ଦେଶ ଛାଡ଼ି ଫେରାର ୫୧ ଆର୍ଥିକ ଅପରାଧୀ, ଠକିଛନ୍ତି ୧୭,୯୦୦ କୋଟି

ନୂଆଦିଲ୍ଲୀ: ୫୧ ଜଣ ଆର୍ଥିକ ଅପରାଧୀ ଦେଶ ଛାଡ଼ି ବାହାରକୁ ପଳାଇଛନ୍ତି। ଏମାନେ ମୋଟ ୧୭,୯୦୦ କୋଟି ଟଙ୍କା ଠକିଛନ୍ତି ବୋଲି ଆଜି ସଂସଦରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ସୂଚନା ଦେଇଛନ୍ତି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି। ଏସବୁ ଜାଲିଆତି ମାମଲାର ସିବିଆଇ ତଦନ୍ତ କରୁଛି। ଜାଲିଆତି କରି ୫୧ ଜଣ ଦେଶ ଛାଡ଼ି ଚାଲି ଯାଇଛନ୍ତି ଏବଂ ସେମାନଙ୍କ ବିରୋଧରେ ମୋଟ ୬୬ଟି ମାମଲା ରୁଜୁ ହୋଇଛି। ଆର୍ଥିକ ସେବା ବିଭାଗର ତଥ୍ୟ ଅନୁସାରେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଏହି ଖିଲାପକାରୀଙ୍କୁ ଋଣ ପ୍ରଦାନ କରାଯାଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଦେଶ ଛାଡ଼ି ପଳାଇଯାଇଥିବା ୫୧ ଜଣଙ୍କୁ ପ୍ରତ୍ୟର୍ପଣ ପାଇଁ ସିବିଆଇ ସମ୍ପୃକ୍ତ ଦେଶମାନଙ୍କ ନିକଟରେ ଆଦେଦନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଠାକୁର ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକ୍‌ସିଙ୍କ ଭଳି ଆର୍ଥିକ ଅପରାଧୀ ଭାରତୀୟ ବ୍ୟାଙ୍କ ଗୁଡ଼ିକରୁ କୋଟି କୋଟି ‌ଟଙ୍କା ଠକି ଗତ କିଛିବର୍ଷ ହେଲା ବିଦେଶ ପଳାଇଛନ୍ତି। ଏଭଳି ଅପରାଧୀଙ୍କ ମଧ୍ୟରୁ କେତେଜଣକୁ ଭାରତକୁ ପ୍ରତ୍ୟର୍ପଣ କରି ଆଣିବା ଲାଗି ସରକାର ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେଥିରେ ସଫଳ ହୋଇନାହାନ୍ତି। ବିଦେଶରେ ସେମାନେ ବିଳାସପୂର୍ଣ୍ଣ ଜୀବନଯାଜନ କରୁଛନ୍ତି।

ସମ୍ବନ୍ଧିତ ଖବର