ନୂଆଦିଲ୍ଲୀ: ୨୦୨୪-୨୫ରେ ଭାରତର ଅଟୋମୋବାଇଲ ରପ୍ତାନି ସଂଖ୍ୟା ୫୩ ଲକ୍ଷ ୬୩ ହଜାର ୮୯ରେ ପହଞ୍ଚିଛି। ୨୦୨୩-୨୪ ବର୍ଷ ତୁଳନାରେ ଭାରତର ଗାଡ଼ି ରପ୍ତାନିରେ ୧୯ ପ୍ରତିଶତ ବୃଦ୍ଧି ଘଟିଛି। ବିଶେଷକରି ପାସେଞ୍ଜର ଯାନ, ଦୁଇ ଚକିଆ ଯାନ ଏବଂ ବାଣିଜ୍ୟିକ ଯାନ ଅଧିକ ସଂଖ୍ୟାରେ ରପ୍ତାନି ହୋଇଛି। ୨୦୨୩-୨୪ ଆର୍ଥିକବର୍ଷରେ ୪୫ ଲକ୍ଷ ୪୯୪ଟି ଗାଡ଼ି ରପ୍ତାନି ହୋଇଥିଲା ବୋଲି ଭାରତୀୟ ଅଟୋମୋବାଇଲ ନିର୍ମାତା ସଂଘ (ସିଆମ୍‌) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। 

Advertisment

୨୦୨୪-୨୫ରେ ପାସେଞ୍ଜର ଯାନ ବିକ୍ରିରେ ୧୫ ପ୍ରତିଶତ ବୃଦ୍ଧି ଘଟି ୭ ଲକ୍ଷ ୭୦ ହଜାର ୩୬୪ରେ ପହଞ୍ଚିଛି। ୨୦୨୩-୨୪ରେ ଏହି ସଂଖ୍ୟା ୬,୭୨,୧୦୫ ରହିଥିଲା। ଦେଶରେ ଉନ୍ନତମାନର ଗାଡ଼ି ଉତ୍ପାଦନ ହେଉଥିବାରୁ କେତେକ କମ୍ପାନି ବିକଶିତ ଦେଶଗୁଡ଼ିକୁ ମଧ୍ୟ ଗାଡ଼ି ରପ୍ତାନି କରିବା ଆରମ୍ଭ କରିଛନ୍ତି। ଉପଯୋଗୀ ଯାନ ରପ୍ତାନି ଗତ ଆର୍ଥିକବର୍ଷରେ ୩,୬୨,୧୬୦ରେ ପହଞ୍ଚିଛି, ୨୦୨୩-୨୪ରେ ଏହା ୨,୩୪,୭୨୦ ରହିଥିଲା। ତଥ୍ୟରୁ ଏହା ଜଣାଯାଇଛି ଯେ ଦୁଇ ଚକିଆ ଯାନ ରପ୍ତାନିରେ ୨୧ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୩-୨୪ରେ ୩୪ ଲକ୍ଷ ୫୮ ହଜାର ୪୧୬ଟି ଦୁଇ ଚକିଆ ରପ୍ତାନି ହୋଇଥିବାବେଳେ ୨୦୨୪-୨୫ରେ ଏହା ୪୧ ଲକ୍ଷ ୯୮ ହଜାର ୪୦୩ ଛୁଇଁଛି। ନୂଆ ମଡେଲର ବିକାଶ ସହିତ ନୂଆ ବଜାରରେ ପହଞ୍ଚି ପାରିବା କାରଣରୁ ଦୁଇ ଚକିଆ ଯାନ ରପ୍ତାନିରେ ଏଭଳି ବୃଦ୍ଧି ଘଟିଛି। ଏଥିସହିତ ଆଫ୍ରିକୀୟ ଦେଶଗୁଡ଼ିକରେ ଅର୍ଥନୈତିକ ସ୍ଥିରତା ରହିବା ସହିତ ଲାଟିନ୍‌ ଆମେରିକାରେ ଚାହିଦା ବୃଦ୍ଧି ମଧ୍ୟ ଭାରତୀୟ ଦୁଇ ଚକିଆ ରପ୍ତାନି ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଇଛି। ଗତ ଆର୍ଥିକବର୍ଷରେ ୩ ଚକିଆ ଯାନ ରପ୍ତାନିରେ ମାତ୍ର ୨ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୪-୨୫ରେ ୩.୧ ଲକ୍ଷ ସଂଖ୍ୟକ ୩ ଚକିଆ ରପ୍ତାନି ହୋଇଛି। ବାଣିଜ୍ୟିକ ଯାନ ରପ୍ତାନିରେ ୨୩ ପ୍ରତିଶତ ବୃଦ୍ଧି ଘଟିଛି। ବିଶ୍ବରେ ଚାହିଦା ବୃଦ୍ଧି ସହିତ ଭାରତର ପ୍ରତିଯୋଗିତା କ୍ଷମତା ବଢ଼ୁଥିବାରୁ ସବୁ କ୍ଷେତ୍ରର ଗାଡ଼ି ରପ୍ତାନିରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି ବୋଲି ସିଆମ୍‌ ସଭାପତି ଶୈଳେଶ ଚନ୍ଦ୍ରା କହିଛନ୍ତି।