ଭୁବନେଶ୍ବର: ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ଆଜି ୫୧୧.୧୯ କୋଟି ଟଙ୍କାର ୭ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୬,୪୦୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କିଛି ଦିନ ପୂର୍ବରୁ ସିଙ୍ଗିଲ୍ ୱିଣ୍ଡୋ କର୍ତ୍ତୃପକ୍ଷ ୧୮୭୨.୧୧ କୋଟି ଟଙ୍କାର ଆଠଟି ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲେ। ମୋଟ ଉପରେ ଗତ ୨୩ ଦିନ ଭିତରେ ୨,୩୮୩.୩୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଆଜି ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକ ବୟନ, ପୋଷାକ, ପେପର ଉତ୍ପାଦ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଆନୁଷଗିଂକ ଇସ୍ପାତ ଓ ଲୁହାପଥର ବିନି‌ଫିକେସନ୍ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ।

Advertisment

ଖୋର୍ଦ୍ଧାର ଚନ୍ଦକା ଅଞ୍ଚଳରେ ଏକ ପୁରୁଷ ଓ ମହିଳା ପୋଷାକ ତିଆରି କାରଖାନା ଲାଗି ୫୧ କୋଟି ଟଙ୍କା ବିନିଯୋଗରେ ଏକ ମାନୁଫାକ୍‌ଚରିଂ ୟୁନିଟ୍ ସ୍ଥାପନ କରିବାକୁ ଅମ୍ବାଟୁର ଫେସନ୍‌ସ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏଥିରେ ୪୭୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ୱାଇଲ୍‌ଡ ଲୋଟସ୍‌ ଫେସନ୍ସ ପକ୍ଷରୁ ଛତାବର ଶିଳ୍ପାଞ୍ଚଳରେ ଏକ ପୋଷାକ ନିର୍ମାଣ କାରଖାନା ସ୍ଥାପନ କରିବା ଲାଗି ୫୨.୬୨ କୋଟି ଟଙ୍କା ନିବେଶ କରାଯିବ। ଶ୍ରୀ ବଂଶୀ ଲକ୍ଷ୍ମୀ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ବାଲେଶ୍ବରରେ ୧୨୦ କୋଟି ଟଙ୍କା ନିବେଶରେ ଏକ ନୂଆ କ୍ରାପ୍ଟ ପେପର ୟୁନିଟ୍ ସ୍ଥାପନ କରାଯିବ। ଇଣ୍ଡିଆନ୍ ଅଏଲ୍‌ କର୍ପୋରେସନ୍ ପକ୍ଷରୁ ୫୨.୨୮ କୋଟି ଟଙ୍କା ବିନିଯୋଗରେ ବୌଦ୍ଧ ଜିଲ୍ଲାରେ ୧୦ ମେଗାୱାଟ୍‌ର ଏକ ସୋଲାର ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ପ୍ରାଚୀ ରିସୋର୍ଟସ୍‌ ଖୋର୍ଦ୍ଧାରେ ଏକ ଚାରି ତାରକା ହୋଟେଲ୍‌ ନିର୍ମାଣ କରିବା ଲାଗି ୬୩.୩୦ କୋଟି ଟଙ୍କା ବିନିଯୋଗ କରିବ। ସିଗ୍‌ମା ଟ୍ୟୁବ୍‌ସ ଆଣ୍ଡ୍‌ ପାଇପ୍‌ସ ପକ୍ଷରୁ ସମ୍ବଲପୁର ଜିଲ୍ଲାରେ ଏକ କାରଖାନା ସ୍ଥାପନ କରିବାରେ ୫୧.୯୯ କୋଟି ଟଙ୍କା ନିବେଶ କରାଯିବ। ପିଟିସିଏଲ୍‌ ଇନ୍‌ଫ୍ରାଷ୍ଟ୍ରକଚର୍‌ ଲିମିଟେଡ୍ କେନ୍ଦୁଝରର ବଡ଼ବିଲ୍‌ରେ ଥିବା ଲୁହାପଥର ବିନିଫିକେସନ୍ କାରଖାନାର ସମ୍ପ୍ରସାରଣ କରିବା ଲାଗି ୧୨୦ କୋଟି ଟଙ୍କା ଖର୍ଚ୍ଚ କରିବ।
ପ_