ଭୁବନେଶ୍ବର: ରାଜ୍ୟର ମୋଟ୍‌ ଶ୍ରମଶକ୍ତିର ୨୬ ପ୍ରତିଶତ ଲୋକ ଶିଳ୍ପ କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ସେମାନଙ୍କ ସଂଖ୍ୟା ୫୩ ଲକ୍ଷ ୩୦ ହଜାରରୁ ଅଧିକ। ରାଜ୍ୟ‌ରେ ଶିଳ୍ପ ସଂସ୍ଥାଗୁଡ଼ିକରେ କାମ କରୁଥିବା ଲୋକମାନଙ୍କ ସଂଖ୍ୟା ଲଗାତାର ଭାବେ ବଢ଼ିବାରେ ଲାଗିଛି। ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ଶିଳ୍ପରେ ନିୟୋଜିତ ଲୋକଙ୍କ ସଂଖ୍ୟା ୩୮ ଲକ୍ଷ ୮୦ ହଜାରରୁ ବୃଦ୍ଧି ପାଇ ୫୩ ଲକ୍ଷ ୩୦ ହଜାରରେ ପହଞ୍ଚିଛି। ବାର୍ଷିକ ୬.୬ ପ୍ରତିଶତ ହାରରେ ଶିଳ୍ପରେ ନିୟୋଜିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪ରୁ ଜଣାପଡ଼ିଛି।

Advertisment

ରିପୋର୍ଟ କହୁଛି ଓଡ଼ିଶାର ଶିଳ୍ପ କ୍ଷେତ୍ରର ଆକାର ହେଉଛି ୩.୧୪ ଲକ୍ଷ କୋଟି ଟଙ୍କା ଯାହା ରାଜ୍ୟର ୮.୩ ଲକ୍ଷ କୋଟି ଟଙ୍କାର ଅର୍ଥନୀତି ପ୍ରତି ୪୩.୩ ପ୍ରତିଶତ ଅବଦାନ ପ୍ରଦାନ କରୁଛି। ଶିଳ୍ପ କ୍ଷେତ୍ର ପ୍ରତି ବିନିର୍ମାଣର ଅବଦାନ ସର୍ବାଧିକ ୫୪ ପ୍ରତିଶତ ଥିବା ବେଳେ ଖଣି ଓ ଖନନର ଅବଦାନ ୨୨ ପ୍ରତିଶତ, ନିର୍ମାଣର ୧୬ ପ୍ରତିଶତ ଏବଂ ବିଦ୍ୟୁତ ଓ ଅନ୍ୟାନ୍ୟ ୟୁଟିଲିଟି ସେବାର ଅବଦାନ ୮ ପ୍ରତିଶତ ରହିଛି। ଭାରତର ଶିଳ୍ପ ଜିଭିଏ ପ୍ରତି ଅବଦାନ ଦୃଷ୍ଟିରୁ ଓଡ଼ିଶା ନବମ ସ୍ଥାନରେ ରହିଛି। ପ୍ରଥମ ପାଞ୍ଚଟି ସ୍ଥାନରେ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ନାମ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ହାର ୮.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ଯାହା ଜାତୀୟ ହାର ୯.୫ ପ୍ରତିଶତଠାରୁ କମ୍।

ରିପୋର୍ଟରେ ଉଲ୍ଲେଖ ରହିଛି ଯେ ୨୦୧୮-୧୯ରେ ଶିଳ୍ପ କ୍ଷେତ୍ରରେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲା ଥିଲା ଝାରସୁଗୁଡ଼ା। ଏହା ପଛକୁ ଶ୍ରେଷ୍ଠ ୧୦ଟି ସ୍ଥାନ ଭିତରେ କ୍ରମାନ୍ବୟରେ ସୁନ୍ଦରଗଡ଼, ଜଗତସିଂହପୁର‌, ସମ୍ବଲପୁର, ଖୋର୍ଦ୍ଧା, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ ଓ କେନ୍ଦୁଝର ନାମ ରହିଛି। ୨୦୨୨-୨୩ ସୁଦ୍ଧା ରାଜ୍ୟରେ ୫୨ଟି ଇସ୍ପାତ କାରଖାନା ରହିଛି ଯାହାର ମୋଟ୍‌ ସ୍ଥାପିତ ଉତ୍ପାଦନ କ୍ଷମତା ହେଉଛି ୩୫ ନିୟୁତ ଟନ୍। ଦେଶର ଏକ ଚତୁର୍ଥାଂଶ ଇସ୍ପାତ ଓଡ଼ିଶାରେ ଉତ୍ପାଦନ ହେଉଛି। ୨୦୨୨-୨୩ରେ ରାଜ୍ୟରେ ୩୧ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହୋଇଥିଲା।
ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଶିଳ୍ପାୟନ ବେଶ୍ ବ୍ୟାପକ ହୋଇପାରିଛି। ୨୦୧୫-୧୬ରେ ୧୩ଟି କ୍ଷେତ୍ର ପାଇଁ ପୁଞ୍ଜିନିବେଶ ମଞ୍ଜୁର ହୋଇଥିଲା। ୨୦୨୨-୨୩ ସୁଦ୍ଧା ୩୨ଟି କ୍ଷେତ୍ର ପାଇଁ ପୁଞ୍ଜିନିବେଶ ଆସିଥିଲା। ଏରୋସ୍ପେସ୍, ପ୍ରତିରକ୍ଷା, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ, ଚିପ୍ ଉତ୍ପାଦନ, ଅଟୋମୋବାଇଲ୍‌ ଓ ପାର୍ଟସ୍‌, କୃତ୍ରିମ ହୀରା, ଗ୍ରିନ୍ ହାଇଡ୍ରୋଜେନ୍, ବାୟୋଇଥାନଲ୍‌, ଟେକ୍ନିକାଲ୍ ଟେକ୍ସଟାଇଲ୍‌, ପୋଷାକ ଓ ବୟନ, ଆଇଟି, ଡାଟା ସେଣ୍ଟର ଓ ଅକ୍ଷୟ ଶକ୍ତି ଉପକରଣ ଭଳି ଉଦୀୟମାନ କ୍ଷେତ୍ରରେ ପୁଞ୍ଜିନିବେଶ ଆସିଛି।