ଏସ୍‌ଡିଆର୍‌ଏଫ୍‌ର ୫୦% ଅର୍ଥ କରୋନା ମୁକାବିଲାରେ ଖର୍ଚ୍ଚ କରି‌ହେବ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅନୁମତି ପ୍ରଦାନ କରିଛି। ଏହି ଅର୍ଥକୁ ରାଜ୍ୟ ସରକାରମାନେ କ୍ବାରାଣ୍ଟିନ କେନ୍ଦ୍ର ପରିଚାଳନା, ଟେଷ୍ଟିଂ ଲାବରେଟୋରି, ଅମ୍ଳଜାନ ସଂଗ୍ରହ ପ୍ଲାଣ୍ଟ ସ୍ଥାପନ ସହିତ ଭେଣ୍ଟିଲେଟର ଓ ପିପିଇ କିଟ୍ କ୍ରୟ ଆଦି ବାବଦରେ ଖର୍ଚ୍ଚ କରିପାରିବେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସର୍ବାଧିକ କରୋନା ପ୍ରଭାବିତ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଆଜି ଦେଶରେ କରୋନା ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏଭଳି ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ‌ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଏହି ମର୍ମରେ ଏକ ଚିଠି ଦିଆଯାଇଛି। ଏସ୍‌ଡିଆର୍‌ଏଫ୍‌ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ଓ ସହାୟତା ନିୟମରେ କେତେକ ସଶୋଧନ କରାଯାଇଥିବା ଏଥିରେ କୁହାଯାଇଛି।

୨୦୧୨୦-୨୧ ଆର୍ଥିକ ବର୍ଷ ପାଇଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ କରୋନା ମହାମାରୀ ମୁକାବିଲା ଲାଗି ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ଏହାକୁ ମୋଟାମୋଟି ଭାବେ ଅନୁଧ୍ୟାନ କରିବ। ଅନ୍ୟ ସରକାରୀ ଯୋଜନା ସହିତ ଏହି ଯୋଜନାର ଯେଭଳି ଦୋହରୀକରଣ ନହୁଏ ତାହାକୁ ଉକ୍ତ କମିଟି ଦେଖିବ।‌ ତେବେ ନିର୍ଦ୍ଧାରିତ ୫୦ ପ୍ରତିଶତ ସୀମାରୁ ଅଧିକ ରାଶି ଯେଉଁ ରାଜ୍ୟ ଖର୍ଚ୍ଚ କରିବ ତାହାକୁ ସେହି ରାଜ୍ୟ ନିଜସ୍ବ ସମ୍ବଳରୁ ବହନ କରିବ। ଏଥିପାଇଁ ଏସ୍‌ଡିଆର୍‌ଏଫ୍‌ରୁ କିଛି ଅର୍ଥ ଦିଆଯିବ ନାହିଁ। ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିକୁ ଅଧିକାଂଶ ଅର୍ଥ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)ରୁ ଆସିଥାଏ।

ସମ୍ବନ୍ଧିତ ଖବର