ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୫୧ ଉଦ୍ୟୋଗୀ, ସବୁ ସହରରେ ୧୪୪ ଧାରା ଲାଗୁ ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ: କରୋନା ଭୂତାଣୁ ବ୍ୟାପୁଥିବା ପରିପ୍ରେକ୍ଷୀରେ ଆଜି ୫୧ ଜଣ ଉଦ୍ୟୋଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। କରୋନାକୁ ବ୍ୟାପିବାରୁ ରୋକିବା ଲାଗି ପ୍ରମୁଖ ସହରଗୁଡ଼ିକରେ ୧୪୪ ଧାରା ଲଗାଇବାକୁ କହିଛନ୍ତି। ଆସନ୍ତା ମାର୍ଚ୍ଚ ୨୦ ତାରିଖ ପରଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ପ୍ରମୁଖ ସହରଗୁଡ଼ିକରେ କ‌ଠୋର କଟକଣା ଲଗାଇ ଲୋକମାନଙ୍କୁ ଘର ଭିତରେ ରଖିବାକୁ ସେମାନେ ଦାବି କରିଛନ୍ତି। ଅର୍ବାନ କଂପାନିର ସହ ପ୍ରତିଷ୍ଠାତା ଅଭିରାଜ ସିଂହ ଏନେଇ ଟୁଇଟ୍‌ କରିଛନ୍ତି।

ସେ ଜଣାଇଛନ୍ତି ଯେ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଜାପାନ ଭଳି ଦେଶ ଆଗୁଆ କଠୋର ଭା‌‌ବେ ପଦକ୍ଷେପ ଗ୍ରହଣ କରି କରୋନାକୁ ନିୟନ୍ତ୍ରଣ କରିପାରଛନ୍ତି। ମାତ୍ର ଇରାନ, ଇଟାଲି ଓ ଆମେରିକା ଭଳି ଦେଶ ଅଧିକ ସମୟ ଅପେକ୍ଷା କରି ଓ ସ୍ଥିତି ଉପରେ ନଜର ରଖିବା କାରଣରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଉଦ୍ୟୋଗୀମାନେ ଚିଠିରେ ଜଣାଇଛନ୍ତି ଯେ, କରୋନା ଭୂତାଣୁ ଦେଶଗୁଡ଼ିକ ଭିତରେ ଭେଦଭାବ କରିବ ନାହିଁ। ତେଣୁ ଏହାର ସଂକ୍ରମଣକୁ ରୋକିବା ଲାଗି ଆଗୁଆ, ଦୃଢ଼ ଓ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ପ୍ରାୟ ୫୧ ଜଣ ଉଦ୍ୟୋଗୀ ଏହି ଦାବିଗୁଡ଼ିକୁ ସମର୍ଥନ କରିଛନ୍ତି। ସେମାନଙ୍କ ମଧ୍ୟରେ ସ୍ନାପ୍‌ଡିଲ୍‌ର କୁନାଲ୍‌ ବେହଲ, ରେଡ୍‌ ବସ୍‌ର ଫନିନ୍ଦ୍ର ସାମା ଓ ମ୍ୟାପ୍‌ମାଇଁ ଇଣ୍ଡିଆର ରୋହନ ଭେରଜ୍‌ମାଙ୍କ ଭଳି ଉଦ୍ୟୋଗୀ ଅଛନ୍ତି। ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ, ମଲ୍ ଓ ସିନେମା ହଲ୍‌ ଆଦି ବନ୍ଦ କରି ଏବଂ ସାମାଜିକ କାର୍ଯ୍ୟକ୍ରମରେ ଏକଜୁଟ ନହେବା ଲାଗି ଲୋକମାନଙ୍କୁ ପରାମର୍ଶ ଦେଇ କରୋନା ଭୂତାଣୁକୁ ଅଟକାଇବା ଦିଗରେ ଆମ ଦେଶ ଭଲ ଆରମ୍ଭ କରିଛି। ଯଦି ଦ୍ବିତୀୟ ଥର ଲାଗି କଟକଣା ଲଗାଇବା ଭଳି ସ୍ଥିତି ଉପୁଜିବ ତାହାକୁ ଦୃଷ୍ଟିରେ ରଖି ଖାଦ୍ୟ, ଔଷଧ, ଟଙ୍କା ଓ ସାର୍ବଜନୀନ ଗମନାଗମନ ବ୍ୟବସ୍ଥା ଭଳି ଅତ୍ୟାବଶ୍ୟକ ଯୋଗାଣକୁ ନିଶ୍ଚିତ କରିବାକୁ ହେବ ବୋଲି ଉଦ୍ୟୋଗୀମା‌ନେ କହିଛନ୍ତି।

ସମ୍ବନ୍ଧିତ ଖବର