ମୁମ୍ବାଇ: ଦେଶର ଖୁଚୁରା ବିକ୍ରୟ ବଜାର ଏବେ ଚାପରେ ଥିବା ମନେ ହେଉଛି। କାରଣ ପ୍ରମୁଖ ରିଟେଲ ସଂସ୍ଥା ସେମାନଙ୍କ କର୍ମଚାରୀ ସଂଖ୍ୟାରେ ଯେଉଁ ହ୍ରାସ କରିଛନ୍ତି ତାହା ସେଭଳି କିଛି ସଙ୍କେତ ପ୍ରଦାନ କରୁଛି। ରିଟେଲ୍‌ କ୍ଷେତ୍ରରେ ଗତ ଆର୍ଥିକ ବର୍ଷ (୨୦୨୩-୨୪)ରେ ୫୨ ହଜାର କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ଠାରୁ ଆରମ୍ଭ କରି ଟାଇଟାନ୍ ପର୍ଯ୍ୟନ୍ତ ବହୁ ପ୍ରତି‌ଷ୍ଠିତ କମ୍ପାନି ସେମାନଙ୍କ କର୍ମଚାରୀ ହ୍ରାସ କରିଛନ୍ତି। କୃଷି ‌ପରେ ଦ୍ବିତୀୟ ସର୍ବାଧିକ ନିଯୁକ୍ତି ରିଟେଲ୍‌ କ୍ଷେତ୍ରରେ ସୃଷ୍ଟି ହୋଇଛି। ବିଭିନ୍ନ ଷ୍ଟୋର୍‌ରେ ୪,୨୯,୦୦୦ରୁ ଅଧିକ ଲୋକ କାମ କରୁଛନ୍ତି। ବର୍ଷକ ପୂର୍ବେ ସେମାନଙ୍କ ସଂଖ୍ୟା ୪,୫୫,୦୦୦ରୁ ଅଧିକ ଥିଲା। ତେବେ ଭାରତୀୟ ରିଟେଲର୍‌ ସଂଘର ସିଇଓ କୁମାର ରାଜଗୋପାଳନ କହିଛନ୍ତି ଯେ କିଛି ବ୍ୟବସାୟ ବନ୍ଦ କରିବାକୁ ପଡ଼ିଥିବାରୁ କେତେକ କମ୍ପାନି କର୍ମଚାରୀ ଛଟେଇ କରିଥାଇପାରନ୍ତି। ମାତ୍ର ଏବେବି ପ୍ରତିଭାବାନ କର୍ମଚାରୀଙ୍କ ଅଭାବ ରହିଛି। ତାହା ପୂରଣ କରିବା ଲାଗି ଆମେ ବିଶ୍ବବିଦ୍ୟାଳୟଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରିବାକୁ ଉଦ୍ୟମ କରୁଛୁ।

Advertisment

ଦରଦାମ୍ ଅଧିକ ରହିବା କାରଣରୁ ଲୋକମାନେ ପୋଷାକ, ଜୀବନଶୈଳୀ ଉତ୍ପାଦ, ଇଲେକ୍ଟ୍ରୋନିକ୍ସ ଓ ବାହାରେ ଖାଇବା ଭଳି ଅଣ ଅତ୍ୟାବଶ୍ୟକ ଖର୍ଚ୍ଚ କମ୍ ରହିଛନ୍ତି। ଷ୍ଟାର୍ଟଅପ୍ ଓ ଆଇଟି କ୍ଷେତ୍ରରେ କର୍ମଚାରୀ ଛଟେଇ ମଧ୍ୟ ଖୁଚୁରା ‌କ୍ଷେତ୍ରରେ ବିକ୍ରିକୁ ପ୍ରଭାବିତ କରିଛି। ପୋଷାକ ଷ୍ଟୋର୍‌ଠାରୁ ଆରମ୍ଭ କରି କାର୍‌ ସୋ’ରୁମ୍ ପର୍ଯ୍ୟନ୍ତ ଖୁଚୁରା ଷ୍ଟୋର୍‌ଗୁଡ଼ିକର ସମ୍ପ୍ରସାରଣ ପ୍ରଭାବିତ ହୋଇଛି।