ଭୁବନେଶ୍ବର: ବ୍ୟାଙ୍କ ଋଣର ପୁନଃପର୍ଯ୍ୟାୟକରଣ ପାଇଁ ଗ୍ରିଡ୍କୋ ବିଳମ୍ବରେ ପଦକ୍ଷେପ ଗ୍ରହଣ କରିବାରୁ ସୁଧ ଆକାରରେ କଂପାନିକୁ ୧୬.୭୬ କୋଟି ଟଙ୍କା ଅଧିକ ଗଣିବାକୁ ପଡ଼ିଥିଲା। ବେଦାନ୍ତ ସହ ହୋଇଥିବା ବିଦ୍ୟୁତ କ୍ରୟ ଚୁକ୍ତିକୁ ଗ୍ରିଡ୍କୋ ଠିକ୍ ଭାବେ ପାଳନ କରିନପାରିବାରୁ ଯୋଗାଣରେ ୩୫୨୭.୯୯ ୟୁନିଟ୍ ବିଦ୍ୟୁତ ନିଅଣ୍ଟ ପଡ଼ିଥିଲା। ଜିନ୍ଦଲ ଥର୍ମାଲ୍ ଇଣ୍ଡିଆ ପାୱାର ଲିମିଟେଡ୍ ଠାରୁ ସହମତି ଅନୁଯାୟୀ ଚୁକ୍ତି ବାହାରେ ବିଦ୍ୟୁତ ଯୋଗାଣକୁ ନିୟନ୍ତ୍ରଣ କରିବାରେ ଗ୍ରିଡ୍କୋ ବିଫଳ ହେବାରୁ ୫୬.୭୩ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିଲା ବୋଲି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଉନ୍ମୋଚନ କରିଥିବା ରିପୋର୍ଟରେ ଜଣାଇଛନ୍ତି।
ସିଏଜିଙ୍କ ଦ୍ବାରା କରାଯାଇଥିବା ସମୀକ୍ଷାରୁ ଜଣାପଡ଼ିଛି ଯେ ଇଓଆର୍ସିକୁ ଉପଯୁକ୍ତ ବନ୍ଦ ଅବଧି ଦାଖଲ କରିବାରେ ବିଫଳତା ଯୋଗୁଁ ଓଡ଼ିଶା ଜଳ ବିଦ୍ୟୁତ ନିଗମ ୪.୪୨ କେଟି ଟଙ୍କାର କାପାସିଟି ଚାର୍ଜ କମ୍ ଆଦାୟ କରିଥିଲା। ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ଲିମିଟେଡ୍ର ତ୍ରୁଟି ଯୋଗୁଁ ୧.୮୩ କୋଟି ଟଙ୍କାର ପରିହାର୍ଯ୍ୟ ଜଳ କର ପଇଠ କରିବାକୁ ପଡ଼ିଥିଲା। ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଥିବା ୮୨ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ଏବେ ୫୬ଟି କାର୍ଯ୍ୟକ୍ଷମ ଥିବା ବେଳେ ୨୬ଟି ନିସ୍କ୍ରିୟ ଅବସ୍ଥାରେ ରହିଛି। ୨୦୧୭-୧୮ରେ ଶକ୍ତି କ୍ଷେତ୍ରର ପାଞ୍ଚଟି ସରକାରୀ ଉଦ୍ୟୋଗ ମିଳିତ ଭାବେ ୧୨୪.୭୫ କୋଟି ଟଙ୍କାର ଲାଭ କରିଥିବା ବେଳେ ଦୁଇଟି ପିଏସ୍ୟୁ ୨୦୦.୫୬ କୋଟି ଟଙ୍କାର କ୍ଷତି ସହିଛନ୍ତି। ଓଡ଼ିଶା ଜଳ ବିଦ୍ୟୁତ ନିଗମ ୯୮.୭୦ କୋଟି ଟଙ୍କା, ଓଡ଼ିଶା ବିଦ୍ୟୁତ ସଞ୍ଚାରଣ ନିଗମ ୧୭.୯୭ କୋଟି ଟଙ୍କା ଓ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ଲିମିଟେଡ୍ ୪.୯୭ କୋଟି ଟଙ୍କାର ଲାଭ କରିଥିଲେ। ସେହି ସମୟରେ ଗ୍ରିଡ୍କୋ ୧୯୭.୫୦ କୋଟି ଟଙ୍କା ଏବଂ ଓଡ଼ିଶା କୋଇଲା ଓ ଶକ୍ତି ଲିମିଟେଡ୍ ୩.୦୬ କୋଟି ଟଙ୍କାର କ୍ଷତି ସହିଛି।