ଭୁବନେଶ୍ବର: ଟେଲିଫୋନ ଅପରେଟରମାନେ ଦିନକୁ ଦିନ ସେମାନଙ୍କ ସେବା ସଂପ୍ରସାରଣ କରୁଛନ୍ତି। ଏହାଫଳରେ ଗ୍ରାହକ ସଂଖ୍ୟା ବଢ଼ୁଛି। ଭାରତୀୟ ଟେଲି ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟ ଅନୁସାରେ ଓଡ଼ିଶାରେ ଗତ ଅଗଷ୍ଟ ୩୧ ସୁଦ୍ଧା ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩.୩୬ କୋଟିରେ ପହଞ୍ଚିଛି। ଏହାବ୍ୟତୀତ ଲ୍ୟାଣ୍ଡଲାଇନ୍ ଏବଂ ଇଣ୍ଟରନେଟ୍ ସେବା ଗ୍ରହଣକାରୀ ଗ୍ରାହକ ମଧ୍ୟ ରହିଛନ୍ତି। ରାଜ୍ୟର ଗ୍ରାହକମାନଙ୍କୁ ମୁଖ୍ୟତଃ ୪ଟି କମ୍ପାନି ଟେଲିଫୋନ ସେବା ଯୋଗାଇ ଦେଉଛନ୍ତି। ସେଗୁଡ଼ିକ ହେଉଛନ୍ତି ବିଏସ୍ଏନଏଲ, ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ରିଲାଏନ୍ସ ଜିଓ। ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟରେ ଜିଓର ସର୍ବାଧିକ ୧.୪୪ କୋଟି ମୋବାଇଲ ଫୋନ ଗ୍ରାହକ ଥିବାବେଳେ ଏହା ପଛକୁ ଯଥାକ୍ରମେ ଏୟାରଟେଲ (୧.୧୪ କୋଟି) ବିଏସ୍ଏନ୍ଏଲ୍ (୬୨.୧୨ ଲକ୍ଷ) ଏବଂ ଭୋଡାଫୋନ ଆଇଡିଆ (୧୫.୬୨ ଲକ୍ଷ) ରହିଛନ୍ତି।
ଟ୍ରାଇ ରିପୋର୍ଟରୁ ଜଣାଯାଇଛି ଓଡ଼ିଶା ସର୍କଲରେ ଉପରୋକ୍ତ ଟେଲିଫୋନ କମ୍ପାନିଗୁଡ଼ିକ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ଅର୍ଥାତ ଏପ୍ରିଲ ଜୁନ ଅବଧିରେ ୧୫୭୭ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ଜିଓ ସର୍ବାଧିକ ୮୨୧.୧୨ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛି। ଏହା ପଛକୁ ଏୟାରଟେଲ ୬୦୯.୦୯ କୋଟି, ବିଏସ୍ଏନ୍ଏଲ୍ ୮୯.୧୮ କୋଟି ଏବଂ ଭୋଡାଫୋନ ଆଇଡିଆ ୫୬.୯୫ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ସେହିଭଳି ୨୦୨୨ର ଜାନୁଆରି-ମାର୍ଚ୍ଚ ଅବଧିକୁ ଦେଖିଲେ ଉପରୋକ୍ତ ୪ଟି ଟେଲିକମ କମ୍ପାନି ରାଜ୍ୟରେ ପାଖାପାଖି ୧୫୮୦ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ଏଥିରୁ ଜିଓ ସର୍ବାଧିକ ୮୦୬ କୋଟି, ଏୟାରଟେଲ ୬୦୮ କୋଟି, ବିଏସଏନଏଲ ୯୧.୫୦ କୋଟି ଏବଂ ଭୋଡାଫୋନ ଆଇଡିଆ ୫୮.୬୭ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ଅବଶ୍ୟ ଉପରୋକ୍ତ କମ୍ପାନିଗୁଡ଼ିକ ଉଭୟ ମୋବାଇଲ କଲ୍ ଏବଂ ଡାଟା ସେବା ପ୍ରଦାନ କରୁଛନ୍ତି। ଏହାବ୍ୟତୀତ କେବଳ ଡାଟା ବା ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନି ମଧ୍ୟ ଅଛନ୍ତି। ତେଣୁ ସେମାନଙ୍କ ବ୍ୟବସାୟକୁ ମିଶାଇଲେ ଏହି ରାଜସ୍ବ ଆହୁରି ଅଧିକ ହେବ।
ଉପରୋକ୍ତ ୬ ମାସରେ କମ୍ପାନିଗୁଡ଼ିକ ରାଜ୍ୟରେ ପାଖାପାଖି ୩୨୦୦ କୋଟି ଟଙ୍କାର ବେପାର ଓଡ଼ିଶାରେ କରିଛନ୍ତି। ତେଣୁ ସେମାନଙ୍କ ମାସିକ ବେପାର ୫୩୩ କୋଟିରୁ ଅଧିକ ରହିଛି। ଭୋଡାଫୋନ ଆଇଡିଆ ରାଜ୍ୟରେ ପାଖାପାଖି ୨୦ କୋଟି ଟଙ୍କାର ବ୍ୟବସାୟ କରୁଛି। ସେହିଭଳି ବିଏସଏନଏଲ ମାସିକ ପାଖାପାଖି ୩୦ କୋଟି ଟଙ୍କା, ଏୟାରଟେଲ ପାଖାପାଖି ୨୦୩ କୋଟି ଏବଂ ଜିଓ ମାସିକ ପାଖାପାଖି ୨୭୨ କୋଟି ଟଙ୍କାର ବ୍ୟବସାୟ ଓଡ଼ିଶାରେ କରୁଛନ୍ତି।