ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ୫୮ ପ୍ରତିଶତ ସରକାରୀ ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସଂସ୍ଥା ରହିଛି। ୨୦୨୨ ନଭେମ୍ବର ୩୦ ସୁଦ୍ଧା ଦେଶରେ ୮୪୦୧୨ଟି ଷ୍ଟାର୍ଟଅପ୍ଙ୍କୁ ସ୍ବୀକୃତି ଦିଆଯାଇଛି। ସେଥିମଧ୍ୟରୁ ୫୮ ପ୍ରତିଶତ ଷ୍ଟାର୍ଟଅପ୍ ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ଗୁଜରାଟ ଏବଂ ଉତ୍ତର ପ୍ରଦେଶରେ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୫୫୭୧ଟି ସରକାରୀ ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସଂସ୍ଥା ଥିାବବେଳେ କର୍ଣ୍ଣାଟକରେ ୯୯୦୪ଟି, ଦିଲ୍ଲୀରେ ୯୫୮୮ଟି, ଉତ୍ତର ପ୍ରଦେଶରେ ୭୭୧୯ଟି ଏବଂ ଗୁଜରାଟରେ ୫୮୭୭ଟି ସଂସ୍ଥା ରହିଛି।
ଦେଶରେ ନୂଆ ଚିନ୍ତାଧାରାକୁ ନେଇ ଉଦ୍ୟୋଗ ସ୍ଥାପନ ଲାଗି ୨୦୧୬ ଜାନୁଆରି ୧୬ରେ ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦେଶରେ ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଗକୁ ନେବାଲାଗି ବିଭିନ୍ନ ପ୍ରକାର ପାଣ୍ଠି ଯୋଗାଣ ବ୍ୟବସ୍ଥା ହୋଇଛି। ଏଥିରେ ଫଣ୍ଡ୍ ଅଫ୍ ଫଣ୍ଡ୍ସ ଫର୍ ଷ୍ଟାର୍ଟଅପ୍ (ଏଫ୍ଏଫ୍ଏସ୍), ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ଫଣ୍ଡ୍ ସ୍କିମ୍ (ଏସ୍ଆଇଏସ୍ଏଫ୍ଏସ୍)କୁ ଜାତୀୟସ୍ତରରେ କାର୍ଯ୍ୟକାରୀ କରାଯାଉଛି। ଏଫ୍ଏଫ୍ଏସ୍ ଯୋଜନା ୨୦୧୬ ଜୁନ୍ରେ ୧୦ ହଜାର କୋଟି ଟଙ୍କାର ପାଣ୍ଠିକୁ ନେଇ ଆରମ୍ଭ ହୋଇଥିଲା। ଏହି ରାଶିକୁ ସିଧାସଳଖ ଷ୍ଟାର୍ଟଅପ୍ ସଂସ୍ଥାକୁ ଦିଆଯାଇ ନଥାଏ। ବରଂ ସେବିରେ ପଞ୍ଜୀକୃତ ଅଲ୍ଟରନେଟିଭ ଇନଭେଷ୍ଟମେଣ୍ଟ ଫଣ୍ଡ୍ (ଏଆଇଏଫ୍)କୁ ଉକ୍ତ ରାଶି ଯୋଗାଇ ଦିଆଯାଇଥାଏ। ଏହାପରେ ଇକ୍ବିଟି ଏବଂ ଅନ୍ୟାନ୍ୟ ଉପକରଣ ମାଧ୍ୟମରେ ଏହି ପାଣ୍ଠିକୁ ଦେଶର ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକରେ ନିବେଶ କରାଯାଇଥାଏ। ବାଣିଜ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ୨୦୨୨ ନଭେମ୍ବର ୩୦ ସୁଦ୍ଧା ଉକ୍ତ ୧୦ ହଜାର କୋଟି ଟଙ୍କା ମଧ୍ୟରୁ ୭୫୨୭.୯୫ କୋଟି ଟଙ୍କା ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ)କୁ ପ୍ରଦାନ କରାଯାଇଛି।
୨୦୨୨ ନଭେମ୍ବର ସୁଦ୍ଧା ଏସ୍ଆଇଏସ୍ଫଣ୍ଡ୍ଏସ୍ରେ ୯୪୫ କୋଟିର ପାଣ୍ଠିରୁ ୪୫୫.୨୫ କୋଟି ଟଙ୍କା ୧୨୬ଟି ଇନକ୍ୟୁବେଟରକୁ ମଞ୍ଜୁର ହୋଇଥିବାବେଳେ ସେଥିରୁ ୧୮୬.୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନାରେ ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗରେ ଷ୍ଟାର୍ଟଅପ୍ ଗୁଡ଼ିକ ପଞ୍ଜୀକୃତ ହୋଇଥାନ୍ତି।