୫-ଜି ସ୍ପେକ୍ଟ୍ରମ ନିଲାମ : ପ୍ରଥମ ଦିନରେ ୪ ରାଉଣ୍ଡ ବିଡିଂ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମର ପ୍ରଥମ ଦିନରେ ବିଡରମାନଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି । ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ନିଲାମ ସଂଧ୍ୟା ୬ଟାରେ ଶେଷ ହୋଇଥିଲା । ପ୍ରଥମ ଦିନରେ ମୋଟ ୪ ରାଉଣ୍ଡ ବିଡିଂ ହୋଇଥିଲା । ଆସନ୍ତା କାଲି ଅର୍ଥାତ ବୁଧବାରଠାରୁ ୫ମ ରାଉଣ୍ଡ ଆରମ୍ଭ ହେବ ।

୫-ଜି ନିଲାମରେ ଦେଶର ପ୍ରମୁଖ ଟେଲିକମ କମ୍ପାନି ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ ଆଦି ଅଂଶଗ୍ରହଣ କରୁଛନ୍ତି । ସେହିପରି ପ୍ରଥମ ଥର ପାଇଁ ଅଦାନୀ ଗ୍ରୁପ ବି ଏହି ନିଲାମରେ ଅଂଶଗ୍ରହଣ କରୁଛି । ଅଦାନୀ ଗ୍ରୁପ ଅଧିନସ୍ଥ ନବଗଠିତ ଅଦାନୀ ଡାଟା ନେଟଓ୍ବାର୍କ୍ସ ଏଥିରେ ଅଂଶଗ୍ରହଣ କରୁଛି ।

ଏହି ନିଲାମ ମାଧ୍ୟମରେ ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନି, ଗୌତମ ଅଦାନୀ, ସୁନୀଲ ମିତ୍ତଲ ପରସ୍ପର ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି ।
ମଙ୍ଗଳବାର ଆରମ୍ଭ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ମୋଟ ୭୨ ଗିଗାହଜ୍ ସ୍ପେକ୍ଟ୍ରମ ନିଲାମ ହେବ । ଏସବୁ ନିଲାମର ମୋଟ ମୂଲ୍ୟ ପ୍ରାୟ ୪.୩ ଲକ୍ଷ କୋଟି ହେବା ଅଟକଳ କରାଯାଉଛି ।

ଗତ ଜୁନ ମାସରେ କେନ୍ଦ୍ର କ୍ୟାବିନେଟ ୫-ଜି ନିଲାମକୁ ମଂଜୁରୀ ଦେଇଥିଲା । ଏହା ପରେ ଜୁନ ୧୬ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଦେଶରେ ଚଳିତ ଆର୍ଥିକ ବର୍ଷରେ ହିଁ ୫-ଜି ସେବା ଆରମ୍ଭ କରିବାକୁ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର