୫୬% କର୍ମଚାରୀ ଶୋଇ ପାରୁନାହାନ୍ତି

ମେଙ୍ଗାଲୁରୁ: କର୍ପୋରେଟ୍‌ ଜଗତରେ କାମ କରୁଥିବା କର୍ମଚାରୀମାନଙ୍କ ଉପରେ ପ୍ରବଳ ଚାପ ରହିଛି। ସେଥିପାଇଁ ସେମାନେ ଠିକ୍‌ ଭାବେ ଶୋଇ ପାରୁନାହାନ୍ତି। କର୍ପୋରେଟ୍‌ ଜଗତର ୫୬% କର୍ମଚାରୀ ଦିନକୁ ୪-୬ ଘଣ୍ଟାରୁ କମ୍‌ ସମୟ ଶୋଉଛନ୍ତି। ଏହା ସେମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ସେମାନେ ଉଚ୍ଚ ରକ୍ତଚାପ ଏବଂ ସୁଗାର୍‌ ଭଳି ରୋଗରେ ପୀଡ଼ିତ ହେଉଛନ୍ତି ବୋଲି ଶିଳ୍ପ ସଂଘ ଆସୋଚାମ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି। କଂପାନିଗୁଡ଼ିକ କର୍ମଚାରୀମାନଙ୍କୁ ଏଭଳି କଠିନ ଲକ୍ଷ୍ୟ ହାସଲ କରିବା ପାଇଁ କହୁଛନ୍ତି ଯାହା ଏକପ୍ରକାର ଅବାସ୍ତବ। କର୍ମଚାରୀମାନେ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଏତେ ଚାପଗ୍ରସ୍ତ ହୋଇଯାଉଛନ୍ତି ଯେ ସେମାନେ ଠିକ୍‌ ଭାବେ ଶୋଇପାରୁନାହାନ୍ତି।

ଏହାର ପ୍ରଭାବରେ ସେମାନେ ଦିନ ବେଳା କ୍ଳାନ୍ତ ରହିଛନ୍ତି। ଶାରିରୀକ ସ୍ତରରେ ସହଜ ମନେ କରୁନାହାନ୍ତି। ମାନସିକ ଚାପ ରହୁଛି ଏବଂ ସେମାନଙ୍କ ଉତ୍ପାଦକ ଶକ୍ତି ମଧ୍ୟ କମିଯାଉଛି। କର୍ମଚାରୀମାନେ କମ୍‌ ଶୋଇବା କଂପାନିଗୁଡ଼ିକ ପାଇଁ ହାନିକାରକ ହେବ ବୋଲି ଆସୋଚାମ୍‌ କହିଛି। ଏହା ଦ୍ୱାରା ବର୍ଷକୁ ୧୫୦ ବିଲିଅନ୍‌ ଡଲାରର ପ୍ରଭାବ ପଡ଼ୁଛି। ଭଲ ପ୍ରଦର୍ଶନ କରିବାର ଚାପ, ସହଯୋଗୀଙ୍କ ଚାପ ଏବଂ ଖରାପ ବସ୍‌ଙ୍କ ଯୋଗୁଁ କର୍ମଚାରୀମାନେ ଶାରିରୀକ ଏବଂ ମାସିକତ ସ୍ତରରେ ଭାଙ୍ଗି ପଡ଼ୁଛନ୍ତି।
ଆସୋଚାମ୍‌ର ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତର ବିଭିନ୍ନ ସଂସ୍ଥାର କାମ କରୁଥିବା ୪୬% କର୍ମଚାରୀ କୌଣସି ନା କୌଣସି ଚାପରେ ପୀଡ଼ିତ। କର୍ମଚାରୀମାନଙ୍କଠାରେ ଡାଇବେଟିସ୍‌, ଉଚ୍ଚ ୟୁରିକ୍‌ ଏସିଡ୍‌, ଉଚ୍ଚ ରକ୍ତଚାପ, ମେଦବହୁଳତା ଏବଂ ଉଚ୍ଚ କୋଲେଷ୍ଟ୍ରଲ୍‌ ଭଳି ମାମଲା ବଢ଼ିବାରେ ଲାଗିଛି। ଯଥେଷ୍ଟ ସମୟ ଶୋଉନଥିବାରୁ ୪୬% କର୍ମଚାରୀ ନିଜକୁ କ୍ଳାନ୍ତ ମନେ କରୁଛନ୍ତି। ୪୨% କର୍ମଚାରୀଙ୍କ ସବୁ ବେଳେ ମୁଣ୍ଡବ୍ୟଥା ହେଉଛି। ୪୯% କର୍ମଚାରୀ ଅବସାଦଗ୍ରସ୍ତ ରହୁଛନ୍ତି। ୩୦% କର୍ମଚାରୀ ବ୍ୟାୟାମ କରିବାକୁ ସମୟ ପାଉନାହାନ୍ତି। ୧୬% କର୍ମଚାରୀ ମେଦବହୁଳତାର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର