ଏଜି ଅଡିଟ୍‌ ପାଇଁ ‌ରାଜକୋଷକୁ ଫେରିଛି ୫୬୬ କୋଟି

ଭୁବନେଶ୍ୱର: ଓଡ଼ିଶା ଏଜି ନିଜ ଅଡିଟ୍ ରିପୋର୍ଟରେ ଦର୍ଶାଉଥିବା ବିଭିନ୍ନ ତ୍ରୁଟି ବିଚ୍ୟୁତିକୁ ରାଜ୍ୟ ସରକାର ଗ୍ରହଣ କରୁଛନ୍ତି ଏବଂ ତାହା ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେଥିପାଇଁ ରାଜ୍ୟ ରାଜକୋଷକୁ ୫୬୬ କୋଟି ଟଙ୍କା ଫେରିଆସିଛି ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଆଜି ସଚିବାଳୟ କନ୍‌ଭେନ୍‌ସନ୍ ସମ୍ମିଳନୀ କକ୍ଷରେ ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଦ୍ବିତୀୟ ଅଡିଟ୍ ସପ୍ତାହକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଏଜିଙ୍କ ତତ୍କାଳ ପଦକ୍ଷେପ ଯୋଗୁ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀ ଖୁବ ଶୀଘ୍ର ତାଙ୍କର ଅବସରକାଳୀନ ପ୍ରାପ୍ୟ ପାଇପାରୁଛନ୍ତି ବୋଲି ସେ କହିଛନ୍ତି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ ବର୍ତ୍ତମାନ ଭାରତର ସାମ୍ପ୍ରତିକ ଶାସନ ବ୍ୟବସ୍ଥା ସଶକ୍ତ ହୋଇଛି। ପ୍ରଗତି ନୂତନ ଶିଖର ସ୍ପର୍ଶ କରୁଛି। ଏହାର ଆଧାର ହେଉଛି ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ। ଏହାକୁ କ୍ରିୟାନ୍ବୟନ କରେ ଅଡିଟ୍‌। ଭାରତର ଅଡିଟ ବ୍ୟବସ୍ଥାର ସମୃଦ୍ଧ ଇତିହାସ ରହିଛି। ସମୟର ଆହ୍ୱାନ ଓ ଆବଶକ୍ୟତା ଅନୁସାରେ ଏଥିରେ ଉନ୍ନତି ହେଉଥିବା ସୁଖର କଥା ବୋଲି ସେ କହିଛନ୍ତି। କାହାର ଉପଦେଶରେ ବିମୁଦ୍ରାକରଣ କରାଯାଇଥିଲା ତାହା ଆଜି ମୁଁ ଜାଣିପାରୁଛି ବୋଲି ସେ କହିଛନ୍ତି।

ଏହି ଅବସରରେ ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍‌ଲାଇନ୍ କାରବାର ଓ କମ୍ପ୍ୟୁଟରୀକରଣ ଯୋଗୁ ଶୀଘ୍ର ଅଡିଟ ହୋଇପାରୁଛି ଏବଂ ଦୁର୍ନୀତିକୁ ସରକାରଙ୍କ ସାମ୍ନାକୁ ଅଣାଯାଇପାରୁଛି ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମହାଲେଖାର ଅନନ୍ତ କିଶୋର ବେହେରା, ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, ଉପ ମହାଲେଖାକାର ସୁଶାନ୍ତ ରଞ୍ଜନ ଓ ମୋନାଲିକା ବୋର୍ଗାହାଇନି ଉପସ୍ଥିତ ଥିଲେ।
ଏହି ଅବସରରେ ଆୟୋଜିତ ଏକ ଅଧିବେଶନରେ ପୂର୍ବତନ ଲୋକସଭା ସଦସ୍ୟ ତଥା ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀ, ଓଡିଶା ସୂଚନା କମିସନର ଦିଲ୍ଲୀପ ବିଶୋଇ, ସିୱାଇଏସଡିର ପ୍ରତିଷ୍ଠାତା ଜଗଦାନନ୍ଦ, ଅଡିଟ ଉପଦେଷ୍ଟା ମଣ୍ଡଳୀର ସଭ୍ୟା ଶୁଭଶ୍ରୀ ଦାସ ସାମ୍ପ୍ରତିକ ପରିସ୍ଥିରେ ଅଡିଟ୍‌ ବ୍ୟବସ୍ଥା ଓ ସିଏଜିଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର