ଭୁବନେଶ୍ବର: ରାଜ୍ୟ ସରକାର ବଜେଟ୍ରେ ବିଭିନ୍ନ ବିଭାଗ ଲାଗି ବିପୁଳ ବ୍ୟୟବରାଦ କରୁଛନ୍ତି। ବହୁ ଯୋଜନା କାର୍ଯ୍ୟକାରୀ କରି ବିକାଶକୁ ଶିଖରରେ ପହଞ୍ଚାଇବାର ସ୍ବପ୍ନ ଦେଖାଇଛନ୍ତି। କିନ୍ତୁ ବଜେଟ୍ ଅର୍ଥକୁ ବିଭିନ୍ନ ବିଭାଗ ଠିକ୍ ଭାବେ ଖର୍ଚ୍ଚ କରିପାରୁନାହାନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଥିବା ବେଳେ ବିଭିନ୍ନ ବିଭାଗର ଖର୍ଚ୍ଚ ଉପରେ ନଜର ପକାଇଲେ ନିରୁତ୍ସାହଜନକ ଚିତ୍ର ସାମ୍ନାକୁ ଆସୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଦେଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଅନେକ ବିଭାଗ ଖର୍ଚ୍ଚରେ ପଛୁଆ ରହିଛନ୍ତି। ୨୦୨୫ ଜାନୁଆରି ୩୧ ସୁଦ୍ଧା ୧୬ଟି ବିଭାଗ ବଜେଟ୍ରେ ଦିଆଯାଇଥିବା ୫୦ ପ୍ରତିଶତ ରାଶି ବି ଖର୍ଚ୍ଚ କରିପାରିନାହାନ୍ତି।
ଓଡ଼ିଶା ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଛି। ତେଣୁ ସ୍ବାଭାବିକ ଭାବେ ସେହି ଦାୟିତ୍ବରେ ଥିବା ବିଭାଗ ଅଧିକ ତତ୍ପର ରହିବା କଥା। କିନ୍ତୁ, ଖର୍ଚ୍ଚରେ ସବୁଠୁ ପଛରେ ରହିଛି ବିପର୍ଯ୍ୟୟ ପରିଚାଳନା ବିଭାଗ। ଏହି ବିଭାଗ ପାଇଁ ବଜେଟ୍ରେ ୮୬୭୪.୧୯ କୋଟି ଟଙ୍କା ଦିଆଯାଇଥିବା ବେଳେ ସେଥିରୁ ମାତ୍ର ୧୧୭୦.୧୬ କୋଟି ଟଙ୍କା (୧୩.୪୯%) ଖର୍ଚ୍ଚ ହୋଇପାରିଛି। ସେହିପରି, କ୍ରୀଡ଼ା ଓ ଯୁବ ସେବା ବିଭାଗ ବିଭାଗ ପାଇଁ ୧୨୫୩.୨୩ କୋଟି ଟଙ୍କା ଦିଆଯାଇଥିଲା। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସେଥିରୁ ୧୯.୭୭ ପ୍ରତିଶତ ଅର୍ଥ, ଅର୍ଥାତ ୨୪୭.୭୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଇସ୍ପାତ ଓ ଖଣି ବିଭାଗ ଲାଗି ୪୫୬.୮୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଜାନୁଆରି ଶେଷ ସୁଦ୍ଧା ସେଥିରୁ ମାତ୍ର ୯୩.୭୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା ବଜେଟ୍ ଅଟକଳର ମାତ୍ର ୨୦.୫୨ ପ୍ରତିଶତ।
ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ଖର୍ଚ୍ଚ ନିରୁତ୍ସାହଜନକ
କ୍ରୀଡ଼ା ଓ ଯୁବ ସେବାର ଖର୍ଚ୍ଚ ୧୯.୭୭%
ଓଡ଼ିଆ ଅସ୍ମିତାର ନାରା ଦେଇ ନିର୍ବାଚନରେ ବିଜୟୀ ହୋଇଥିବା ଦାବି କରୁଥିବା ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ୨୦୨୪-୨୫ ବଜେଟ୍ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ ୬୨୨.୭୮ କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ। କିନ୍ତୁ ଦୁଃଖର ବିଷୟ ହେଉଛି ଜାନୁଆରି ଶେଷ ସୁଦ୍ଧା ସେଥିରୁ ମାତ୍ର ୧୬୮.୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ବଜେଟ୍ ଅଟକଳର ମାତ୍ର ୨୭.୧୦ ପ୍ରତିଶତ। ସେହିପରି, ଅଣଦେଖାର ଶିକାର ହେଉଥିବା ଅଭିଯୋଗ କରାଯାଉଥିବା ମିଶନ ଶକ୍ତି ବିଭାଗ ଲାଗି ୨୭୬୧.୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ସେଥିରୁ ୬୪୬.୬୩ କୋଟି ଟଙ୍କା (୨୩.୪୨%) ଖର୍ଚ୍ଚ ହୋଇପାରିଛି। ବଜେଟ୍ ଅର୍ଥର ୫୦ ପ୍ରତିଶତ ରାଶି ଖର୍ଚ୍ଚ କରିପାରି ନ ଥିବା ବିଭାଗଗୁଡ଼ିକ ହେଉଛି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (୩୮.୭୪%), ଆଇନ (୪୨.୦୭%), ଏସ୍ଟି, ଏସ୍ସି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ (୪୩.୬୭%), ଗୃହ ନିର୍ମାଣ ଓ ପୌର ଉନ୍ନୟନ (୪୪.୮୨%), କ୍ରୀଡ଼ା ଓ ଯୁବ ସେବା (୧୯.୭୭%), ଯୋଜନା ଓ ସଂଯୋଜନା (୩୬.୬୮%), ପଞ୍ଚାୟତିରାଜ ଓ ପାନୀୟଜଳ (୩୮.୦୫%), ସାଧାରଣ ଅଭିଯୋଗ ଓ ପେନ୍ସନ୍ ପ୍ରଶାସନ (୪୫.୬୧%), ପରିବହନ (୪୬.୯୯%), ଇସ୍ପାତ ଓ ଖଣି (୨୦.୫୨%), ଶକ୍ତି (୪୫.୯୧%), ପର୍ଯ୍ୟଟନ (୩୮.୦୬%), ଇଲେକ୍ଟ୍ରୋନିକ୍ସ ଓ ଆଇଟି (୪୭.୪୫%), ବିପର୍ଯ୍ୟୟ ପରିଚାଳନା (୧୩.୪୯%) ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି (୨୭.୧୦%)।
ଖର୍ଚ୍ଚରେ ସବୁଠୁ ଆଗରେ ରହିଛ ସରକାରୀ ଉଦ୍ୟୋଗ ବିଭାଗ। ଏହା ବଜେଟ୍ ଅର୍ଥର ୮୭.୪୭ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛି। ସେହିପରି, ଖର୍ଚ୍ଚରେ ଅପେକ୍ଷାକୃତ ଆଗୁଆ ଥିବା ଅନ୍ୟ ବିଭାଗଗୁଡ଼ିକ ହେଉଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ (୭୮.୮୫%), କୃଷି ଓ କୃଷକ ସଶକ୍ତୀକରଣ (୭୩.୫୦%), ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା (୭୩.୦୯%), ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (୭୧.୪୦%) ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ (୭୦.୮୪%)। ଅନ୍ୟ ବିଭାଗଗୁଡ଼ିକର ଖର୍ଚ୍ଚ ୫୦-୭୦ ପ୍ରତିଶତ ମଧ୍ୟରେ ରହିଛି।