‘ରାମାୟଣ’ ଓ ‘ମହାଭାରତ’ ପରେ ଦୂରଦର୍ଶନରେ ପ୍ରସାରିତ ହେବ ‘ଶ୍ରୀକ୍ରିଷ୍ଣା’ ସିରିଜ୍‌

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଓ ‘ମହାଭାରତ’ ଦୂରଦର୍ଶନରେ ପୁନଃ ପ୍ରସାରଣ ହେବା ପରେ ଏବେ ‘ଶ୍ରୀକ୍ରିଷ୍ଣା’ର ପୁନଃ ପ୍ରସାରଣ ହେବ ବୋଲି ସୂଚନା ମିଳିଛି। ରାମାନନ୍ଦ ସାଗରଙ୍କ ଏହି ସିରିଜ୍‌ଟି ଦୂରଦର୍ଶନରେ ପ୍ରସାରିତ ହେବ ବୋଲି ପ୍ରସାରଭାରତୀର  ଟ୍ବିଟର୍‌ ପେଜ୍‌ରୁ ଜାଣିବାକୁ ମିଳିଛି।

ଟ୍ବିଟର୍‌ରେ ଏକ ପ୍ରୋମ କ୍ଲିପ୍‌ ସେୟାର୍‌ କରି ପ୍ରସାରଭାରତୀ ପକ୍ଷରୁ ଲେଖାଯାଇଛି ‘ଖୁବ୍‌ ଶୀଘ୍ର ଆସୁଛି’। ପ୍ରୋମ ଭିଡିଓଟିରେ ଭଗବାନ ଶ୍ରୀକୃଷ୍ଣ କନିଷ୍ଠ ଆଙ୍ଗୁଠିରେ ଗୋବର୍ନ୍ଧନ ପର୍ବତ ଉଠାଇବା ସହ କାଳୀୟ ନାଗ ଉପରେ ନୃତ୍ୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସୋ’ଟି ଡିଡି ନ୍ୟାସ୍‌ନାଲ୍‌ରେ ପ୍ରସାରଣ କରାଯିବ। ତେବେ ଏହାର ତାରିଖ ଓ ସମୟ ଖୁବ୍ ଶୀଘ୍ର ପ୍ରକାଶ କରାଯିବ ବୋଲି କୁହାଯାଇଛି।

ପୂର୍ବରୁ ଡିଡି ନେସ୍‌ନାଲ୍‌ରେ ପୁନଶ୍ଚ ପ୍ରସାର କରାଯାଇଥିବା ‘ରାମାୟଣ’ ବହୁ ଲୋକପ୍ରିୟତା ହାସଲ କରିଛି। ଏହାକୁ ଅନେକ ଲୋକ ଦେଖିଛନ୍ତି ବୋଲି ଟିଆର୍‌ପି ରିପୋର୍ଟରୁ ଜାଣିବାକୁ ମିଳିଛି।

ଏହି ‘ ଶ୍ରୀକ୍ରିଷ୍ଣା’ ସିରିଜ୍‌ଟିକୁ ବି ପୁନଶ୍ଚ ଲୋକ ଦେଖିବେ ବୋଲି ଆଶା ରଖାଯାଇଛି। ଏହାକୁ ଲେଖିଛନ୍ତି ଓ ପ୍ରଯୋଜନା ଦେଇଛନ୍ତି ରାମାନନ୍ଦ ସାଗର। ଏହି ସରିଜି୍‌ଟି ୧୯୯୩ରୁ ୧୯୯୬ ମସିହା ଭିତରେ ଦୂରଦର୍ଶନର ମେଟ୍ରୋ ଚ୍ୟାନେଲ୍‌ ଡିଡି-୨ରେ ପ୍ରସାରିତ ହେଉଥିଲା।

ସମ୍ବନ୍ଧିତ ଖବର