୫୧ ଅତ୍ୟାବଶ୍ୟକ ଔଷଧ ମୂଲ୍ୟ କମିଲା

ନୂଆଦିଲ୍ଲୀ: ଜାତୀୟ ଔଷଧ ମୂଲ୍ୟ ନିୟମାକ ସଂସ୍ଥା ଏନ୍‌ପିପିଏ ପକ୍ଷରୁ ୫୧ଟି ଅତ୍ୟାବଶ୍ୟକ ଔଷଧର ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ସେହି ମୂଲ୍ୟଠାରୁ ଅଧିକ ଦରରେ ଏହି ଔଷଧଗୁଡ଼ିକୁ ବିକ୍ରି କରାଯାଇପାରିବ ନାହିଁ। କର୍କଟ ରୋଗ, ଯନ୍ତ୍ରଣା, ହୃଦ ରୋଗ ଏବଂ ଚର୍ମ ରୋଗ ସମ୍ପର୍କିତ ଔଷଧ ମୂଲ୍ୟର ସୀମା ଧାର୍ଯ୍ୟ କରାଯାଇଛି। ଏହି ସବୁ ଔଷଧଗୁଡ଼ିକର ମୂଲ୍ୟରେ ୬ରୁ ୫୩% ପର୍ଯ୍ୟନ୍ତ ହ୍ରାସ ପାଇଛି। ଅନ୍ୟ ଏକ ବିଜ୍ଞପ୍ତି ଜାରି କରି ଏନ୍‌ପିପିଏ ପକ୍ଷରୁ କୁହାଯାଇଛି ଯେ ୧୩ ପ୍ରକାର ମିଶ୍ରଣର ସର୍ବୋଚ୍ଚ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅନ୍ୟ ୧୫ଟି ମିଶ୍ରଣର ଦର ସଂଶୋଧନ କରାଯାଇଛି। ଏନ୍‌ପିପିଏ ୨୩ଟି ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ମଧ୍ୟ ଘୋଷଣା କରାଯାଇଛି।

ଜାପାନୀ ଏନ୍‌ସେଫାଲାଇଟିସ୍‌ ଟିକାଠାରୁ ଆରମ୍ଭ କରି କର୍କଟ ରୋଗ ପାଇଁ ବ୍ୟବହାର କରାଯାଉଥିବା ଓକ୍ସାଲିପ୍ଲାଟିନ୍‌ ଇଞ୍ଜେକ୍ସ, ମିଳିମିଳା ରୋଗର ଟିକା, ନିଶ୍ଚେତକ ସେଭୋଫ୍ଲୁରାନେ, ଫାଇଟୋମେନାଡାୟୋନ ଏବଂ ଟିବି ଔଷଧ ବିସିଜି ଟିକାର ସର୍ବୋଚ୍ଚ ମୂଲ୍ୟ ଧାର୍ଯ୍ୟ କରାଯାଇଛି।

ଔଷଧ (ମୂଲ୍ୟ ନିୟନ୍ତ୍ରଣ) ଅର୍ଡର (ଡିପିସିଓ) ୨୦୦୩ର ସିଡ୍ୟୁଲ ୧ ଅନୁଯାୟୀ ଏନ୍‌ପିପିଏ ପକ୍ଷରୁ ଅତ୍ୟାବଶ୍ୟକ ଔଷଧଗୁଡ଼ିକର ସର୍ବୋଚ୍ଚ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଏନ୍‌ପିପିଏର ପୁରା ନାମ ହେଉଛି ନ୍ୟାସନାଲ୍‌ ଫାର୍ମାସ୍ୟୁଟିକାଲ୍‌ ପ୍ରାଇସିଂ ଅଥରିଟି (ଜାତୀୟ ଫାର୍ମାସ୍ୟୁଟିକାଲ୍‌ ମୂଲ୍ୟ କର୍ତୃପକ୍ଷ)। ଯେଉଁ ଔଷଧଗୁଡ଼ିକର ସର୍ବୋଚ୍ଚ ମୂଲ୍ୟ ଧାର୍ଯ୍ୟ କରାଯାଇନାହିଁ, ସେଗୁଡ଼ିକର ମୂଲ୍ୟରେ କଂପାନି ପକ୍ଷରୁ ବର୍ଷକୁ ୧୦% ବୃଦ୍ଧି କରାଯାଇପାରିବ।

ସମ୍ବନ୍ଧିତ ଖବର