ସେବା କ୍ଷେତ୍ର ପାଇଁ ୫ ହଜାର କୋଟି

କ୍ୟାବିନେଟ୍‌ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇଟି, ପର୍ଯ୍ୟଟନ ଏବଂ ଆତିଥେୟତା ଭଳି ୧୨ଟି ସେବା କ୍ଷେତ୍ର ପାଇଁ ପାଞ୍ଚ ହଜାର କୋଟି ଟଙ୍କାର ଏକ ଉତ୍ସର୍ଗୀକୃତ ପାଣ୍ଠି ଗଠନ କରାଯିବ। ଏହି ପାଣ୍ଠି ଗଠନ ହୋଇଯିବା ପରେ ସେଥିରେ ଥିବା ଅର୍ଥରାଶିକୁ ବିଭିନ୍ନ କ୍ଷେତ୍ରର ଆକ୍ସନ୍‌ ପ୍ଲାନ୍‌ରେ ବ୍ୟବହାର କରାଯିବ। ବାଣିଜ୍ୟ ମନ୍ତ୍ରଣାଳୟର ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍‌ କମିଟିରେ ମଞ୍ଜୁରି ପ୍ରଦାନ କରାଯାଇଛି। ଯେଉଁ ୧୨ଟି ଚାମ୍ପିଆନ୍‌ କ୍ଷେତ୍ର ଚିହ୍ନଟ କରାଯାଇଛି ସେଥିପାଇଁ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ସଂପୃକ୍ତ ବିଭାଗ ଏବଂ ମନ୍ତ୍ରଣାଳୟଗୁଡ଼ିକୁ କୁହାଯାଇଛି। ଆକ୍ସନ୍‌ ପ୍ଲାନ୍‌ ଅନୁସାରେ ପାଣ୍ଠି ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଛି। ଚିହ୍ନଟ କରାଯାଇଥିବା ଚାମ୍ପିଆନ୍‌ କ୍ଷେତ୍ରଗୁଡ଼ିକ ହେଉଛି ମେଡିକାଲ୍‌ ଭାଲ୍ୟୁ ଟ୍ରାଭେଲ୍‌, ପରିବହନ ଏବଂ ଲଜିଷ୍ଟିକ୍‌ ସେବା, ଆକାଉଣ୍ଟିଂ ଏବଂ ଆର୍ଥିକ ସେବା, ଅଡିଓ ଭିଜୁଆଲ୍‌ ସେବା, ଆଇନ ସେବା, ଯୋଗାଯୋଗ, କନଷ୍ଟ୍ରକ୍ସନ୍‌ ଏବଂ ତତ୍‌ ସଂକ୍ରାନ୍ତୀୟ ଇଞ୍ଜିନିୟରିଂ ସେବା ଓ ଶିକ୍ଷା ସେବା।

୨୦୨୦ ପର୍ଯ୍ୟନ୍ତ ଜାରି ରହିବ ପିଏମ୍‌ଇଜିପି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ୨୦୧୯-୨୦ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୫୫୦୦ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ଏହା ଅଧିକ ତିନି ବର୍ଷ ପର୍ଯ୍ୟନ୍ତ ଜାରି ରହିବ। ଏହି ତିନି ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମରେ ୧୫ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ।

ସମ୍ବନ୍ଧିତ ଖବର