ଭୁବନେଶ୍ବର: ଦିନକୁ ଦିନ ଭୁବନେଶ୍ବରରେ ଘରଟିଏ ପାଇବା ସ୍ବପ୍ନରେ ପରିଣତ ହେବାରେ ଲାଗିଛି। ନ୍ୟାସନାଲ୍ ହାଉସିଂ ବୋର୍ଡ (ଏନ୍ଏଚ୍ବି), ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍ଏସ୍ଏସ୍ଓ), ରିଜର୍ଭ ବ୍ୟାଙ୍କ ଆଦିର ତଥ୍ୟ ଅନୁଶୀଳନରୁ ଜଣାପଡ଼ିଛି ଯେ ଭୁବନେଶ୍ବରରେ ଘର ଖଣ୍ଡିଏ ପାଇବା ଲାଗି ଲୋକମାନଙ୍କ ୫୩ ବର୍ଷର ସଞ୍ଚୟ ରାଶି ଦରକାର। ସହରରେ ବାସ କରୁଥିବା ୫ ପ୍ରତିଶତ ଧନୀ ପରିବାରଙ୍କ ଲାଗି ଏତିକି ଟଙ୍କା ଆବଶ୍ୟକ। ଏଭଳି ପରିସ୍ଥିତିରେ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ କଥା ନ କହିବା ଭଲ। ଅନୁଶୀଳନରେ ଭୁବନେଶ୍ବରରେ ୧୧୮୪ ବର୍ଗଫୁଟର ଘରକୁ ମଧ୍ୟମ ଧରଣର ଘର ଭାବେ ବିଚାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଭୁବନେଶ୍ବର ବାସ କରୁଥିବା ଶୀର୍ଷ ୫ ପ୍ରତିଶତ ଧନୀ ପରିବାରର ବାର୍ଷିକ ହାରାହାରି ଆୟ ୭.୫ ଲକ୍ଷ ଟଙ୍କା ଆକଳନ କରାଯାଇଛି। ଜାତୀୟ ସଞ୍ଚୟ ହାର ଜିଡିପିର ୩୦.୨ ପ୍ରତିଶତ ଅନୁସାରେ, ଏହି ପରିବାରଗୁଡ଼ିକର ବାର୍ଷିକ ସଞ୍ଚୟ ହେଉଛି ୨.୩ ଲକ୍ଷ ଟଙ୍କା। କିନ୍ତୁ ୧୧୮୪ ବର୍ଗଫୁଟର ଘର ଦାମ୍ ୧ କୋଟି ୨୦ ଲକ୍ଷ ଟଙ୍କା ରହିଛି। ସେତିକି ଟଙ୍କା ସଞ୍ଚୟ ମାଧ୍ୟମରେ ଯୋଗାଡ଼ କରିବାକୁ ଲୋକମାନଙ୍କୁ ୫୩ ବର୍ଷ ଲାଗିଯିବ। ରିଅଲ ଇଷ୍ଟେଟ୍କୁ ନେଇ ଦେଶର ଯେଉଁ ୧୦ଟି ମହଙ୍ଗା ରାଜଧାନୀ ରହିଛି, ସେଥିରେ ଭୁବନେଶ୍ବର ନାମ ରହିଛି। ସମ୍ପତ୍ତି ଦାମ୍ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ସେହି ଅନୁସାରେ ଲୋକମାନଙ୍କ ଆୟ ବଢ଼ୁନାହିଁ। ତେଣୁ ବହୁ ଲୋକଙ୍କ ପାଇଁ ଘର ଏବେ ସ୍ବପ୍ନ ପାଲଟିଛି।