ବସ୍‌ ଶିଳ୍ପକୁ ୫୬୦ କୋଟିର ଧକ୍କା: ରାଜ୍ୟରେ ଗଡ଼ୁନି ୧୪ ହଜାର ବସ୍‌, ଦେଢ଼ ଲକ୍ଷ ଲୋକଙ୍କ ରୋଜଗାର ପ୍ରଭାବିତ

୬ ମାସ ପାଇଁ ସୁଧ, ଟିକସ ଛାଡ଼, ବୀମା ଅବଧି ବୃଦ୍ଧି ଦାବି

ଭୁବନେଶ୍ବର: ରାଜ୍ୟରେ ସବୁ ସ୍ଥାନକୁ ରେଳ ସେବା ନଥିବାରୁ ସର୍ବସାଧାରଣ ଯାତାୟାତର ଏକ ପ୍ରମୁଖ ମାଧ୍ୟମ ହେଲା ବସ୍। ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ରହିଛି। ଏଗୁଡ଼ିକରୁ ୬ ହଜାର ଏସି ବସ୍ ହୋଇଥିବାବେଳେ ୮ ହଜାର ଅଣ ଏସି ବସ୍‌। ଏମାନେ ଦୈନିକ ୬ ଲକ୍ଷ ପାଖାପାଖି ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚାଇଥାନ୍ତି। କରୋନା ମହାମାରୀ ପାଇଁ ଲକ୍‌ଡାଉନ୍ ଘୋଷଣା ପରେ ଏଗୁଡ଼ିକ ଗତ ୨୫ ଦିନ ହେଲା ରାସ୍ତାରେ ଗଡ଼ୁନାହିଁ। କମ୍ ଦୂର ଯାତ୍ରା କରୁଥିବା ବସ୍‌ରେ ଜଣେ ଡ୍ରାଇଭର, ଜଣେ କଣ୍ଡକ୍ଟର ଏବଂ ଜଣେ ହେଲପର ମିଶି ୩ ଜଣ ନିଯୁକ୍ତି ପାଇଥାନ୍ତି। କିନ୍ତୁ ଦୂରସ୍ଥାନକୁ ଯାତ୍ରା କରୁଥିବା ବସ୍‌ରେ ଦୁଇ ଜଣ ଡ୍ରାଇଭରଙ୍କ ସମେତ ଜଣେ କଣ୍ଡକ୍ଟର ଏବଂ ହେଲପରଙ୍କୁ ମିଶାଇ ୪ ଜଣ ନିଯୁକ୍ତି ପାଇଥାନ୍ତି। ତେଣୁ ରାଜ୍ୟରେ ଚଳାଚଳ କରୁଥିବା ବସ୍‌ ଗୁଡ଼ିକରେ ପାଖାପାଖି ୫୦ ହଜାର କର୍ମଚାରୀ ସିଧାସଳଖ ନିଯୁକ୍ତି ପାଇଥାନ୍ତି। ଏତଦ୍‌ବ୍ୟତୀତ ବସ୍ ସେବା ଯୋଗୁଁ ଆଉ ୧ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ବସ୍ ଚଳାଚଳ ବନ୍ଦ ଯୋଗୁ ଏବେ ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ କର୍ମଚାରୀଙ୍କ ରୋଜଗାର ବିପନ୍ନ ହୋଇଯାଇଛି। ଲକ୍‌ଡାଉନ୍ ଘୋଷଣା ପୂର୍ବରୁ କରୋନା ସଂକ୍ରମଣ ଭୟରେ ଯାତ୍ରୀମାନେ ବସରେ ଚଢ଼ିଲେ ନାହିଁ। ଖୁବ୍ କମ୍ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବସ୍ ରାସ୍ତାରେ ଚାଲିଲା। କିନ୍ତୁ ଲକ୍‌ଡାଉନ୍ ଘୋଷଣା ପରଠାରୁ ବସ୍ ଗୁଡ଼ିକ ଆଉ ରାସ୍ତାରେ ଚାଲୁନାହିଁ। ଏଥିଯୋଗୁ ବସ୍ ମାଲିକମାନଙ୍କୁ ବସ୍ ପିଛା ଦୈନିକ ୧୦ ହଜାର ଟଙ୍କା ପାଖାପାଖି କ୍ଷତି ସହିବାକୁ ପଡ଼ୁଛି। ସମୁଦାୟ ବସ୍‌କୁ ହିସାବକୁ ନେଲେ ବସ୍ ମାଲିକମାନେ ଦିନକୁ ପ୍ରାୟ ୧୪ କୋଟି ଟଙ୍କାର କ୍ଷତି ‌ସହୁଛନ୍ତି। ଲକ୍‌ଡାଉନ୍‌ ଇତିମଧ୍ୟରେ ୨୬ ଦିନ ବିତି ଯାଇଥିବାରୁ ବସ୍ ଶିଳ୍ପ ୩୬୪ କୋଟି ଟଙ୍କାର କ୍ଷତି ସହିଲାଣି। ସେହିଭଳି ୪୦ ଦିନର ଲକ୍‌ଡାଉନ୍‌ରେ ଏହି ଶିଳ୍ପକୁ ୫୬୦ କୋଟିର କ୍ଷତି ସହିବାକୁ ପଡ଼ିବ। ଲକ୍‌ଡାଉନ୍ ବଢ଼ିଲେ କ୍ଷତି ମଧ୍ୟ ଆନୁପାତିକ ଭାବେ ବଢ଼ିଚାଲିବ। ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ରାସ୍ତାରେ ବସ୍ ଗଡ଼ାଇବାକୁ ହେଲେ ମାଲିକମାନଙ୍କୁ ପ୍ରତିମାସ ୧୫ ତାରିଖ ସୁଦ୍ଧା ୧୫ ହଜାର ଟଙ୍କା ଆରଟିଓରେ ଅନ୍‌-ରୋଡ୍ ଟିକସ ଆକାରରେ ଜମା କରିବାକୁ ପଡ଼ିଥାଏ। ଲକଡାଉନ୍ ଅବଧି କେତେଦିନ ରହିବ ଏବଂ ବସ୍ କେତେ ଦିନ ଚାଲି ପାରିବ ନାହିଁ ସେହି ଭୟରେ ପ୍ରାୟ ୯୯ ପ୍ରତିଶତ ବସ୍ ମାଲିକ ସେମାନଙ୍କ ଗାଡ଼ିକୁ ଅଫ୍‌-ରୋଡ୍‌ ଘୋଷଣା କରିଦେଇଛନ୍ତି। ମାର୍ଚ୍ଚ ମାସ ପାଇଁ ଏହି ଟିକସ ଅର୍ଥ ବସ୍ ମାଲିକମାନେ ଜମା କରିଥିଲେ ମଧ୍ୟ ଅଧିକାଂଶ ଦିନ ବସ୍‌ରେ ଯାତ୍ରୀ ହୋଇନାହାନ୍ତି ଏବଂ ଅନେକ ଦିନ ମଧ୍ୟ ବସ୍ ଚଳାଚଳ ବନ୍ଦ ରହିଛି। ଏଥିସହିତ ବୀମା ପ୍ରିୟିୟମ ବାବଦରେ ବସ୍ ମାଲିକମାନଙ୍କୁ ବର୍ଷକୁ ପ୍ରାୟ ୧ ଲକ୍ଷରୁ ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରିୟିୟମ ଦେବାକୁ ପଡ଼ିଥାଏ। ତେଣୁ ମାସକୁ ଏ ବାବଦରେ ପାଖାପାଖି ୧୦ ହଜାର ଟଙ୍କା ବହନ କରିବାକୁ ପଡ଼ିଥାଏ। ଏଥସହିତ ପରମିଟ୍‌, ଫିଟନେସ୍ ସମେତ ଅନ୍ୟାନ୍ୟ ମୋଟର ଯାନ ଟିକସ ଓ ଶୁଳ୍କ ସହିତ କର୍ମଚାରୀମାନଙ୍କ ଦରମା, ବ୍ୟାଙ୍କ ଋଣର କିସ୍ତି, ରକ୍ଷଣାବେକ୍ଷଣ ବାବଦରେ ମାଲିକମାନଙ୍କୁ ବହୁମାତ୍ରାରେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଗାଡ଼ି ଠିଆ ହୋଇ ରହିବା କାରଣରୁ ଡିଜେଲ ଖର୍ଚ୍ଚକୁ ଛାଡ଼ିଲେ ଅନ୍ୟ ସବୁ ଖର୍ଚ୍ଚ ମାଲିକମାନଙ୍କୁ ବହନ କରିବାକୁ ପଡ଼ୁଛି।

ତେଣୁ ବସ୍ ଶିଳ୍ପର କ୍ଷତି ଭରଣା ପାଇଁ ବସ୍ ମାଲିକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ କେତେକ ଦାବି ରଖାଯାଇଛି । ଓଡ଼ିଶା ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ପରିବହନ ସଚିବ ଏବଂ ପରିବହନ କମିସନରଙ୍କୁ ଭେଟି ସଂଘର କର୍ମକର୍ତ୍ତା ସେମାନଙ୍କ ଦାବି ଜଣାଇଛନ୍ତି। ସେମାନଙ୍କର ମୁଖ୍ୟତଃ ୪ଟି ଦାବି ରହିଛି। ସେଗୁଡ଼ିକ ହେଲା ମାର୍ଚ୍ଚ ମାସରେ ବସ୍ ମାଲିକମାନେ ଅନ୍‌-ରୋଡ୍‌ ଟିକସ ବାବଦରେ ଯେଉଁ ଅର୍ଥ ଦେଇଛନ୍ତି ଆଗାମୀ ଦିନରେ ଯେଉଁମାସରେ ବସ୍ ଚାଲିବ ସେହି ମାସ ପାଇଁ ଆଉ ଅନ୍‌-ରୋଡ ଟିକସ ନନେଇ ତାହାକୁ ସମଯୋଜନ କରାଯାଉ। ଏଥିସହିତ ବସ୍ ମାଲିକମାନଙ୍କୁ ଅନ୍ତତଃପକ୍ଷେ ୬ ମାସର ବ୍ୟାଙ୍କ ସୁଧ ଛାଡ଼ କରାଯାଉ। ସେହିଭଳି ମୋଟର ଯାନ ଟିକସକୁ ମଧ୍ୟ ୬ ମାସ ଛାଡ଼ କରିବା ପାଇଁ ଓଡ଼ିଶା ବସ୍ ମାଲିକ ସଂଘ ଦାବି କରିଛି। ଏଥିସହିତ ବୀମା ପ୍ରିମିୟମର ଅବଧିକୁ ମଧ୍ୟ ୬ ମାସ ବଢ଼ାଇବା ପାଇଁ କୁହାଯାଇଛି। ଏହା କରା ନଗଲେ ଆଗାମୀ ଦିନରେ ବସ୍ ଚଲାଇବା ମାଲିକମାନଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡ଼ିବ। ଯାତ୍ରୀଙ୍କୁ ସେବା ଯୋଗାଇବା ମଧ୍ୟ ସମ୍ଭବ ହେବ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର