ନୂଆଦିଲ୍ଲୀ: ଦୀର୍ଘ ପ୍ରାୟ ୮ ମାସର ବ୍ୟବଧାନ ପରେ ଆଜି ନୂଆଦିଲ୍ଲୀରେ ଜିଏସ୍‌ଟି ପରିଷଦର ୫୩ତମ ବୈଠକ ଅନୁ‌ଷ୍ଠିତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସ୍‌ଟି ପରିଷଦର ଅଧ୍ୟକ୍ଷ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ମୋଦୀ ସରକାରଙ୍କ ତୃତୀୟ ପାଳିରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଥିରେ ଜାଲ୍‌ ଇନ୍‌ଭଏସିଂକୁ ରୋକିବା ପାଇଁ ଜାତୀୟସ୍ତରରେ ବାୟୋମେଟ୍ରିକ ପ୍ରମାଣନ କାର୍ଯ୍ୟକାରୀ କରିବାକୁ ବୈଠକରେ ସ୍ଥିର ହୋଇଛି। ଜାଲ୍‌ ଇନଭଏସ୍‌ ଜରିଆରେ ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି)ରେ ହେଉଥିବା ଠକେଇକୁ ରୋକାଯାଇ ପାରିବ ବୋଲି ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି। ନୂଆ ଜିଏସ୍‌ଟି ପଞ୍ଜୀକରଣ ପାଇଁ ଆଧାର ବାୟୋମେଟ୍ରିକ ପ୍ରମାଣନ ସଂଯୋଗକୁ ଦେଶବ୍ୟାପୀ ବାଧ୍ୟତାମୂଳକ କରାଯାଇଛି।

Advertisment

ଇସ୍ପାତ, ଲୁହା, ଆଲୁମିନିୟମ ଭଳି ସମସ୍ତ ପ୍ରକାର ମିଲ୍‌କ କେନ୍‌ ଉପରେ ସମାନ ୧୨ ପ୍ରତିଶତ ଜିଏସ୍‌ଟି ଆଦାୟ ପାଇଁ ପରିଷଦ ସୁପାରିସ କରିଛି। ସେହିଭଳି ସମସ୍ତ କାଟୁନ୍‌ ବାକ୍ସ ଏବଂ କେସ୍‌ ଉପରେ ମଧ୍ୟ ୧୨ ପ୍ରତିଶତ ଜିଏସ୍‌ଟି ଆଦାୟ ଲାଗି ନିଷ୍ପତ୍ତି ହୋଇଛି। ହିମାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀରର ସେଓ ଚାଷୀଙ୍କୁ ଏହା ସହାୟକ ହେବ ବୋଲି ‌ଅର୍ଥମନ୍ତ୍ରୀ କହିଛନ୍ତି। ପରିଷଦ ପକ୍ଷରୁ ଆଜି ରେଳବାଇ ପକ୍ଷରୁ ପ୍ରଦାନ କରାଯାଉଥିବା କେତେକ ସେବାକୁ ଜିଏସ୍‌ଟି ମୁକ୍ତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ପ୍ଲାଟଫର୍ମ ଟିକେଟ୍‌, ପ୍ରତୀକ୍ଷା ଗୃହ ସୁବିଧା ହାସଲ, ବ୍ୟାଟେରି ପରିଚାଳିତ କାର୍‌ ସେବାକୁ ଜିଏସ୍‌ଟିରୁ ବାଦ୍‌ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିଭଳି ସମସ୍ତ ପ୍ରକାର ସ୍ପ୍ରିଙ୍କଲର ଉପରେ ମଧ୍ୟ ୧୨ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯିବ।

ଜିଏସ୍‌ଟି ପରିଷଦର ୫୩ତମ ବୈଠକ
ଜାତୀୟସ୍ତରରେ କାର୍ଯ୍ୟକାରୀ ହେବ ଆଧାର ପ୍ରମାଣନ
ସମସ୍ତ ମିଲ୍‌କ କେନ୍‌ ଉପରେ ୧୨ ପ୍ରତିଶତ ଜିଏସ୍‌ଟି
ସବୁ କାଟୁନ୍‌ ବାକ୍ସ, ସ୍ପ୍ରିଙ୍କଲର ଉପରେ ୧୨ ପ୍ରତିଶତ ଜିଏସ୍‌ଟି
ମନ୍ତ୍ରୀ ପରିଷଦକୁ ଗଲା ସାର ଉପରେ ଜିଏସ୍‌ଟି ଛାଡ଼ ପ୍ରସ୍ତାବ
ଜିଏସ୍‌ଟିଆର୪ ଦାଖଲ ସମୟସୀମା ଜୁନ ୩୦କୁ ବୃଦ୍ଧି

ସାର ଶିଳ୍ପ ଉପରେ ବର୍ତ୍ତମାନ ଆଦାୟ କରାଯାଉଥିବା ୫ ପ୍ରତିଶତ ଜିଏସ୍‌ଟିକୁ ଛାଡ଼ କରିବା ଲାଗି ପରିଷଦ ପକ୍ଷରୁ ଏକ ମନ୍ତ୍ରୀଗୋଷ୍ଠୀକୁ ସୁପାରିସ କରାଯାଇଛି। ରସାୟନ ଓ ସାର ବିଭାଗର ଷ୍ଟାଣ୍ଡିଂ କମିଟି ପକ୍ଷରୁ ଗତ ଫେବ୍ରୁଆରିରେ ସାର କମ୍ପାନି ଏବଂ କୃଷକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୋଷକ ଏବଂ କଞ୍ଚାମାଲ ଉପରେ କରାଯାଇଥିବା ସୁପାରିସ ଉପରେ ପରିଷଦ ପକ୍ଷରୁ ଆଜି ବିସ୍ତୃତ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ସାର ଉପରେ ୫ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉଥିବାବେଳେ ଗନ୍ଧକାମ୍ଳ ଏବଂ ଆମୋନିଆ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉଛି।
ଏଥିସହିତ ଶିକ୍ଷାନୁଷ୍ଠାନ ବାହାରେ ଜଣେ ବ୍ୟକ୍ତି ପିଛା ମାସିକ ୨୦ ହଜାର ଟଙ୍କାର ହ‌ଷ୍ଟେଲ ରହଣି ସେବାକୁ ଜିଏସ୍‌ଟି ମୁକ୍ତ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଧାରା ୭୩ ଅଧୀନରେ ଜାରି କରାଯାଇଥିବା ଟିକସ ଡିମାଣ୍ଡ ନୋଟିସ୍‌ ଉପରେ ସୁଧ ଏବଂ ଜରିମାନାକୁ ଛାଡ଼ କରାଯାଇଛି। ତେବେ ମାର୍ଚ୍ଚ ୨୦୨୫ ସୁଦ୍ଧା ‌ସଂପୂର୍ଣ୍ଣ ଟିକସ ପ୍ରଦାନ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେବ।

ଛୋଟ ଟିକସଦାତାଙ୍କୁ ରିଟର୍ଣ୍ଣ ଦାଖଲର ସମୟସୀମା ଏପ୍ରିଲ ୩୦ ପରିବର୍ତ୍ତେ ଜୁନ ୩୦କୁ ବୃଦ୍ଧି ପାଇଁ ସୁପାରିସ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷ ଠାରୁ ଜିଏସ୍‌ଟିଆର୪ ଦାଖଲ ନେଇ ଏହି ନିଷ୍ପତ୍ତି ହୋଇଛି। ଆଜିର ପରିଷଦ ବୈଠକରେ ଅନେକଗୁଡ଼ିକ ନିଷ୍ପତ୍ତି ହୋଇଛି ଯାହା ବାଣିଜ୍ୟକୁ ସୁଗମ କରିବ, ବ୍ୟବସାୟୀଙ୍କ ନିୟମ ପାଳନ କାର୍ଯ୍ୟକୁ ସହଜ କରିବ ଏବଂ ଟିକସଦାତାଙ୍କୁ ରିହାତି ଦେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସିଜିଏସ୍‌ଟି ଆଇନର ଧାରା ୧୬(୪) ଅନୁଯାୟୀ ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦାଖଲ ହୋଇଥିବା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପାଇବାର ସମୟ ସୀମା ୨୦୧୧ରୁ ୨୦୨୧ ପର୍ଯ୍ୟନ୍ତ ବୋଲି ବିବେଚନା କରାଯାଇପାରେ। ତେଣୁ ୨୦୧୭ ଜୁଲାଇ ପହିଲାରୁ ସମାନ ଆବଶ୍ୟକ ସଂଶୋଧନ ପାଇଁ ପରିଷଦ ସୁପାରିସ କରିଛି ବୋଲି ସୀତାରମଣ କହିଛନ୍ତି। ଏଥିସହିତ ବିଭିନ୍ନ ଅଦାଲତରେ କର୍ତ୍ତୃପକ୍ଷଙ୍କ ଦ୍ବାରା ଆବେଦନ ଦାଖଲର ଆର୍ଥିକ ସୀମା ଧାର୍ଯ୍ୟ କରାଯାଉଛି। ଜିଏସ୍‌ଟି ଆପିଲେଟ ଟ୍ରିବ୍ୟୁନାଲ ପାଇଁ ୨୦ ଲକ୍ଷ ଟଙ୍କାର ସୀମା ଧାର୍ଯ୍ୟ କରାଯାଇଥିବାବେଳେ ହାଇକୋର୍ଟ ପାଇଁ ୧ କୋଟି ଏବଂ ସୁପ୍ରିମକୋର୍ଟ ପାଇଁ ୨ କୋଟି ସୀମା ଧାର୍ଯ୍ୟ କରାଯାଇଛି। ବଜେଟ୍‌ ଉପସ୍ଥାପନ ପରେ ଜିଏସ୍‌ଟି ପରିଷଦର ‌ଆଉ ଏକ ବୈଠକ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।