ନୂଆଦିଲ୍ଲୀ: ନିଜ କଡ଼ା ପ୍ରତିଦ୍ବନ୍ଦ୍ବୀଙ୍କ କାମକୁ ପ୍ରଶଂସା କରିବା କ୍ବଚିତ ଦେଖିବାକୁ ମିଳେ। କିନ୍ତୁ ୫ଜି ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା। ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନିଜ ପ୍ରତିଦ୍ବନ୍ଦ୍ବୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନିଙ୍କୁ ଭାରତୀ ଏୟାରଟେଲ୍ର ମୁଖ୍ୟ ସୁନୀଲ ମିତ୍ତଲ ପ୍ରଶଂସା କରିଥିଲେ। ସୁନୀଲ କହିଥିଲେ ଯେ ଭାରତରେ ୪ଜି ସେବାକୁ ରିଲାଏନ୍ସ ଜିଓ ଏତେ ଦ୍ରୁତ ଗତିରେ ଆଗକୁ ବଢ଼ାଇଥିଲା ଯେ ଆମେ ପ୍ରାସଙ୍ଗିକ ରହିବା ଲାଗି ଦୌଡ଼ିବାକୁ ବାଧ୍ୟ ହୋଇଥିଲୁ। କୋଭିଡ୍ ମହାମାରୀ ସମୟରେ ଆମ ଦେଶ ଗୋଟିଏ ସେକେଣ୍ଡ୍ ପାଇଁ ମଧ୍ୟ ଅଟକି ନଥିଲା। ଡିଜିଟାଲ ମିସନ ପାଇଁ ତାହା ସମ୍ଭବ ହୋଇଥିଲା। ଆମେ ଚବିଶ ଘଣ୍ଟା କାମ ଜାରି ରଖିଥିଲୁ ବୋଲି ସେ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଦେଶର ତିନି ପ୍ରମୁଖ ଟେଲିକମ୍ କଂପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା ଉପସ୍ଥିତ ଥିଲେ। ଏହି ଅବସରରେ ମୁକେଶ କହିଥିଲେ ଯେ ୨୦୨୩ ଡିସେମ୍ବର ସୁଦ୍ଧା ସାରା ଦେଶରେ ନିଜର ୫ଜି ସେବାକୁ ଜିଓ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ୨୦୨୪ ମାର୍ଚ୍ଚ ସୁଦ୍ଧା ଏୟାରଟେଲ୍ର ୫ଜି ସେବା ସାରା ଦେଶରେ ପହଞ୍ଚିବ।
ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ୫ଜିରେ ପରିଚାଳିତ କନେକ୍ଟେଡ୍ ଆମ୍ବୁଲାନ୍ସ, ରୋବୋଟିକ୍ ହାତ ଓ ରୋବଟ୍କୁ ଉନ୍ମୋଚନ କରାଯାଇଛି। ରୋଗୀ ହସ୍ପିଟାଲ୍ରେ ପହଞ୍ଚିବା ପୂର୍ବରୁ ତାଙ୍କ ସମ୍ପର୍କିତ ସବୁ ଗୁରୁତ୍ବପୂର୍ଣ୍ଣ ସୂଚନା ଏହି ଆମ୍ବୁଲାନ୍ସ ଡାକ୍ତରଖାନାରେ ପହଞ୍ଚାଇବ। ଫଳରେ ରୋଗୀ ଆସିବା ପୂର୍ବରୁ ତାଙ୍କ ଆବଶ୍ୟକ ବ୍ୟବସ୍ଥା ଡାକ୍ତରମାନେ କରିସାରିଥିବେ ଏବଂ ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ଭ ହୋଇପାରିବ। ରୋବୋଟିକ୍ ହାତ ୫ଜି ପ୍ରଯୁକ୍ତିକୁ ବ୍ୟବହାର କରି ଏକ୍ସ-ରେ ଓ ଅଲ୍ଟ୍ରାସାଉଣ୍ଡ୍ ଆଦି କରିପାରିବ। ହଜାର ହଜାର କିଲୋମିଟର ଦୂରରେ ରହି ରେଡିଓଲୋଜିଷ୍ଟ୍ମାନେ ଏହି ରୋବୋଟିକ୍ ହାତକୁ ବ୍ୟବହାର କରିପାରିବେ। ସେହିପରି ୫ରେ ପରିଚାଳିତ ରୋବଟ୍ ମଧ୍ୟ ରୋଗୀଙ୍କ ନିକଟରେ ଖାଦ୍ୟ, ପାନୀୟ, ଔଷଧ ଆଦି ପହଞ୍ଚାଇବ। ଏହି ରୋବଟ୍ ଚିକିତ୍ସା ପଦ୍ଧତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।