେ ଗୋଟିଏ ଭାସମାନ ଜେଟି ବିକାଶ କରାଯାଉଛି। ଏହି ପ୍ରକଳ୍ପ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ସେହିପରି, ଜାତୀୟ ଜଳମାର୍ଗ-୬୪ ଅଧୀନରେ ଇଫ୍‌କୋ ପାଇଁ ମହାନଦୀରେ ଏକ ଜେଟି ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପରେ ୬୭ କୋଟି ଟଙ୍କା ବିନିଯୋଗ କରାଯାଉଥିବା ବେଳେ ତାହା ୨୦୨୬ ଏପ୍ରିଲ୍ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। 

ଅନ୍ୟ ତିନି ଜଳମାର୍ଗ ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସୋନାୱାଲ ଦେଇଥିବା ସୂଚନା ଅନୁସାରେ, ଜାତୀୟ ଜଳମାର୍ଗ-୬୪ ଅଧୀନରେ ମହାନଦୀରେ ଫେୟାରୱେ ରକ୍ଷଣାବେକ୍ଷଣରେ ୧୦ କୋଟି ଟଙ୍କା ନିବେଶ କରାଯାଉଛି। ସେହି ପ୍ରକଳ୍ପ ୨୦୨୬ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। ଜାତୀୟ ଜଳମାର୍ଗ ୬୪ ଅଧୀନରେ ଦିଗ ମାପକ ସହାୟତା ପାଇଁ ୨.୩୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଜାତୀୟ ଜଳମାର୍ଗ-୫ର ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌)କୁ ଅପ୍‌ଡେଟ୍‌ କରିବା ଲାଗି ୩.୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି କାର୍ଯ୍ୟ ୨୦୨୬ ଜୁନ୍ ସୁଦ୍ଧା ଶେଷ ହେବା ଆଶା କରାଯାଉଛି। 
ଅନ୍ୟ ପକ୍ଷରେ ବନ୍ଦର ସଂଯୋଗୀକରଣ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସୋନାୱାଲ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ୧୩,୮୦୧ କୋଟି ଟଙ୍କାରେ କାର୍ଯ୍ୟକାରୀ କରାଯାଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ ହୋଇଛି। ୮୭୩୫ କୋଟି ଟଙ୍କା ନିବେଶରେ କିଛି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି ଏବଂ ୧୧,୭୪୪ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ବିକାଶ ପର୍ଯ୍ୟାୟରେ ରହିଛି ବୋଲି ସେ କହିଛନ୍ତି।