୫୬% ଲୋକ କଲ୍‌ ଡ୍ରପ୍ ଶିକାର: ୮୨% ଡାଟା, ୱାଇ-ଫାଇ କଲ୍ କରୁଛନ୍ତି

ନୂଆଦିଲ୍ଲୀ: ଅଧାରୁ ଅଧିକ‌ ମୋବାଇଲ୍ ଫୋନ୍ ବ୍ୟବହାରକାରୀ କଲ୍ ଡ୍ରପ୍ ସମସ୍ୟା ସାମ୍ନା କରୁଛନ୍ତି। ଲୋକାଲ୍ ସର୍କଲ୍‌ ପକ୍ଷରୁ ଦେଶର ୩୩୯ଟି ଜିଲ୍ଲାର ଲୋକମାନଙ୍କୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୫୬% ଲୋକ କଲ୍ ଡ୍ରପ୍ ଓ କଲ୍ ସଂଯୋଗ ସମସ୍ୟା ସାମ୍ନା କରୁଛନ୍ତି। ଏହି ସମସ୍ୟାକୁ ଏଡ଼ାଇବା ଲାଗି ପ୍ରାୟ ୮୨ ପ୍ରତିଶତ ଲୋକ ଡାଟା ଓ ୱାଇ-ଫାଇକୁ ବ୍ୟବହାର କରି କଲ୍ କରୁଛନ୍ତି।

ସର୍ବେକ୍ଷଣରେ ଭାଗ ନେଇଥିବା ୩୭ ପ୍ରତିଶତ ଲୋକ କହିଛନ୍ତି ଯେ ଗତ ତିନି ମାସ ଭିତରେ ସେମାନେ ୨୦-୫୦% କଲ୍‌ରେ ସମସ୍ୟା ଭୋଗିଛନ୍ତି। କଲ୍ ଡ୍ରପ୍ ଓ କଲ୍ ସଂଯୋଗକୁ ନେଇ ୮,୩୬୪ ମତ ଆସିଥିଲା। ସେଥିରୁ ୯୧ ପ୍ରତିଶତ ଲୋକ ସମସ୍ୟା ସାମ୍ନା କରିଥିବା କହିଥିବା ବେଳେ ୫୬% କହିଥିଲେ ଗୁରୁତର ସମସ୍ୟା ସାମ୍ନା କରିଛୁ। ଏହି ସର୍ଭେରେ ୩୧ ହଜାରରୁ ଅଧିକ ମତ ଆସିଥିଲା। ଅଧିକ ଲୋକ କଲ୍ ଡ୍ରପ୍ ଓ କଲ୍ ସଂ‌ଯୋଗ ‌ନହେବା ସମସ୍ୟା ଭୋଗିଥିବା କହିଥିଲେ। ସର୍ଭେରେ ଭାଗ ନେଇଥିବା ୪୫% କଲ୍ ଡ୍ରପ୍ ସମସ୍ୟା ଓ ୪୨ ପ୍ରତିଶତ ‘କଲ୍ ସଂଯୋଗ ନହେଉଥିବା’ ସମସ୍ୟା ସାମ୍ନା କରିଥିବା କହିଥିଲେ। ତେବେ ଏଥିରେ ଭାଗ ନେଇଥିବା ୭୮ ପ୍ରତିଶତ ଲୋକ କହିଛନ୍ତି ଯେ ଦୁର୍ବଳ ସଂଯୋଗ ସତ୍ତ୍ବେ କଲ୍‌ର ୩୦ ମିନିଟ୍ ଭିତରେ ତାହା କଟିଯିବା ଭଳି ସମସ୍ୟା ସେମାନେ ସାମ୍ନା କରିନାହାନ୍ତି। ପ୍ରାୟ ୮୨ ପ୍ରତିଶତ ଲୋକ କହିଛନ୍ତି ଯେ ମୋବାଇଲ୍‌ ନେଟ୍‌ୱର୍କରେ ଦେଖାଦେଉଥିବା ସମସ୍ୟାକୁ ଏଡ଼ାଇବା ଲାଗି ସେମାନେ ଡାଟା ଓ ୱାଇ-ଫାଇକୁ ବ୍ୟବହାର କରି କଲ୍ କରୁଛନ୍ତି।

ସମ୍ବନ୍ଧିତ ଖବର