ନୂଆଦିଲ୍ଲୀ : ସାରା ବିଶ୍ବରେ ୫୦ କୋଟି ହ୍ବାଟସ୍ଆପ୍ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ହୋଇଛି। ଏହା ଦ୍ବାରା ୮୦ଟି ଦେଶ ପ୍ରଭାବିତ ହୋଇଛନ୍ତି। ଭାରତର ପ୍ରାୟ ୬୦ ଲକ୍ଷ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ହୋଇଥିବା କୁହାଯାଇଛି। ହ୍ବାଟସ୍ଆପ୍ ତଥ୍ୟକୁ ଅନ୍ଲାଇନ୍ରେ ଲିକ୍ କରିବା ପରେ ତାହାକୁ ବିକ୍ରି କରିବା ଲାଗି ଉପଲବ୍ଧ କରାଯାଇଛି। ସାଇବର୍ନିଉଜ୍ରେ ପ୍ରକାଶିତ ରିପୋର୍ଟରେ ଏହି ଦାବି କରାଯାଇଛି। କିନ୍ତୁ ହ୍ବାଟସ୍ଆପ୍ ପକ୍ଷରୁ ଏହି ଖବରକୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ।
ଅନ୍ଲାଇନ୍ରେ ଉପଲବ୍ଧ ତଥ୍ୟର କିଛି ନମୁନା ସଂଗ୍ରହ କରି ତାହାର ଯାଞ୍ଚ କରିବା ପରେ ତଥ୍ୟ ଲିକ୍ ହୋଇଥିବା ଜଣାପଡ଼ିଥିଲା। ଭାରତ, ରୁଷ୍, ଇଟାଲି, ଇଜିପ୍ଟ, ବ୍ରାଜିଲ୍ ଓ ସ୍ପେନ୍ ଭଳି ୮୦ଟି ଦେଶର ହ୍ବାଟସ୍ଆପ୍ ବ୍ୟବହାରକାରୀଙ୍କ ତଥ୍ୟ ଏଥିରେ ରହିଛି। ତଥ୍ୟ ଲିକ୍ କରିଥିବା ଗୋଷ୍ଠୀ ଆମେରିକା ତଥ୍ୟକୁ ୭,୦୦୦ ଡଲାର, ବ୍ରିଟେନ୍ର ୨,୫୦୦ ଡଲାର ଏବଂ ଜର୍ମାନି ତଥ୍ୟକୁ ୨୦୦୦ ଡଲାରରେ ବିକ୍ରି କରୁଛନ୍ତି। ଭାରତ ତଥ୍ୟର ଦାମ୍ କ’ଣ ରହିଛି ତାହା ଜଣାପଡ଼ିନାହିଁ। ହ୍ୟାକରମାନେ କିଭଳି ହ୍ବାଟସ୍ଆପ୍ର ଏତେ ସଂଖ୍ୟକ ବ୍ୟବହାରକାରୀଙ୍କ ଫୋନ୍ ନମ୍ବର ପାଇବାରେ ସଫଳ ହେଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ବିଶେଷଜ୍ଞଙ୍କ ମତରେ ଏଥିରେ ହ୍ବାଟସ୍ଆପ୍ର କିଛି ଭୁଲ ନଥାଇପାରେ। ‘ସ୍କ୍ରାପିଂ’ ନାମକ ପଦ୍ଧତିକୁ ବ୍ୟବହାର କରି ହ୍ୟାକରମାନେ ବିଭିନ୍ନ ୱେବସାଇଟ୍ରୁ ତଥ୍ୟ ନେଇଥାଇପାରନ୍ତି। ଏଥିରେ ସାଇବର ଆକ୍ରମଣ କରିବାକୁ ପଡ଼େ ନାହିଁ। ଚୋରି ହୋଇଥିବା ତଥ୍ୟ ଯଦି ହ୍ୟାକରମାନଙ୍କ ପାଖରେ ପହଞ୍ଚିବ, ସେମାନେ ତାହାକୁ ସ୍ପାମିଂ, ଫିସିଂ ଉଦ୍ୟମ, ପରିଚୟ ଚୋରି ଏବଂ ଅନ୍ୟାନ୍ୟ ସାଇବର ଅପରାଧରେ ବ୍ୟବହାର କରିପାରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/whatsapp.jpg)