ବିଶ୍ବର ୫୮ ଶ୍ରେଷ୍ଠ କମ୍ପାନିରେ ଭାରତୀୟ ସିଇଓ

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ବ୍ୟବସ୍ଥା ଉତ୍ତମମାନର କମ୍ପାନି ଅଧିକାରୀ ସୃଷ୍ଟି କରୁଛି। ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍‌’ସର ଶ୍ରେଷ୍ଠ ୫୦୦ କମ୍ପାନି ତାଲିକାରେ ଆମେରିକା ପଛକୁ ଭାରତୀୟ ମାନେ ହିଁ ଅଧିକ ସଂଖ୍ୟାରେ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ବିଶ୍ବରେ ୫୮ଟି ଶ୍ରେଷ୍ଠ କମ୍ପାନିରେ ଭାରତୀୟ କିମ୍ବା ଭାରତୀୟ ବଂଶୋଦ୍ଭବ ସିଇଓ ଦାୟିତ୍ବ ସମ୍ଭାଳୁଛନ୍ତି। ଏସବୁ କମ୍ପାନି ଗୁଡ଼ିକର ମୋଟ ରାଜସ୍ବ ୧ ଲକ୍ଷ କୋଟି ଡଲାର ହୋଇଥିବା ମୋଟ କାରବାର ୪ ଲକ୍ଷ କୋଟି ଡଲାର। ଭାରତରେ ଶିକ୍ଷାଲାଭ କରିଥିବା ୫୮ ଜଣ ସିଇଓ ଏଭଳି ବିଶାଳ ଧରଣର କମ୍ପାନି ପରିଚାଳନା କରୁଛନ୍ତି। ଗୁଗୁଲ୍‌ରେ ସୁନ୍ଦର ପିଚାଇ ଏବଂ ଟ୍ବିଟରରେ ପରାଗ ଗୁପ୍ତାଙ୍କ ଭଳି ବ୍ୟକ୍ତି ଏମାନଙ୍କ ମଧ୍ୟରେ ରହିଛନ୍ତି। ଏଥିସହିତ ସିଲିକନ ଭାଲିରେ ୨୫ ପ୍ରତିଶତ ଷ୍ଟାର୍ଟଅପ୍ ମଧ୍ୟ ଭାରତୀୟଙ୍କ ନେତୃତ୍ବରେ ଚାଲୁଛି ବୋଲି କାଞ୍ଚିପୁରମସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେସନ ଟେକ୍ନୋଲୋଜି, ଡିଜାଇନ ଆଣ୍ଡ୍ ମ୍ୟାନୁଫାକଚରିଂର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ଜାତିସଂଘର ୨୦୧୯ ତଥ୍ୟ ବଳରେ ସେ କହିଛନ୍ତି ୨୦୨୮ ସୁଦ୍ଧା ଚୀନର କାର୍ଯ୍ୟରତ ଜନସଂଖ୍ୟାକୁ ଭାରତ ଟପିଯିବ। ୨୦୩୬ ସୁଦ୍ଧା ଦେଶରେ କାର୍ଯ୍ୟ କରୁଥିବା ବୟସ ବର୍ଗର ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୬୫ ପ୍ରତିଶତରେ ପହଞ୍ଚିବ ଏବଂ ୨୦୪୭ ପର୍ଯ୍ୟନ୍ତ ଏହା ଅବ୍ୟାହତ ‌ରହିବ ବୋଲି ସେ କହିଛନ୍ତି। ଏସବୁ ଭାରତର ଜିଡିପିକୁ ଆଗକୁ ନେବ। ଏହି ପରିପ୍ରେକ୍ଷୀରେ ସେ ଭାରତର ଶୈକ୍ଷିକ ଓ ବ୍ୟାବସାୟିକ ପରିବେଶର ଉଚ୍ଚ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର