ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ‘ସମ୍ବାଦ ସେମିନାର ସିରିଜ୍’ର ପ୍ରଥମ ସଂସ୍କରଣକୁ ଚଳିତ ମାସ ୨୭ ତାରିଖରେ ଭୁବନେଶ୍ବରରେ ଆୟୋଜନ କରାଯିବ। ଯେଉଁଥିରେ ବ୍ୟାଙ୍କ ଶିଳ୍ପର ବିଶିଷ୍ଟ ନେତୃବୃନ୍ଦ ଓ ଚିନ୍ତାନାୟକମାନେ ‘ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ’ ବିଷୟବସ୍ତୁ ଉପରେ ଆଲୋଚନା କରିବେ।
ଏହି ପରିପ୍ରେକ୍ଷୀରେ ଏଠାରେ ରାଜ୍ୟର ବ୍ୟାଙ୍କ ଶିଳ୍ପର ଏକ ସାମଗ୍ରିକ ଚିତ୍ର ଉପସ୍ଥାପନ କରାଯାଇଛି। ସଦ୍ୟତମ ତଥ୍ୟ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାରେ ମୋଟ ବ୍ୟାଙ୍କ ଶାଖା ସଂଖ୍ୟା ୫,୭୭୪ ଥିଲା। ସେଥିରୁ ଗ୍ରାମାଞ୍ଚଳରେ ୩୦୫୪ଟି, ଅର୍ଧ-ସହରାଞ୍ଚଳରେ ୧୫୨୬ ଓ ସହରାଞ୍ଚଳରେ ୧୧୯୪ଟି ବ୍ୟାଙ୍କ ଶାଖା ରହିଛି। ସହରାଞ୍ଚଳରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୭୩ ଶାଖା ଥିବା ବେଳେ କଟକରେ ୧୯୬ ଓ ଗଞ୍ଜାମରେ ୧୦୬ ଓ ସୁନ୍ଦରଗଡ଼ରେ ୧୦୩ଟି ଶାଖା ରହିଛି। ଗ୍ରାମାଞ୍ଚଳରେ ସର୍ବାଧିକ ଶାଖା କଟକରେ ୨୨୪, ଗଞ୍ଜାମରେ ୨୧୬, ମୟୂରଭଞ୍ଜରେ ୧୯୩, ଖୋର୍ଦ୍ଧାରେ ୧୭୪ ଓ ଯାଜପୁରରେ ୧୬୪ଟି ଶାଖା ରହିଛି। ଅର୍ଧ-ସହରାଞ୍ଚଳ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୧୪୮ଟି ଶାଖା ରହିଛି। ରାଜ୍ୟରେ ୭୬୨୭ଟି ଏଟିଏମ୍ ରହିଛି ଯାହା ଜରିଆରେ ଲୋକମାନେ ନଗଦ ରାଶି ଉଠାଇବା ସହ ଅନ୍ୟାନ୍ୟ ସୁବିଧା ପାଇପାରୁଛନ୍ତି। ଖୋର୍ଦ୍ଧାରେ ସର୍ବାଧିକ ୧୨୯୩ଟି ଏଟିଏମ୍ କାଉଣ୍ଟର ରହିଥିବା ବେଳେ ଗଞ୍ଜାମରେ ୬୨୨, କଟକରେ ୬୧୪, ସୁନ୍ଦରଗଡ଼ରେ ୪୧୫, ବାଲେଶ୍ବରରେ ୩୬୫, ଯାଜପୁରରେ ୩୨୦, ମୟୂରଭଞ୍ଜରେ ୩୦୯ ଓ ଅନୁଗୁଳରେ ୨୯୨ଟି ଏଟିଏମ୍ ରହିଛି। ରାଜ୍ୟରେ ବ୍ୟାଙ୍କ ଶାଖା ନଥିବା କିମ୍ବା ଯଥେଷ୍ଟ ପରିମାଣର ସେବା ମିଳିପାରୁନଥିବା ଅଞ୍ଚଳର ଲୋକମାନଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା ଲାଗି ରାଜ୍ୟେର ୪୮,୯୨୩ ବ୍ୟାଙ୍କିଙ୍ଗ କରେସ୍ପଣ୍ଡେଣ୍ଟ୍ କାର୍ଯ୍ୟ କରୁଛନ୍ତି। ସେଥିରୁ ୨୨୮୫ ଜଣ ହେଉଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା।