ଶ୍ରମିକ ଅଭାବ ଯୋଗୁଁ କୃଷିଭିତ୍ତିକ ଶିଳ୍ପ କାର୍ଯ୍ୟ ବ୍ୟାହତ, ଫିକି ୱେବିନାର୍‌ରେ ବକ୍ତାଙ୍କ ମତ

ଭୁବନେଶ୍ବର: କରୋନା ମହାମାରୀ ପାଇଁ ଦେଶରେ କାର୍ଯ୍ୟକାରୀ ହେଉଥିବା ଲକ୍‌ଡାଉନ୍ ଅବଧିରେ ସରକାର ସାମଗ୍ରୀ ଓ ସେବା ପରିବହନକୁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଲୋକମାନଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବାରୁ କୃଷିଭିତ୍ତିକ ଶିଳ୍ପ ଗୁଡ଼ିକର କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଶ୍ରମିକ, ବିଶେଷ କରି କୃଷି ଶ୍ରମିକଙ୍କ ଅଭାବ ଯୋଗୁଁ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ହୋଇପାରୁନାହିଁ। ଦେଶର ପ୍ରମୁଖ ଶିଳ୍ପ ସଂଘ ଫିକିର ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ‘କୋଭିଡ-୧୯ ସଙ୍କଟ ପରିପ୍ରେକ୍ଷୀରେ କୃଷିଭିତ୍ତିକ ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ସମସ୍ୟା’ ଶୀଷର୍କରେ ଆୟୋଜିତ ୱେବିନାର୍‌ରେ ଯୋଗଦେଇ ବକ୍ତାମାନେ ଉପରୋକ୍ତ ମତ ରଖିଛନ୍ତି। ୱେବିନାର୍‌ରେ ଫିକି ଓଡ଼ିଶା ପରିଷଦର ଅଧ୍ୟକ୍ଷା ମୋନିକା ନୈୟାର ପଟ୍ଟନାୟକ ଏବଂ ଫିକି ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କମିଟିର ଅଧ୍ୟକ୍ଷ ଜେ କେ ରଥ କୃଷିଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଏମ୍‌ଏସ୍‌ଏମ୍‌ଇ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କ୍ଷେତ୍ରର ସମସ୍ୟା ଉପରେ ଆଲୋଚନା କରିଥିଲେ। ଲକ୍‌ଡାଉନ୍ ଅବଧିରେ ଯଦିଓ ବିଭିନ୍ନ କ୍ଷେତ୍ର ପାଇଁ କଟକଣା କୋହଳ କରାଯାଇଛି କିନ୍ତୁ ଶ୍ରମିକମାନଙ୍କ ଯାତାୟାତ ଉପରେ କଟକଣା ରହିବା ଏବଂ ସର୍ବନିମ୍ନ ଶ୍ରମିକଙ୍କ ଅଭାବ ଯୋଗୁଁ କୃଷିଭିତ୍ତିକ ଶିଳ୍ପର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କୃଷି କ୍ଷେତ୍ରର ପ୍ରମୁଖ ଆନୁଷଙ୍ଗିକ ଶିଳ୍ପ ଯଥା ଝୋଟ ଶିଳ୍ପ, ବିହନ ପ୍ୟାକେଜିଂ, ପନିପରିବା ଚାଷ, କୁକୁଡ଼ା ପାଳନ ଏବଂ ପୋଖରୀରେ ମାଛ ଚାଷ ଗୁରତର ଭାବେ ପ୍ରଭାବିତ ହୋଇଛି। ଏଥିଯୋଗୁଁ କୃଷକ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଉଦ୍ୟୋଗୀଙ୍କୁ ବହୁ ପରିମାଣର ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି ବୋଲି ଏମାନେ ମତ ଦେଇଛନ୍ତି। ୱେବିନାରରେ ଉଦବୋଧନ ଦେଇ ଆପିକଲ୍ ଏମ୍‌ଡି ପ୍ରଫେସର ପି କେ ରାଉଳ କହିଥିଲେ, ରାଜ୍ୟରେ କୃଷି ଏବଂ କୃଷିଭିତ୍ତିକ ଶିଳ୍ପର କାର୍ଯ୍ୟ ଯେଭଳି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ୩୦ ଟି ଜିଲ୍ଲାର ବରିଷ୍ଠ କୃଷି ଅଧିକାରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠି ସମସ୍ୟା ରହିଛି ତାହାକୁ ଦୂର କରିବା ପାଇଁ ବିଭାଗର ବରିଷ୍ଠ ଅଧିକାରୀମାନେ ନିରନ୍ତର ଚେଷ୍ଟା ଚଳାଇଛନ୍ତି ବୋଲି ପ୍ରଫେସର ରାଉଳ କହିଥିଲେ। ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ସଚିବ ୟୁ ଏନ୍‌ ଦାସ ଯୋଗଦେଇ କହିଥିଲେ, କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୨୦ ତାରିଖରୁ କେତେକ ଶିଳ୍ପ କାର୍ଯ୍ୟ ଉପରୁ ଲକ୍‌ଡାଉନ୍‌କୁ ଆଂଶିକ ଭାବେ ପ୍ରତ୍ୟାହାର କରି ନିଆଯିବ। ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ ଏବଂ ଶିଳ୍ପାଞ୍ଚଳରେ ଥିବା ଅଧିକାଂଶ ଏମ୍‌ଏସ୍‌ଏମ୍‌ଇ ୨୦ ତାରିଖ ପରେ କାରଖାନାରେ କାର୍ଯ୍ୟ ଆରମ୍ଭ କରିପାରିବେ। ବୋଲି ସେ କହିଛନ୍ତି। ସେସବୁ ମତାମତ ଓ ପରାମର୍ଶ ଗୁଡ଼ିକୁ ବିଚାର ଏବଂ କାର୍ଯ୍ୟକାରୀ କରିବା ପାଇଁ ଫିକି ପକ୍ଷରୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର