୫୮ ହଜାର ମୋବାଇଲ୍‌ ଗ୍ରାହକ ବଢ଼ିଲେ

ଭୁବନେଶ୍ବର: ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାର ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୦ ଲକ୍ଷ ୬୯ ହଜାର ୯୮୪କୁ ବୃଦ୍ଧି ପାଇଛି। ଗତ ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ମୋବାଇଲ୍‌ ଗ୍ରାହକ ସଂଖ୍ୟାରେ ୫୮,୦୭୧ ବୃଦ୍ଧି ହୋଇଛି ବୋଲି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ସେପ୍ଟେମ୍ବରରେ ଜିଓ ଏବଂ ଭୋଡାଫୋନ୍ ଆଇଡିଆ ନିଜର କିଛି ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି। ସେହି ସମୟରେ ଏୟାରଟେଲ୍ ଓ ବିଏସ୍‌ଏନ୍‌ଏଲ୍‌ ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଛନ୍ତି।

ଟ୍ରାଇ ରିପୋର୍ଟ ଅନୁଯାୟୀ, ରାଜ୍ୟର ସର୍ବାଧିକ ମୋବାଇଲ୍ ଗ୍ରାହକ ଜିଓ ପାଖରେ ରହିଛି। ସେପ୍ଟେମ୍ବର ମାସରେ ଏହି କଂପାନି ୧୯,୮୨୩ ନୂଆ ଗ୍ରାହକ ହରାଇବା ସତ୍ତ୍ବେ ଏହାର ମୋଟ ଗ୍ରାହକ ସଂଖ୍ୟା ୧,୩୭,୫୯,୪୮୭ ରହିଛି। ରାଜ୍ୟର ଦ୍ବିତୀୟ ସର୍ବାଧିକ ଗ୍ରାହକ ଏୟାରଟେଲ୍‌ ପାଖରେ ରହିଛନ୍ତି। ସେପ୍ଟେମ୍ବର ମାସରେ ଏୟାରଟେଲ୍‌ ୬୮,୨୩୭ ଜଣ ନୂଆ ଗ୍ରାହକ ଯୋଡ଼ିବା ପରେ ଏହାର ମୋଟ ଗ୍ରାହକ ସଂଖ୍ୟା ୧,୧୩,୦୨,୧୮୮କୁ ବୃଦ୍ଧି ପାଇଛି। ସରକାରୀ ଟେଲିକମ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ୧୩,୬୮୧ ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଛି। ସେପ୍ଟେମ୍ବର ସୁଦ୍ଧା କଂପାନିର ମୋଟ ଗ୍ରାହକ ସଂଖ୍ୟା ୬୩,୩୦,୪୫୩ ରହିଛି। ଭୋଡାଫୋନ୍ ଆଇଡିଆ ୩,୦୨୪ ଜଣ ପୁରୁଣା ଗ୍ରାହକ ହରାଇବା ପରେ ଏହାର ମୋଟ ଗ୍ରାହକ ସଂଖ୍ୟା ୧୬,୭୭,୮୨୪କୁ ହ୍ରାସ ପାଇଛି।

ଓଡ଼ିଶାର ଟେଲି ସାନ୍ଧ୍ରତା ୭୫.୫୬ ପ୍ରତିଶତ ରହିଛି। ଏହାର ଅର୍ଥ ହେଉଛି ହାରାହାରି ଭାବେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୭୫ ଜଣଙ୍କ ପାଖରେ ମୋବାଇଲ୍ ସଂଯୋଗ ରହିଛି। ଏକ୍ଷେତ୍ରରେ ଓଡ଼ିଶା କେବଳ ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଆସାମଠାରୁ ଉନ୍ନତ ସ୍ଥିତିରେ ରହିଛି। ଉତ୍ତର ପୂବାଞ୍ଚଳ ରାଜ୍ୟ, ରାଜସ୍ଥାନ, ପଶ୍ଚିମବଙ୍ଗ, ଜମ୍ମୁ କାଶ୍ମୀର, ହରିୟାଣା, ଆନ୍ଧ୍ରପ୍ରଦେଶ ଓ ଗୁଜରାଟଠାରୁ ଓଡ଼ିଶାର ପ୍ରଦର୍ଶନ ଖରାପ ରହିଛି। କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, କେରଳ, ହିମାଚଳପ୍ରଦେଶ ଓ ଦିଲ୍ଲୀରେ ଜନସଂଖ୍ୟାଠାରୁ ମୋବାଇଲ୍ ସଂଯୋଗ ସଂଖ୍ୟା ଅଧିକ ରହିଛି। ସର୍ବଭାରତୀୟ ସ୍ତରରେ ସାରା ଦେଶରେ କିନ୍ତୁ ସେପ୍ଟେମ୍ବର ମାସରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୭ ପ୍ରତିଶତ ହ୍ରାସ ପାଇ ୧୧୪ କୋଟି ୫୦ ଲକ୍ଷ ପାଖାପାଖି ପହଞ୍ଚିଛି।

ସମ୍ବନ୍ଧିତ ଖବର