ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସିରେ ନିବେଶ କରି ମୋଟା ଅଙ୍କର ରିଟର୍ଣ୍ଣ ଦେବା ଲୋଭ ଦେଖାଇ ଠକମାନଙ୍କ ଏକ ଦଳ ଲୋକମାନଙ୍କଠାରୁ ୫୦୦ କୋଟି ଟଙ୍କା ଠକିନେଇଛନ୍ତି। ଏନେଇ ମାମଲା ରୁଜୁ ହେବା ପରେ ଦିଲ୍ଲୀ ପୁଲିସ ତାହାର ତଦନ୍ତ ଆରାମ୍ଭ କରିଛି। ଅଭିଯୁକ୍ତମାନେ ଦେଶ ଛାଡ଼ି ପଳାୟନ କରିଥିବା କୁହାଯାଉଛି।

Advertisment

ଲୋକମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ଲାଗି ଠକମାନଙ୍କ ଏହି ଦଳ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ। କ୍ରିପ୍ଟୋରେ ନିବେଶ କରିବାକୁ ଚାହୁଥିବା ନିବେଶକମାନଙ୍କୁ ସେମାନେ ଗୋଆର ଏକ ପଞ୍ଚତାରକା ହୋଟେଲ୍‌ରେ ଏକତ୍ରୀତ କରିଥିଲେ। ସେଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ନିବେଶକମାନଙ୍କୁ କ୍ରିପ୍ଟୋକରେନ୍ସି କ’ଣ? ଏହା ପଛରେ ଥିବା ବ୍ଲକ୍‌ଚେନ୍‌ ପ୍ରଯୁକ୍ତିର ଜଟିଳ ପ୍ରକ୍ରିୟା କ’ଣ? ତାହା ବୁଝାଇଥିଲେ। କେଉଁଭଳି ଅତ୍ୟଧିକ ରିଟର୍ଣ୍ଣ ମିଳିବ ତାହା ବୁଝାଇବାରେ ମଧ୍ୟ ସଫଳ ହୋଇଥିଲେ। ନିବେଶ ଉପରେ ୨୦୦% ପର୍ଯ୍ୟନ୍ତ ରିଟର୍ଣ୍ଣ ମିଳିବ ବୋଲି କହିଥିଲେ। ଏଥି ସହିତ ନିବେଶକମାନଙ୍କୁ ଗୋଆରେ ଛୁଟି କଟାଇବାର ସୁଯୋଗ ମଧ୍ୟ ଦେଇଥିଲେ। ବଡ଼ ନିବେଶକମାନଙ୍କୁ ଦୁବାଇରେ ଛୁଟି କଟାଇବାର ସୁଯୋଗ ମିଳିବ ବୋଲି ଭରସା ଦେଇଥିଲେ। ଦୁବାଇରେ ଏକ କାର୍ଯ୍ୟାଳୟ ନିର୍ମାଣ କରାଯାଉଥିବା ସେମାନେ ନିବେଶକମାନଙ୍କୁ କହିଥିଲେ। କିଛି ନିବେଶକ ଦୁବାଇ ଯାଇ ସତ ଜାଣିବାକୁ ଚାହିଥିଲେ। ସେମାନଙ୍କୁ ଠକମାନେ ଏକ ନିର୍ମାଣାଧୀନ କୋଠା ଦେଖାଇଥିଲେ। ମହାରାଷ୍ଟ୍ରର ଏକ ବ୍ୟାଙ୍କରେ କୋଅପରେଟିଭ୍ ସୋସାଇଟି ଥିବା ମଧ୍ୟ ଠକମାନେ ଦାବି କରିଥିଲେ ଯାହା ସତ ନୁହେଁ ବୋଲି ତଦନ୍ତରୁ ଜଣାପଡ଼ିଛି।

ପ୍ରାୟ ୧.୪୭ କୋଟି ଟଙ୍କା ହରାଇଥିବା ଜଣେ ନିବେଶକ କହିଛନ୍ତି ଯେ ଆମକୁ ଯେଉଁ କ୍ରିପ୍ଟୋକରେନ୍ସି ପ୍ରଦର୍ଶନ କରାଯାଇଥିଲା ତାହାର ମୂଲ୍ୟ ଅଢ଼େଇ ଡଲାର ଥିଲା। ଆଗାମୀ ଦିନରେ ଦାମ୍ ଆକାଶଛୁଆଁ ହେବ ବୋଲି କୁହାଯାଇଥିଲା। ଆହୁରି ବହୁ ଦେଶରେ କ୍ରିପ୍ଟୋର ଶୁଭାରମ୍ଭ କରାଯିବ ବୋଲି ଠକମାନେ ପ୍ରତିଶ୍ରୁତି ଦେଇଥିଲେ। ସେମାନେ ଦୁଇଟି ୱେବସାଇଟ୍‌ ତିଆରି କରିଥିଲେ। ନିବେଶର ସ୍ଥିତି ଜାଣିବା ଲାଗି ତାହା ବ୍ୟବହାର କରିବାକୁ ନିବେଶକମାନଙ୍କୁ କୁହାଯାଇଥିଲା। ମାତ୍ର ଯେତେବେଳେ କିଛି ନିବେଶକ ଟଙ୍କା ଉଠାଇବାକୁ ଉଦ୍ୟମ କଲେ ତାହା ସମ୍ଭବ ହେଲା ନାହିଁ। ଏବିଷୟରେ କିଛି ନିବେଶକ ଜଣାଇବା ପରେ ତାଙ୍କୁ କୁହାଯାଇଥିଲା ଯେ ପ୍ରତି ମାସର ୫, ୧୫ ଏବଂ ୨୫ ତାରିଖରେ ଟଙ୍କା ଆପେ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଯିବ।

ବିପଦପୂର୍ଣ୍ଣ କ୍ରିପ୍ଟୋ କ’ଣ?
କ୍ରିପ୍ଟୋକରେନ୍ସି ହେଉଛି ଏକ ପ୍ରକାର ଡିଜିଟାଲ ମୁଦ୍ରା ଯାହା ଘରୋଇ ସଂସ୍ଥ‌ା ଦ୍ବାରା ପରିଚାଳିତ ହେଉଛି। ଏହା କାହାର ନିୟନ୍ତ୍ରଣରେ ନାହିଁ। କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏହାକୁ ନିୟନ୍ତ୍ରଣ କରିପାରୁନାହାନ୍ତି। ବିଶ୍ବ ଆର୍ଥିକ ବ୍ୟବସ୍ଥା ପ୍ରତି ତାହା ହେଉଛି ସବୁଠୁ ବଡ଼ ବିପଦ। ଏହା ଜରିଆରେ ଡ୍ରଗ୍ସ କାରବାର, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ ଏବଂ ଟିକସ ଠକେଇ ସହଜରେ ହୋଇପାରିବ ବୋଲି ଅଭିଯୋଗ ହେଉଛି। କ୍ରିପ୍ଟୋକରେନ୍ସିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆରମ୍ଭରୁ ବିରୋଧ କରୁଛନ୍ତି। ତାହାର କିଛି ବି ମୂଲ୍ୟ ନାହିଁ। ନିଜ ରିସ୍କରେ କ୍ରିପ୍ଟୋରେ ‌ନିବେଶ କରିବାକୁ ସେ ଲୋକମାନଙ୍କୁ କହିଥିଲେ। କ୍ରିପ୍ଟୋର ବିକଳ୍ପ ଭାବେ ରିଜର୍ଭ ବ୍ୟାଙ୍କ ନିଜସ୍ବ ଡିଜିଟାଲ୍‌ ମୁଦ୍ରା ଇ-ରୁପିର ପରୀକ୍ଷଣ ଆରମ୍ଭ କରାଯାଇଛି।