ନୂଆଦିଲ୍ଲୀ: ଚାକିରି ଲୋଭରେ ବିଦେଶ ଯାଇଥିବା ଭାରତୀୟମାନେ କିଭଳି ଦୟନୀୟ ଜୀବନ କାଟୁଛନ୍ତି ତାହାର ଏକ ବିକଳ ଚିତ୍ର କାମ୍ବୋଡ଼ିଆରୁ ଆସିଛି। ପ୍ରାୟ ୫୦୦୦ ଭାରତୀୟ ସେଠାରେ ଫସିରହିଛନ୍ତି। ଚାକିରି ପାଇଁ ଯାଇଥିବା ଏହି ଲୋକମାନଙ୍କୁ ସେମାନଙ୍କ ଅନିଚ୍ଛା ସତ୍ତ୍ବେ ସେଠାରେ ସାଇବର କ୍ରୀତଦାସ ଭାବେ ନିୟୋଜିତ କରାଯାଇଛି। ଭାରତରେ ଥିବା ପରିଚିତ ଲୋକମାନଙ୍କୁ ଠକିବା ଲାଗି ତାଙ୍କୁ ବାଧ୍ୟ କରାଯାଉଛି। ଏକଥା ଜାଣିବା ପରେ ଭାରତ ସରକାରଙ୍କ ଦୂତାବାସ ପକ୍ଷରୁ ଫସିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ଗତ ତିନି ମାସରେ ୭୫ ଜଣ ଲୋକଙ୍କୁ ଉଦ୍ଧାର କରି ଭାରତ ପଠାଇଛି। ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ବୋଲି ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ ସୂଚନା ଦେଇଛନ୍ତି।
କାମ୍ବୋଡ଼ିଆ ଜରିଆରେ ଗତ ଛଅ ମାସରେ ୫୦୦ କୋଟି ଟଙ୍କାରୁ ଅଧିକ ସାଇବର ଠକେଇ ହୋଇଛି। କାମ୍ବୋଡ଼ିଆରେ ଚାକିରି ଦେବା ନାଁରେ ବହୁ ଲୋକଙ୍କୁ ସେଠାକୁ ପଠାଯାଉଥିବା ବିଷୟରେ ଗତବର୍ଷ ଜଣାପଡ଼ିଥିଲା। ଓଡ଼ିଶାର ରାଉରକେଲା ପୁଲିସ ଏଭଳି ଏକ ମାମଲାରେ ୮ ଜଣଙ୍କୁ ଗିରଫ କରିଥିଲା।
ନିକଟରେ କାମ୍ବୋଡ଼ିଆରୁ ଉଦ୍ଧାର ହୋଇଥିବା ଷ୍ଟିଫେନ୍ ନାମକ ଜଣେ ବ୍ୟକ୍ତିଙ୍କ କହିବାନୁସାରେ ତାଙ୍କ ପାଖରେ ଆଇଟିଆଇ ଡିଗ୍ରି ଥିଲା ଓ କରୋନା ମହାମାରୀ ସମୟରେ ସେ ଏକ କମ୍ପ୍ୟୁଟର କୋର୍ସ କରିଥିଲେ। କାମ୍ବୋଡ଼ିଆରେ ଭଲ ଦରମାରେ ଡାଟା ଏଣ୍ଟ୍ରି ଚାକିରି ଲାଗି ତାଙ୍କୁ ସେଠାକୁ ନିଆଯାଇଥିଲା। ମାତ୍ର ଇମିଗ୍ରେସନରେ ପହଞ୍ଚିବା ପରେ ତାଙ୍କୁ ପର୍ଯ୍ୟଟକ ଭିସା ଜରିଆରେ ନିଆଯିବାରୁ ତାଙ୍କର କିଛିଟା ସନ୍ଦେହ ହୋଇଥିଲା। କାମ୍ବୋଡ଼ିଆରେ ପହଞ୍ଚିବା ପରେ ସେଠାରେ ଏକ କାର୍ଯ୍ୟାଳୟରେ ତାଙ୍କର ସାକ୍ଷାତକାର ନିଆଯାଇଥିଲା। ଚୀନ୍ର ଜଣେ ବ୍ୟକ୍ତି ସାକ୍ଷାତକାର ନେଇଥିଲେ ଓ ମାଲେସିଆର ଜଣେ ବ୍ୟକ୍ତି ଅନୁବାଦ କରିବାରେ ସାହାଯ୍ୟ କରୁଥିଲେ। ମାତ୍ର ତାଙ୍କ ପ୍ରକୃତ କାମ କ’ଣ ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା।
୧୨ ଘଣ୍ଟିଆ ଖଟଣି
ଟାର୍ଗେଟ୍ ପୂରଣ ନକଲେ ମିଳୁନି ଖାଇବା ଓ ବିଶ୍ରାମ
ପାସ୍ପୋର୍ଟ ଜବତ ପରେ ଫେରିବା ବାଟ ବନ୍ଦ
ଉଦ୍ଧାର ହେଲେଣି ୨୫୦
ସାମାଜିକ ଗଣମାଧ୍ୟମରେ ଝିଅର ପରିଚୟ ଦେଇ ପ୍ରୋଫାଇଲ୍ ଖୋଜିବା ଓ ସେମାନଙ୍କୁ ଠକିବା ଲାଗି ଉଦ୍ୟମ କରିବା ସେମାନଙ୍କ ମୁଖ୍ୟ କାମ ଥିଲା। ଦିନକୁ ୧୨ ଘଣ୍ଟା ଖଟିବାକୁ ପଡ଼ୁଥିଲା। ବଡ଼ ବଡ଼ ଟାର୍ଗେଟ୍ ଦିଆଯାଉଥିଲା। ଯେଉଁମାନେ ଟାର୍ଗେଟ୍ ପୂରଣ କରିବାରେ ବିଫଳ ହେଉଥିଲେ ସେମାନଙ୍କୁ ଖାଇବା ଓ ବିଶ୍ରାମ କରିବାର ସୁଯୋଗ ଦିଆଯାଉ ନଥିଲା। ସାଇବର କ୍ରୀତଦାସ ଭାବେ ଗୋଟିଏ ମାସ କାମ କରିବା ପରେ ସେ ନିଜ ପରିବାର ସହ ଯୋଗାଯୋଗ କରିବାରେ ସଫଳ ହୋଇଥିଲେ। ଚାକିରି ଆଶାରେ କାମ୍ବୋଡ଼ିଆରେ ପହଞ୍ଚୁଥିବା ଭାରତୀୟମାନଙ୍କ ପାସ୍ପୋର୍ଟକୁ କମ୍ପାନି ନେଇଯାଉଥିଲା। ଫଳରେ ସେମାନଙ୍କ ଲାଗି ଫେରିବା ଅସମ୍ଭବ ହୋଇପଡ଼ୁଛି। ଦିନକୁ ୧୨ ଘଣ୍ଟା ଖଟିବାକୁ ବାଧ୍ୟ କରାଯାଉଛି। ଯେଉଁମାନେ ରାଜି ହେଉନାହାନ୍ତି ସେମାନଙ୍କୁ ଶାରିରୀକ ନିର୍ଯାତନା, ଇଲେକ୍ଟ୍ରିକ୍ ସକ୍ ଭଳି ଦଣ୍ଡ ଦିଆଯାଉଛି। ବହୁ ଲୋକ ନିଜ ଇଚ୍ଛା ବିରୋଧରେ ସେଠାରେ ସାଇବର କ୍ରୀତଦାସ ଭାବେ କାମ କରୁଛନ୍ତି।