ନାଲ୍‌କୋର ଷଷ୍ଠ ବେତନ ରାଜିନାମା ସ୍ବାକ୍ଷରିତଲାଭବାନ ହେବେ ୫୦୦୦ରୁ ଅଧିକ କର୍ମଚାରୀ

୫ଟି ସ୍ବୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ସହ ରାଜିନାମା ସ୍ବାକ୍ଷରିତ

ଭୁବନେଶ୍ବର: ନବରତ୍ନ ଆଲୁମିନିୟମ କଂପାନି ନାଲ୍‌କୋ ପକ୍ଷରୁ କଂପାନିର କର୍ପୋରେଟ୍ କାର୍ଯ୍ୟାଳୟରେ ପାଞ୍ଚଟି ସ୍ବୀକୃତିପ୍ରାପ୍ତ ଟ୍ରେଡ୍‌ ୟୁନିଅନ୍ (ଶ୍ରମିିକ ସଂଗଠନ) ସହିତ ଷଷ୍ଠ ଦୀର୍ଘମିଆଦୀ ବେତନ ରାଜିନାମା ସ୍ବାକ୍ଷର କରାଯାଇଛି। ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରେକର୍ଡ ୧୦୦ ଦିନର ସମୟ ଭିତରେ ଶାନ୍ତିପୂର୍ଣ୍ଣ ଭାବେ ବେତନ ‌ବୁଝାମଣା ହୋଇଥିଲା। ଏହାକୁ ଶ୍ରମିକ ସଂଗଠନଗୁଡ଼ିକ ‘ଐତିହାସିକ’ ବୋଲି କହିଛନ୍ତି। ଏହି ବେତନ ବୁଝାମଣା ଯୋଗୁ ୫୦୦୦ରୁ ଅଧିକ କର୍ମଚାରୀ ବାର୍ଷିକ ଅତିରିକ୍ତ ୨୨୫ କୋଟି ଟଙ୍କାର ଲାଭ ପାଇବେ। ଏହି ବୁଝାମଣା ପାଇଁ କଂପାନିର ମାନବ ସମ୍ବଳ ଟିମ୍‌କୁ ଶ୍ରୀ ଚାନ୍ଦ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ କଂପାନିର ବ୍ୟବସାୟ ସଂସ୍କୃତିରେ ଉନ୍ନତି ଆଣିବାରେ ଏହା ଦୀର୍ଘସ୍ଥାୟୀ ସାବ୍ୟସ୍ତ ହେବ। କଂପାନିର ଲକ୍ଷ୍ୟ ହାସଲ କରିବାରେ ଏହା ପ୍ରେରଣା ଓ ଉତ୍ସାହର ଉତ୍ସ ହେବ। ଏହି ବେତନ ରାଜିନାମା କଂପାନିକୁ ଚାରି ଅଙ୍କ ଏବଂ ପାଞ୍ଚ ଅଙ୍କ ବିଶିଷ୍ଟ କାରବାର ଏବଂ ଲାଭ ହାସଲ କରିବାରେ ସହାୟକ ହେବ ବୋଲି ଶ୍ରୀ ଚାନ୍ଦ କହିଛନ୍ତି। ୨୦୧୭-୧୮ରେ ନାଲ୍‌କୋ ୧୩୪୨ କୋଟି ଟଙ୍କାର ଲାଭ କରିଥିବା ବେଳେ ୨୦୧୮-୧୯ରେ ତାହା ୧୬୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର